Categories: ଜାତୀୟ

୨୫୦ ଆତଙ୍କବାଦୀଙ୍କୁ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ରଖିଛି ଆଇଏସ୍‌ଆଇ…

ଶ୍ରୀନଗର,୨।୧୧: ଜମ୍ମୁ-କଶ୍ମୀରରେ ୨୫୦ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ପ୍ରସ୍ତୁତ ରଖିଛି। ଶୀତଦିନେ ତୁଷାରପାତ ପୂର୍ବରୁ ଆତଙ୍କବାଦୀଙ୍କୁ ଲଞ୍ଚ୍‌ପ୍ୟାଡ୍‌ ଛାଡ଼ିବାକୁ ଆଇଏସ୍‌ଆଇ ନିର୍ଦ୍ଦେଶ ଦେଇଛି। ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ କ୍ରମାଗତ ଭାବେ ସୀମା ପାର କରି ଭାରତରେ ଆତଙ୍କବାଦୀ ଆକ୍ରମଣ କରାଇବା ଷଡଯନ୍ତ୍ର ରଚୁୁଛି।

ସୂଚନାନୁସାରେ, ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ଲଶ୍କର ଇ ତୋଏବା, ଜୈଶ୍‌ ଇ ମହମ୍ମଦ ଏବଂ ଅଲ ବଦର ସଂଗଠନର ଆତଙ୍କବାଦୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ତୁଷାରପାତ ପୂର୍ବରୁ କାଶ୍ମୀରରେ ଅଧିକରୁ ଅଧିକ ଆତଙ୍କବାଦୀ ଅନୁପ୍ରବେଶ କରିବା ଉଚିତ।

ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ଏଲ୍‌ଓସି ନିକଟରେ ଥିବା ରାସ୍ତାରେ ତୁଷାରପାତ ପୂର୍ବରୁ ବୃଦ୍ଧି ପାଇପାରେ ବୋଲି ଭାରତୀୟ ଗୋଇନ୍ଦା ସଂସ୍ଥା ପକ୍ଷରୁ ସତର୍କ ସୂଚନାଜାରି ହୋଇଛି। ତୁଷାରପାତ ଯୋଗୁ କିଛି ମାସ ଧରି ଅନୁପ୍ରବେଶ ମାର୍ଗ ବନ୍ଦ ରହିଥାଏ। ତେଣୁ ଆଇଏସ୍‌ଆଇ ଶୀଘ୍ର ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଚାହୁଁଛି।

ଗୋଇନ୍ଦା ରିପୋର୍ଟ ଅନୁଯାୟୀ, ଏଲଓସି ନିକଟରେ ଥିବା ଲଞ୍ଚପ୍ୟାଡରେ ୨୦୦ ରୁ ୨୫୦ ଆତଙ୍କବାଦୀ ସୁଯୋଗକୁ ଅପେକ୍ଷା କରି ରହିଛନ୍ତି। ଗୋଇନ୍ଦା ଆଧାରରେ ସେନା ଏବଂ ସୀମା ସୁରକ୍ଷା ବାହିନୀ (ବିଏସଏଫ) ସହିତ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ସଜାଗ ରହିଛନ୍ତି। ସେମାନେ ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖିଛନ୍ତି।

ସୁରକ୍ଷା ଏଜେନ୍ସି ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଗତ ମାସରେ ଜମ୍ମୁର ଜାତୀୟ ରାଜପଥ ଦେଇ ୬ ଜଣିଆ ଆତଙ୍କବାଦୀ ଦଳ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଖବର ମିଳିଥିଲା। ଆତଙ୍କବାଦୀମାନେ ଜମ୍ମୁ ଦେଇ ଲାଇନ ଅଫ କଣ୍ଟ୍ରୋଲ ମାଧ୍ୟମରେ ଅନୁପ୍ରବେଶ କରିବାକୁ ଯୋଜନା କରିଥିଲେ। ଏହା ପରେ ଅନୁପ୍ରବେଶକୁ ରୋକିବା ଏବଂ ଆତଙ୍କବାଦୀଙ୍କୁ ହଟାଇବା ପାଇଁ ରାଜୌରୀ ଏବଂ ପୁଞ୍ଚରେ ସର୍ଚ୍ଚ ଅପରେଶନରେ ସେନାର ଏକ ଦଳକୁ ନିୟୋଜିତ କରାଯାଇଛି।

Share