ଚିହ୍ନଟ ହୋଇ ନ ଥିଲେ ଉଚ୍ଛେଦ

ଅନୁଗୋଳ ଅଫିସ,୬।୮:  ଜାଗା ମିଶନରେ ଅନୁଗୋଳ ଜିଲାର ବସ୍ତି ବାସିନ୍ଦାଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଜିଲା ପୌର ଉନ୍ନୟନ ଏଜେନ୍ସି (ଡୁଡା)ର ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସମ୍ପର୍କରେ ଏକ ସମୀକ୍ଷା ବୈଠକ ବୁଧବାର ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାର ୨ଟି ପୌରାଞ୍ଚଳ ଓ ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦରେ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା। ଚିହ୍ନଟ ହୋଇଥିବା ବସ୍ତିକୁ ବାଦ୍‌ ଦେଲେ ଅନ୍ୟ ସ୍ଥାନରେ ଜବରଦଖଲ କରି ରହୁଥିବା ବାସିନ୍ଦାମାନଙ୍କୁ ତୁରନ୍ତ ଉଚ୍ଛେଦ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଏଥିପାଇଁ ଏକ ସ୍ବତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରି ଉପଜିଲାପାଳମାନଙ୍କ ଅଧ୍ୟକ୍ଷତାରେ ସମ୍ପୃକ୍ତ ନିର୍ବାହୀ ଅଧିକାରୀମାନଙ୍କୁ ନେଇ ଏକ କମିଟି ଗଠନ କରାଯିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଯେଉଁମାନେ ଯୋଗ୍ୟ ବିବେଚିତ ଚିହ୍ନଟ ହୋଇନାହାନ୍ତି ଏକ ବିଜ୍ଞପ୍ତି ମାଧ୍ୟମରେ ସେମାନଙ୍କୁ ବସ୍ତିରୁ ଉଚ୍ଛେଦ କରିବାକୁ ପରାମର୍ଶ ଦେଇଥିଲେ। ଖାଲି ପଡ଼ିଥିବା ସରକାରୀ ଜାଗାଗୁଡ଼ିକୁ ପୌରପାଳିକା ଅଧୀନକୁ ଅଣାଯିବ। ଜିଲା ପୌର ଉନ୍ନୟନ ଏଜେନ୍ସି (ଡୁଡା)ରୁ ଆବଶ୍ୟକ ତଥ୍ୟ ସଂଗ୍ରହ କରି ସର୍ବେକ୍ଷଣ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଯେଉଁ ବାସିନ୍ଦାମାନେ ନୂଆକରି ସରକାରୀ ଜାଗାରେ ଘର କରୁଛନ୍ତି ସେସବୁକୁ ମଧ୍ୟ ଉଚ୍ଛେଦ କରାଯିବ। ଡୁଡା ଜାଗା ମିଶନରେ ଅନୁଗୋଳ ପୌରାଞ୍ଚଳରେ ୧୩, ତାଳଚେର ପୌରାଞ୍ଚଳରେ ୬ ଓ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରେ ୯ଟି ବସ୍ତି ରହିଛି। ଅନୁଗୋଳ ପୌରାଞ୍ଚଳର ବସ୍ତିରେ ୨୬୦୬, ତାଳଚେର ପୌରାଞ୍ଚଳରେ ୮୪୬ ଓ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରେ ୩୯୪ଟି ପରିବାର ବସବାସ କରୁଛନ୍ତି। ଅନୁଗୋଳ ପୌରପାଳିକା ଦ୍ୱାରା ୭୮୬ , ତାଳଚେର ପୌରପାଳିକା ଦ୍ୱାରା ୨୦୧ ଓ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ୧୧୪ ଜଣଙ୍କୁ ଜମି ସ୍ବତ୍ୱାଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି। ସେହିପରି ଅନୁଗୋଳ ପୌରାଞ୍ଚଳରୁ ୧୦୦୯, ତାଳଚେର ପୌରାଞ୍ଚଳରୁ ୧୩୮ ଓ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୭୧ ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ଅନୁମୋଦନ କରାଯାଇଛି। ଅନୁଗୋଳ ପୌରପାଳିକାରୁ ୪, ତାଳଚେର ପୌରପାଳିକାରୁ ୧୭୦, ଆଠମଲ୍ଲିକ ଏନ୍‌ଏସିରୁ ୪୧ଟି ଯୋଗ୍ୟ ବିବେଚିତ ବସ୍ତି ବାସିନ୍ଦା ଅଦ୍ୟାବଧି ଜମି ସ୍ବତ୍ୱାଧିକାର ପ୍ରମାଣପତ୍ର ପାଇ ନ ଥିବା ଜଣାପଡ଼ିଛି। ତାଳଚେର ପୌରାଞ୍ଚଳରେ ଜମି ସ୍ବତ୍ୱାଧିକାର ପ୍ରମାଣପତ୍ର ପ୍ରଦାନରେ ସୃଷ୍ଟି ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା, ଅନୁଗୋଳ ଉପଜିଲାପାଳ ବାଇତୁରା ଦୀପ, ତାଳଚେର ଉପଜିଲାପାଳ ବିଶ୍ୱ ରଞ୍ଜନ ରଥ, ଆଠମଲ୍ଲିକ ଉପଜିଲାପାଳ ତରଣୀ ସୁନା, ଅନୁଗୋଳ ପୌରପାଳିକାର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ତାଳଚେର ପୌରପାଳିକା ନିର୍ବାହୀ ଅଧିକାରୀ ରଶ୍ମିରେଖା ଅମାତ, ଆଠମଲ୍ଲିକ ଏନ୍‌ଏସି ନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନାଙ୍କ ସମେତ ସମସ୍ତ ତହସିଲଦାର, ରାଜସ୍ବ ନିରୀକ୍ଷକ ଓ ଜିଲା ପୌର ଉନ୍ନୟନ ଏଜେନ୍ସିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।