Categories: ଖେଳ

ଟିମ୍‌ ଇଣ୍ଡିଆରେ ହୋଇପାରେ ଅନେକ ପରିବର୍ତ୍ତନ

ନୂଆଦିଲ୍ଲୀ,୨୯।୮: ହେଡିଂଲେ ଟେଷ୍ଟରେ ଇଂଲଣ୍ଡ ଠାରୁ ଇନିଂସ ପରାଜୟ ବରଣ କରିବା ପରେ ଟିମ୍‌ ଇଣ୍ଡିଆରେ ଅନେକ ପରିବର୍ତ୍ତନ ହୋଇପାରେ। ଭାରତୀୟ ଦଳର ସବୁଠୁ ଅଭିଜ୍ଞ ପେସର ଇଶାନ୍ତ ଶର୍ମା ପରବର୍ତ୍ତୀ ଦୁଇଟି ଟେଷ୍ଟରୁ ବାଦ୍‌ ପଡ଼ିପାରନ୍ତି। କାରଣ ତୃତୀୟ ଟେଷ୍ଟରେ ଇଶାନ୍ତ ୨୨ ଓଭର ବୋଲିଂ କରି ୯୨ ରନ୍‌ ଖର୍ଚ୍ଚ କରିଥିଲେ। ତାଙ୍କୁ ଗୋଟିଏ ହେଲେ ଉଇକେଟ ମିଳି ନ ଥିଲା। ସେ ୧୨୦ରୁ ୧୩୦ କି.ମି. ବେଗରେ ବୋଲିଂ କରିଥିଲେ, ଯାହାକି ହେଡିଂଲେ ପିଚ୍‌ରେ ଫଳାପ୍ରଦ ଥିଲା। ଏଥି ଯୋଗୁ ଅନ୍ୟ ୩ ପେସରଙ୍କ ଉପରେ ପଡ଼ିଥିଲା ଅତିରିକ୍ତ ଚାପ।

ତେବେ ଅଧିନାୟକ ବିରାଟ କୋହଲି ବରିଷ୍ଠ ପେସରଙ୍କ ପ୍ରଦର୍ଶନ ଉପରେ କହିବାକୁ ମନା କରି ଦେଇଥିଲେ। କିନ୍ତୁ କହିଥିଲେ, ଓ୍ବାର୍କଲୋଡ୍‌କୁ ଦୃଷ୍ଟିରେ ରଖି ପେସର ବିଭାଗରେ ପରିବର୍ତ୍ତନ କରାଯିବ।

ଯଦି ଇଶାନ୍ତ ବାଦ୍‌ ପଡ଼ନ୍ତି, ତେବେ ତାଙ୍କ ସ୍ଥାନରେ ଉମେଶ ଯାଦବ ଓ ଶାର୍ଦ୍ଦୁଳ ଠାକୁରଙ୍କ ମଧ୍ୟରୁ ଜଣଙ୍କୁ ବଛାଯାଇପାରେ। ବ୍ୟାଟିଂ ଦକ୍ଷତା ଯୋଗୁ ଶାର୍ଦ୍ଦୁଳ ଆଗରେ ରହିବେ। କିନ୍ତୁ ଉମେଶ ଅପେକ୍ଷାକୃତ ଭଲ ପେସର।

ଅନ୍ୟପକ୍ଷରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଆଣ୍ଠୁର ସ୍କାନ ରିପୋର୍ଟରୁ ସେଭଳି କୌଣସି ଚିନ୍ତାଜନକ କଥା ସାମ୍ନାକୁ ଆସିନାହିଁ। କିନ୍ତୁ ଏ ପର୍ଯ୍ୟନ୍ତ ସୁଯୋଗ ପାଇ ନ ଥିବା ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଚତୁର୍ଥ ଟେଷ୍ଟ ପାଇଁ ଫେଭରାଇଟ୍‌ ବିବେଚନା କରାଯାଇଛି। କାରଣ ସମାନ ଭେନ୍ୟୁରେ ଖେଳାଯାଇଥିବା ଏକମାତ୍ର କାଉଣ୍ଟି ଗେମ୍‌ରେ ଅଶ୍ୱିନଙ୍କ ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ ଥିଲା। ଏଣୁ ଓଭାଲରେ ଅଶ୍ୱିନଙ୍କ ଖେଳିବାର ବିଶେଷ ସମ୍ଭାବନା ଅଛି।

Share