ୱାଶିଂଟନ,୧୦।୭: ଆମେରିକା ଏବଂ ଇରାନ ମଧ୍ୟରେ ବଢୁଥିବା ସୈନ୍ୟ ସଂଘାତ ମଧ୍ୟରେ ଏକ ଗମ୍ଭୀର ଖବର ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ଗୁପ୍ତଚର ସଂସ୍ଥା ଆମେରିକା ସରକାରଙ୍କୁ ଏକ ଅତି ସମ୍ବେଦନଶୀଳ ସୂଚନା ଦେଇ ଚେତାବନୀ ଦେଇଛି। ଇରାନର ଏଜେଣ୍ଟମାନେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଏକ ନୂଆ ତଥା ଅତି ଗୋପନୀୟ ଷଡ଼ଯନ୍ତ୍ର ରଚୁଥିବା ଏହି ସୂଚନାରେ କୁହାଯାଇଛି।
ଯଦିଓ ଆମେରିକାର ସୁରକ୍ଷା ସଂସ୍ଥା (Intelligence Community) ଏପର୍ଯ୍ୟନ୍ତ ଏହି ଇସ୍ରାଏଲି ଦାବିର ସ୍ବତନ୍ତ୍ର ଭାବେ ଯାଞ୍ଚ କିମ୍ବା ନିଶ୍ଚିତ କରିନାହିଁ, ତଥାପି ଏହି ଖବର ଆମେରିକାର ସୁରକ୍ଷା ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ରକ୍ଷା ବିଶେଷଜ୍ଞଙ୍କ ଅନୁସାରେ, ଏହି ଷଡ଼ଯନ୍ତ୍ର ପଛରେ ବର୍ଷ ୨୦୨୦ର ଏକ ପୁରୁଣା ଶତ୍ରୁତା ରହିଛି। ୨୦୨୦ରେ ଏକ ଆମେରିକୀୟ ଡ୍ରୋନ ଆକ୍ରମଣରେ ଇରାନର ସବୁଠାରୁ ଶକ୍ତିଶାଳୀ ସୈନ୍ୟ କମାଣ୍ଡର ଜେନେରାଲ କାସିମ ସୁଲେମାନିଙ୍କ ମୃତ୍ୟୁ ହୋଇଥିଲା। ଇରାନ ଏଥିପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ଦାୟୀ କରିବା ସହ ପ୍ରତିଶୋଧ ନେବାକୁ ଶପଥ କରିଛି। ନିକଟରେ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାର ସମୟରେ ମଧ୍ୟ ମଶହଦ ଓ ତେହେରାନର ରାସ୍ତାରେ ଲକ୍ଷ ଲକ୍ଷ ଲୋକ ଡୋନାଲ୍ଡ ଟ୍ରମ୍ପଙ୍କୁ ଜୀବନରୁ ମାରିଦେବାକୁ ସିଧାସଳଖ ନାରାବାଜି କରିଥିଲେ।
ଏହି ଗମ୍ଭୀର ବିପଦ ଉପରେ ନିଜେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖବରଦାତାମାନଙ୍କୁ କହିଛନ୍ତି, “ସେମାନେ ଆମେରିକାର ନେତା ଅର୍ଥାତ୍ ମୋତେ ଶେଷ କରିବାକୁ ଚାହୁଁଛନ୍ତି। ଆଜି ସକାଳେ ହିଁ ମୁଁ ଦେଖିଲି ଯେ ମୁଁ ସେମାନଙ୍କ ହିଟ-ଲିଷ୍ଟର ସବୁଠାରୁ ଉପରେ ଅଛି। ଏପର୍ଯ୍ୟନ୍ତ ମୁଁ ଭାଗ୍ୟବାନ ରହିଛି, କିନ୍ତୁ ଏହା ସବୁବେଳେ ରହିନପାରେ।”
ଏହି ଗୁପ୍ତଚର ସୂଚନାକୁ ନେଇ ଆମେରିକାର ସୁରକ୍ଷା ମହଲରେ ଦୁଇ ପ୍ରକାରର ମତ ଦେଖିବାକୁ ମିଳୁଛି। ଗୋଟିଏ ପକ୍ଷର କହିବା କଥା ଯେ, ଟ୍ରମ୍ପଙ୍କ ସୁରକ୍ଷାରେ ସାମାନ୍ୟତମ ତ୍ରୁଟି ମଧ୍ୟ କରାଯାଇପାରିବ ନାହିଁ, କାରଣ ଇରାନ ପୂର୍ବରୁ ଅନେକ ଥର ଖୋଲାଖୋଲି ଭାବେ ଆମେରିକୀୟ ନେତାମାନଙ୍କୁ ଧମକ ଦେଇସାରିଛି। ଅନ୍ୟପଟେ, କିଛି ଆମେରିକୀୟ ଅଧିକାରୀଙ୍କ ମତରେ, ଇସ୍ରାଏଲ ଏଭଳି ଗୁପ୍ତ ସୂଚନା ଦେଇ ଟ୍ରମ୍ପ ପ୍ରଶାସନ ଉପରେ ଇରାନ ବିରୋଧରେ ଅଧିକ କଠୋର ଆଭିମୁଖ୍ୟ ଗ୍ରହଣ କରିବା ଏବଂ ସୈନ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଚାପ ପ୍ରୟୋଗ କରୁଛି।
ଏହି ନୂଆ ଷଡ଼ଯନ୍ତ୍ରର ଖୁଲାସା ପରେ ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ନିକଟ ଅତୀତରେ ଦୁଇ ପକ୍ଷରୁ ମିଳିତ ଆକାଶମାର୍ଗୀୟ ଆକ୍ରମଣ ଓ ଜବାବୀ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି, ଯାହା ପରେ ରାଷ୍ଟ୍ରପତି ଟ୍ରମ୍ପ ଖୋଲାଖୋଲି ଭାବେ ଘୋଷଣା କରିଛନ୍ତି ଯେ ଇରାନ ସହ ଆଲୋଚନାର ସମସ୍ତ ପନ୍ଥା ବନ୍ଦ ହୋଇଯାଇଛି।
ତେବେ ଏହି ସଙ୍ଗୀନ ପରିସ୍ଥିତି ମଧ୍ୟରେ ଆଉ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସୁଛି। ଆମେରିକୀୟ ଅଧିକାରୀଙ୍କ ସୂତ୍ରରୁ ଦାବି କରାଯାଇଛି ଯେ, ବାହାରକୁ ଆଲୋଚନା ବନ୍ଦ ଥିବା ଭଳି ଜଣାପଡୁଥିଲେ ମଧ୍ୟ ପରଦା ପଛରେ ପରମାଣୁ ଚୁକ୍ତିକୁ ନେଇ ଗୁପ୍ତ ଆଲୋଚନା ଏବେ ବି ଜାରି ରହିଛି। ଚଳିତ ବର୍ଷ ଅଗଷ୍ଟ ମଧ୍ୟଭାଗ ସୁଦ୍ଧା ଦୁଇ ଦେଶ କୌଣସି ଏକ ଚୁକ୍ତିରେ ପହଞ୍ଚିବା ପାଇଁ ଶେଷ ଚେଷ୍ଟା କରୁଥିବା କୂଟନୈତିକ ସୂତ୍ରରୁ ଜଣାପଡ଼ିଛି।