ରୁଷିଆ-ୟୁକ୍ରେନ ମଧ୍ୟରେ ଇସ୍ରାଏଲ୍‌ କରିବ ମଧ୍ୟସ୍ଥତା

ଜେରୁଜେଲମ୍‌,୧୪।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ୧୯ଦିନ ହେଲାଣି ଯୁଦ୍ଧ ଜାରି ରହିଛି। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ନେଇ ସମସ୍ତ ପାଶ୍ଚାତ୍ୟ ଦେଶ ବିରୋଧ କରିବା ସହ ଯୁଦ୍ଧ ବନ୍ଦ କରିବା ପାଇଁ ମସ୍କୋ ଉପରେ ଚାପ ପକାଯାଉଛି। କିନ୍ତୁ ୨ଦେଶ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ରୁଷିଆ ନିଜର ବିଜୟ ପଥେ ଆଗେଇ ଚାଲିଥିବା ବେଳେ ନିଜ ଦେଶର ସୁରକ୍ଷା ଓ ସମ୍ମାନ ରକ୍ଷା କରିବା ଲାଗି ୟୁକ୍ରେନ ପଛଘୁଞ୍ଚା ଦେଉନାହିଁ। ଇତିମଧ୍ୟରେ ୨ ଦେଶ ମଧ୍ୟରେ ମଧ୍ୟସ୍ଥତା କରିବା ଲାଗି ଇସ୍ରାଏଲ ଆଗକୁ ଆସିଛି। ସୋମବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ପ୍ରଶାସନର ମୁଖ୍ୟ ଏଣ୍ଡ୍ରି ୟରମକ ଏନେଇ ସୂଚନା ଦେଇଛନ୍ତି। ଏହି ମଧ୍ୟସ୍ଥତାରୁ ୨ଦେଶ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ବନ୍ଦ ହେବା ନେଇ ଆଶା କରାଯାଉଛି। ଏହାପୂର୍ବରୁ ଇସ୍ରାଏଲ୍‌ ରାଷ୍ଟ୍ରପତି ନଫଟାଲି ବେନେଟ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ବିବାଦର ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଥିଲେ।

Share