ଇସ୍ରାଏଲ-ହମାସ ଯୁଦ୍ଧ ମୃତ୍ୟୁ ସଂଖ୍ୟା ଟପିଲା ୮ ହଜାର…

ଜେରୁଜେଲମ,୨୬।୧୦ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ବିବାଦ ଆରମ୍ଭ ହେବାର ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପକ୍ଷ ଦ୍ୱାରା ହୋଇଥିବା ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୮୦୦୦ ଅତିକ୍ରମ କରିଛି। ଇସ୍ରାଏଲ ଉପରେ ହମାସ ଆକ୍ରମଣରେ ୧୪୦୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଗାଜା ଷ୍ଟ୍ରିପ ଉପରେ ଇସ୍ରାଏଲର ପ୍ରତିଶୋଧ ପରାୟଣ ହୋଇ ଆକ୍ରମଣ କରିଥିବା ଘଟଣାରେ ମୃତ୍ୟୁ ସଂଖ୍ୟା ୬୫୦୦୦ ଅତିକ୍ରମ କରିଛି।

ଗାଜା ହସ୍ପିଟାଲରେ ସ୍ଥିତି ଏବେ ସଙ୍କଟ ଜନକ ରହିଛି। ହସ୍ପିଟାଲରେ କେବଳ ଜରୁରୀକାଳୀନ ଚିକିତ୍ସା ସୁବିଧା ଉପଲବ୍ଧ ହେଉଛି।

ଉଭୟ ପକ୍ଷର ଏହି ବିବାଦ ମଧ୍ୟରେ ଇରାନ ସମର୍ଥିତ ସଂଗଠନ ହିଜବୁଲ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ ଜାରି ରଖିଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଚେତାବନୀ ଦେଇଛନ୍ତି। ଗାଜାରେ ଇସ୍ରାଏଲ ସେନା ୩୨୦ ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରିଛି। ଆଇଡିଏଫ ସୋସିଆଲ ମିଡ଼ିଆ ଏକ୍ସରେ ଏକ ପୋଷ୍ଟରେ କହିଛି ହମାସର ଅନେକ ଟନେଲ ଏବଂ ମୁଖ୍ୟାଳୟକୁ ନଷ୍ଟ କରାଯାଇଛି। କେବଳ ଏତିକି ନୁହେଁ ଗାଜାକୁ ପଦାତିକ ବାହିନୀ ପଠାଇବା ପାଇଁ ସେନା ମଧ୍ୟ ପ୍ରସ୍ତୁତି ଶେଷ କରିଛି।

ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଏକ ଟୁଇଟରେ କହିଛନ୍ତି ଲେବାନନରେ ହିଜବୁଲର ଭିତ୍ତିଭୂମି ଉପରେ ସେନା ଆକ୍ରମଣ କରିଛି। ଏଥିମଧ୍ୟରେ ଏକ ସାମରିକ ଅଞ୍ଚଳ ଏବଂ ନୀରିକ୍ଷଣ ପାଇଁ ବ୍ୟବହୃତ ଏକ ପୋଷ୍ଟ ଅନ୍ତର୍ଭୁକ୍ତ। ଆଇଡିଏଫ କହିଛି ସୀମାରେ ହିଜବୁଲ ଆତଙ୍କବାଦୀଙ୍କ ଚାରିଟି ସେଲ ମଧ୍ୟ ନଷ୍ଟ ହୋଇଯାଇଛି। ତେବେ ପଣବନ୍ଦୀଙ୍କୁ ମୁକ୍ତ କରିବା ପରେ ଶାନ୍ତି ବାର୍ତ୍ତା ଆଗେଇବ ବୋଲି ଇସ୍ରାଏଲ କହିଛି।

Share