Categories: ଖେଳ

ଆଇଏସ୍‌ଏଲ୍‌ ଫାଇନାଲ ଆଜି

ମାର୍ଗାଓ, ୧୮ା୩ (ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଫାଇନାଲ ଶନିବାର ଏଠାରେ ଅନୁଷ୍ଠିତ ହେବ। ଜବାହରଲାଲ ନେହେରୁ ଷ୍ଟାଡିୟମରେ ଏଟିକେ ମୋହନ ବାଗାନ (ଏଟିକେଏମ୍‌ବି) ଓ ବେଙ୍ଗାଲୁରୁ ଏଫ୍‌ସି ମଧ୍ୟରେ ମ୍ୟାଚ ମ୍ୟାଚ ଖେଳାଯିବ। ମୋହନ ବାଗାନ ସହିତ ମିଶିବା ପୂର୍ବରୁ ଏଟିକେ ଟାଇଟଲ ବିଜୟୀ ହୋଇ ସାରିଛି। ତେବେ ଏଟିକେ ମୋହନ ବାଗାନଭାବେ ଦଳ ଏଥର ଆଇଏସ୍‌ଏଲ୍‌ ଟାଇଟଲ ସନ୍ଧାନରେ ରହିଛି। ଅନ୍ୟପକ୍ଷରେ ବେଙ୍ଗାଲୁରୁ ଏଫ୍‌ସି ଦ୍ୱିତୀୟ ଟାଇଟଲ ଲକ୍ଷ୍ୟରେ ଅଛି। ଏଟିକେଏମ୍‌ବି ୫ ମ୍ୟାଚରେ ଅପରାଜେୟ ରହିଛି। ଗୋଟିଏ ମାତ୍ର ମ୍ୟାଚରେ ଗୋଲ ବରଣ କରିଥିବାବେଳେ ଅନ୍ୟ ୪ଟି ମ୍ୟାଚରେ କ୍ଲିନ୍‌ ଶିଟ୍ସ ପାଇଛି। ଲିଗ୍‌ ପର୍ଯ୍ୟାୟରେ ଡିଫେନ୍ସ ବିଭାଗ ହିଁ ଦଳର ମୁଖ୍ୟ ଶକ୍ତିଭାବେ ଉଭା ହୋଇଥିଲା। ପୂରା ସିଜନରେ ଦଳ ମାତ୍ର ୧୭ଟି ଗୋଲ ବରଣ କରିଥିଲା। ପରିସଂଖ୍ୟାନ ଅନୁସାରେ ହାଇଦ୍ରାବାଦ ଏଫ୍‌ସି ପଛକୁ ଏହା ଦ୍ୱିତୀୟ ଶ୍ରେଷ୍ଠ ଡିଫେନ୍ସିଭ ଦଳ। ପ୍ରୀତମ କୋଟାଲ ଓ ବ୍ରେଣ୍ଡନ ହମିଲ ସବୁବେଳେ ପ୍ରାଚୀର ସଦୃଶ ବିପକ୍ଷ ଦଳ ସମ୍ମୁଖରେ ଛିଡ଼ା ହୋଇଛନ୍ତି। ଫରଓ୍ବାର୍ଡ ଲାଇନ୍‌ରେ କୋଚ୍‌ ଜୁଆନ ଫେରାଣ୍ଡୋ ଜଣେ ଷ୍ଟ୍ରାଇକରଙ୍କୁ ଖେଳାଇବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଆରମ୍ଭରୁ ଭଲ ପ୍ରଦର୍ଶନ କରିପାରି ନ ଥିଲେ ହେଁ ସଫଳ ପ୍ରତ୍ୟାବର୍ତ୍ତନ କରି ଫାଇନାଲରେ ପ୍ରବେଶ କରିଛି ବେଙ୍ଗାଲୁରୁ ଏଫ୍‌ସି। ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ଶେଷ ୬ ଆଇଏସ୍‌ଏଲ୍‌ ମ୍ୟାଚରେ ବେଙ୍ଗାଲୁରୁ ଏଫ୍‌ସି ମାତ୍ର ଥରେ ବିଜୟୀ ହୋଇଛି। ୪ଥର ଏଟିକେଏମ୍‌ବି ବିଜୟ ହାସଲ କରିଛି। ତେଣୁ ଆଗାମୀ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଏ।

Share