ହିଂସ୍ର ହେଉଛି ଇସ୍‌ଲାମୀୟ ଆନ୍ଦୋଳନ

ଇସ୍‌ଲାମାବାଦ/ଲାହୋର, ୧୫।୪: ଇସ୍‌ଲାମୀୟ ନେତାଙ୍କ ଗିରଫଦାରି ପ୍ରତିବାଦରେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଆନ୍ଦୋଳନ କ୍ରମଶଃ ହିଂସ୍ର ହେଉଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ପାକ୍‌ ସରକାର ଅର୍ଦ୍ଧସାମରିକ ବଳକୁ ନିୟୋଜିତ କରିଛନ୍ତି। ଏଥିସହିତ ହିଂସାକାଣ୍ଡ ପାଇଁ ଦାୟୀ କଠୋରପନ୍ଥୀ ଇସ୍‌ଲାମୀୟ ସଂଗଠନ ତେହରିକ୍‌-ଇ-ଲାବାଇକ୍‌ ପାକିସ୍ତାନ (ଟିଏଲ୍‌ପି)କୁ ଆତଙ୍କବାଦ ଆଇନ ଅନୁଯାୟୀ ବେଆଇନ ଘୋଷଣା କରିବାକୁ ଇସ୍‌ଲାମାବାଦ ନିଷ୍ପତ୍ତି ନେଇଛି। ଲାହୋରରେ ମଙ୍ଗଳବାର ବିକ୍ଷୋଭକାରୀ ଏବଂ ସୁରକ୍ଷା ବଳ ମଧ୍ୟରେ ସଂଘର୍ଷ ଘଟି ୨ ପୋଲିସ ଅଧିକାରୀ ନିହତ ହେବା ସହ ୩୦୦ରୁ ଊର୍ଦ୍ଧ୍ୱ ପୋଲିସ ଆହତ ହୋଇଥିଲେ।
ଗତ ସୋମବାର ଇସ୍‌ଲାମୀୟ ନେତା ସାଦ୍‌ ରିଜ୍‌ଭିଙ୍କୁ ଲାହୋରରୁ ଗିରଫ କରାଯାଇଥିଲା। ଏହାର ପ୍ରତିବାଦରେ ଟିଏଲ୍‌ପି ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି। ଇସ୍‌ଲାମ ଧର୍ମକୁ ଅପମାନିତ କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଥିବା ଟିଏଲ୍‌ପି ଅଭିଯୋଗ କରିଥିଲା। ବିକ୍ଷୋଭକାରୀ ଟିଏଲ୍‌ପି ସମର୍ଥକମାନଙ୍କୁ ଘଉଡାଇବା ପାଇଁ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା।

Share