ଘରକୁ ଫେରୁଥିଲେ ଈଶ୍ୱର, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଗଲା…

ବଲାଙ୍ଗୀର, ୫।୧୦ (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସହରର ସଦର ଥାନା ନିକଟ ଲାଲଟିକ୍ରାସ୍ଥିତ ଇରିଗେସନ ଅଫିସ ସମ୍ମୁଖରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଦ୍ରୁତଗତିରେ ଆସୁଥିବା ଏକ ଘରୋଇ ବସ ତାଙ୍କ ବାଇକ୍‌କୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ମୃତ ଯୁବକ ହେଲେ ଲାଲଟିକ୍ରା ଅଞ୍ଚଳର ଈଶ୍ୱର ମାଝୀ (୩୫)। ତାଙ୍କ ନିଜ ଗାଁ ଲୋଇସିଂହା ଥାନା ଅନ୍ତର୍ଗତ ଡୁଡୁକା ବୋଲି ଜଣାପଡ଼ିଛି। ସେ ଏକ ଦୋକାନରେ କାମ କରୁଥିଲେ।

ସୂଚନା ଅନୁଯାୟୀ, ଈଶ୍ୱର ଏକ କାମ ସାରି ବାଇକ ଯୋଗେ ଘରକୁ ଫେରୁଥିଲେ। ରାସ୍ତା ଅତିକ୍ରମ କରିବା ପାଇଁ ସେ ରାସ୍ତା ମଝିରେ ଥିବା ଡିଭାଇଡର୍‌ କଡ଼ରେ ଠିଆ ହୋଇଥିବା ବେଳେ ଦ୍ରୁତଗତିରେ ଆସୁଥିବା ‘କୃପାମୟୀ’ ନାମକ ଏକ ଘରୋଇ ବସ ତାଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଧକ୍କା ଯୋଗୁ ସେ ତଳେ ପଡ଼ି ଗୁରୁତର ଆହତ ହୋଇଥିଲେ। ଘଟଣା ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଏକ ଅଟୋ ଯୋଗେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ପରୀକ୍ଷା କରି ଈଶ୍ୱରଙ୍କୁ ମୃତ ଘୋଷଣା କରିଥିଲେ।

ଦୁର୍ଘଟଣାର ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବସ୍କୁ ଜବତ କରିଛି। ଘଟଣା ସମ୍ପର୍କରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଖବର ପାଇ ଈଶ୍ୱରଙ୍କ ପରିବାର ଲୋକେ ଡୁଡୁକା ଗାଁରୁ ହସ୍ପିଟାଲରେ ପହଞ୍ଚିଥିଲେ। ମୃତ ଈଶ୍ୱରଙ୍କ ପରିବାରକୁ ସରକାରୀ ନିୟମ ଅନୁଯାୟୀ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପରିବାର ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

 

Share