Categories: ଜାତୀୟ

ଏଲଟିଟିଇକୁ ପୁଣି ସକ୍ରିୟ କରିବାକୁ ଆଇଏସଆଇ ରଚିଛି ଷଡ଼ଯନ୍ତ୍ର…

ଚେନ୍ନାଇ,୨୫।୧୨ : ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ତାମିଲନାଡୁର ଲିବରେଶନ ଟାଇଗର୍ସ ଅଫ ତାମିଲ ଇଲମ (ଏଲଟିଟିଇ) କୁ ପୁଣି ସକ୍ରିୟ କରିବାକୁ ଷଡ଼ଯନ୍ତ୍ର ରଚିଛି। ଦ ଆଇଲାଣ୍ଡ ଅନଲାଇନ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏହି ସୂଚନା ପ୍ରକାଶ ପାଇଛି। ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଚଳିତ ସପ୍ତାହ ଆରମ୍ଭରେଏଲଟିଟିଇ ପୁଣି ସକ୍ରିୟ ହେଉଥିବା ଷଡ଼ଯନ୍ତ୍ର ସହ ଜଡିତ ଏକ ବେଆଇନ ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ମାମଲାରେ ନଅ ଜଣଙ୍କୁ ଗିରଫ କରିଥିଲା।

ଏକ ନୋଟରେ ଏନଆଇଏ କହିଛି ଯେ ଏହି ମାମଲା ଶ୍ରୀଲଙ୍କାର ଡ୍ରଗ ମାଫିଆର କାର୍ଯ୍ୟକଳାପ ସହ ଜଡିତ, ଗୁନାସେଖରନ ଏବଂ ପୁଷ୍ପରାଜଙ୍କ ଦ୍ୱାରା ପାକିସ୍ତାନ ଭିତ୍ତିକ ଡ୍ରଗ୍ସ ଏବଂ ଅସ୍ତ୍ର ଯୋଗାଣକାରୀ ହାଜି ସଲିମଙ୍କ ସହଯୋଗରେ ଏହା ନିୟନ୍ତ୍ରିତ। ବେଆଇନ ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ତାମିଲନାଡୁର ତାମିଲ ଶରଣାର୍ଥୀମାନଙ୍କ ପାଇଁ ଏକ ସ୍ବତନ୍ତ୍ର କ୍ୟାମ୍ପରୁ ନଅ ଶ୍ରୀଲଙ୍କା ନାଗରିକଙ୍କୁ ଗିରଫ କରାଯାଇଥିଲା ବୋଲି ଏନଆଇଏ କହିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସି ଗୁନାସେଖରାନ ଛଦ୍ମନାମ ଗୁନା ଏବଂ ପୁଷ୍ପରାଜ ଛଦ୍ମନାମ ପୁକୁଟି କନ୍ନା ଅଛନ୍ତି। ଫେଡେରାଲ ଆତଙ୍କବାଦ ବିରୋଧୀ ଏଜେନ୍ସିର ମୁଖପାତ୍ର କହିଛନ୍ତି ଯେ ସେମାନେ ପାକିସ୍ତାନରେ ଅବସ୍ଥିତ ଡ୍ରଗ ଏବଂ ଅସ୍ତ୍ର ଯୋଗାଣକାରୀ ହାଜି ସଲିମଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛନ୍ତି।

ଜୁଲାଇ ୮ ରେ ଏଜେନ୍ସି ଦ୍ୱାରା ପଞ୍ଜୀକୃତ ହୋଇଥିବା ଏକ ସୁ ମୋଟୁ ମାମଲାରେ ଏହି ଗିରଫ କରାଯାଇଥିଲା ଯାହା ପରେ ଚେନ୍ନାଇ, ତିରୁପୁର, ଚେଙ୍ଗଲପାଟ୍ଟୁ ଏବଂ ତିରୁଚିରାପଲ୍ଲୀ ଜିଲାର ଅଭିଯୁକ୍ତ ତଥା ସନ୍ଦିଗ୍ଧଙ୍କ ଘରେ ଚଢ଼ାଉ କରାଯାଇଥିଲା।

ରିପୋର୍ଟ ଅନୁଯାୟୀ, ଏହି ମଡ୍ୟୁଲ ଭାରତ ଏବଂ ଶ୍ରୀଲଙ୍କାରେ କାର୍ଯ୍ୟ କରୁଛି ଏବଂ ଏଲଟିଟିଇକୁ ସକ୍ରିୟ କରିବା ପାଇଁ ପାଣ୍ଠି ସଂଗ୍ରହ କରିବା ଲାଗି ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କରୁଛି। ପାକିସ୍ତାନ ଦ୍ୱାରା ଦକ୍ଷିଣ ଭାରତରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ଏକ ନୂଆ କଥା ନୁହେଁ। ୨୦୧୪ ରେ, ଏନଆଇଏ ଏକ ମଡ୍ୟୁଲର ପର୍ଦ୍ଦାଫାଶ୍‌ କରିଥିଲା ଯାହା କଲମ୍ବୋରେ ପାକିସ୍ତାନ ହାଇ କମିଶନ ଦ୍ୱାରା ନିୟନ୍ତ୍ରିତ ହେଉଥିଲା। ତାମିଲନାଡୁର କିଛି ଅପରେଟିଭଙ୍କ ଉପରେ ହାଇ କମିଶନ ତଦାରଖ କରୁଥିଲେ ଯେଉଁମାନେ ଆକ୍ରମଣ କରିବାକୁ ଯୋଜନା କରିଥିଲେ।

ରିପୋର୍ଟ ଅନୁଯାୟୀ, ସେହି ମଡ୍ୟୁଲ ମୂଳୋତ୍ପାଟନ ହେବା ପରେ ଆଇଏସଆଇ ତାମିଲନାଡୁ ଏବଂ ଶ୍ରୀଲଙ୍କାରେ ଏଲଟିଟିଇ ଆନ୍ଦୋଳନକୁ ସକ୍ରିୟ କରିବାକୁ ଚେଷ୍ଟା କରୁଛି ଯାହା ଦେଶର ଦକ୍ଷିଣ ଭାଗରେ ସୁରକ୍ଷା କ୍ଷେତ୍ରରେ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି।

Share