Categories: ଜାତୀୟ

‘ଦ କଶ୍ମୀର ଫାଇଲ୍ସ’କୁ ନେଇ ବିବାଦୀୟ ମନ୍ତବ୍ୟ ଘଟଣା: କ୍ଷମା ମାଗିଲେ ଇସ୍ରାଏଲ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୨୯।୧୧: ଇସ୍ରାଏଲ ଫିଲ୍ମ ନିର୍ମାତା ନାଦଭ ଲାପିଡଙ୍କ ‘ଦ କଶ୍ମୀର ଫାଇଲ୍ସ’ ଏକ ଅଶ୍ଳୀଳ ତଥା ପ୍ରୋପାଗଣ୍ଡା ଭିତ୍ତିକ ମନ୍ତବ୍ୟ ଦେଇ ଫସିଯାଇଛନ୍ତି। ଏହି ମନ୍ତବ୍ୟକୁ ନେଇ ବିବାଦ ବଢିବାରୁ ଇସ୍ରାଏଲର ରାଷ୍ଟ୍ରଦୂତ ନାଓର ଗିଲନ ମଧ୍ୟ ଏଥିପାଇଁ ଭାରତକୁ କ୍ଷମା ମାଗିଛନ୍ତି। ଲାପିଡଙ୍କ ବିବୃତ୍ତିରେ କ୍ଷମା ମାଗି ସେ କହିଛନ୍ତି, ନାଦଭଙ୍କ ବିବୃତ୍ତି ପାଇଁ ମୁଁ ଲଜ୍ଜିତ।
ନିକଟରେ ଗୋଆରେ ଆୟୋଜିତ ୫୩ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଦେଶ ଓ ବିଦେଶର ବହୁ ଫିଲ୍ମ ସ୍କ୍ରିନିଂ କରାଯାଇଛି। ଏଥିରେ ଚଳିତ ବର୍ଷର ସୁପରହିଟ ଫିଲ୍ମ ଦ କଶ୍ମୀର ଫାଇଲ୍ସ ମଧ୍ୟ ସାମିଲ ଥିଲା। ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ-୨୦୨୨ର ଜୁରୀ ମୁଖ୍ୟ ତଥା ଇସ୍ରାଏଲ ଫିଲ୍ମ ମେକର ନାଦଭ ଲାପିଡ କହିଥିଲେ, ଫିଲ୍ମ ଫେଷ୍ଟିଭାଲରେ ‘ଦ କଶ୍ମୀର ଫାଇଲ୍ସ’ ଭଳି ଫିଲ୍ମକୁ ଦେଖି ମୁଁ ଚକିତ। ଫିଲ୍ମ ମହୋତ୍ସବରେ ଏହି ପ୍ରକାରର ଫିଲ୍ମର ସ୍କ୍ରିନିଂକୁ ଦେଖି ସମସ୍ତ ଜୁରୀ ସଦସ୍ୟ ସ୍ତବ୍ଧ ଅଛନ୍ତି। ଏହା ଅଶ୍ଳୀଳ ଓ ପ୍ରୋପାଗଣ୍ଡା ଉପରେ ଆଧାରିତ ଫିଲ୍ମ ବୋଲି କୁହାଯାଇଛି।
‘ଦ କଶ୍ମୀର ଫାଇଲ୍ସ’କୁ ସମାଲୋଚନା କରିବା ପରେ ଇସ୍ରାଏଲର ରାଷ୍ଟ୍ରଦୂତ ଲାପିଡଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ସେ ଲେଖିଛନ୍ତି ‘ତୁମେ ଲଜ୍ଜିତ ହେବା ଉଚିତ୍‌’। ଭାରତ ଏବଂ ଇସ୍ରାଏଲ ମଧ୍ୟରେ ବନ୍ଧୁତା ଶକ୍ତିଶାଳୀ ଏବଂ ଲାପିଡଙ୍କ ବିବୃତ୍ତିରେ ଏହି ସମ୍ପର୍କରେ କୌଣସି କ୍ଷତି ହେବ ନାହିଁ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।
ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶନାରେ ଚଳିତବର୍ଷ ରିଲିଜ ହୋଇଥିବା ଫିଲ୍ମ ଦ କଶ୍ମୀର ଫାଇଲ୍ସରେ ୧୯୯୦ରେ କଶ୍ମୀର ଘାଟିରେ କଶ୍ମୀର ପଣ୍ଡିତଙ୍କ ସହ ହୋଇଥିବା ନରସଂହାରର ଯନ୍ତ୍ରଣାକୁ ଚିତ୍ରିତ କରାଯାଇଛି।

Share