ହାଇଦ୍ରାବାଦ,୨୬।୪: ଆଇପିଏଲ୍ରେ ଚଳିତ ସିଜିନରେ ସନରାଇଜର୍ସ ହାଇଦ୍ରାବାଦ (SRH) ର ବିଜୟ ରଥ ଅଟକିବାର ନାଁ ନେଉନାହିଁ। ପ୍ୟାଟ କମିନ୍ସଙ୍କ ନେତୃତ୍ୱରେ ଦଳ ପୁଣିଥରେ ଏକ ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ରାଜସ୍ଥାନ ଦେଇଥିବା ୨୨୯ ରନର ବିଶାଳ ଲକ୍ଷ୍ୟକୁ ହାଇଦ୍ରାବାଦ ମାତ୍ର୧୮.୫ ଓଭରରେ ହାସଲ କରିନେଇଥିଲା।
ଟ୍ରାଭିସ ହେଡ ମାତ୍ର ୬ ରନ କରି ଶୀଘ୍ର ଆଉଟ ହୋଇଯାଇଥିଲେ। ଏହାପରେ ଈଶାନ କିଷନ ଏବଂ ଅଭିଷେକ ଶର୍ମା ମଇଦାନରେ ଚୌକା-ଛକାର ବର୍ଷା କରିଥିଲେ। ଦୁହେଁ ମିଶି ମାତ୍ର ୫୫ ବଲରେ ୧୩୨ ରନର ଏକ ବିଶାଳ ଭାଗିଦାରୀ କରି ମ୍ୟାଚକୁ ରାଜସ୍ଥାନ ହାତରୁ ଛଡ଼ାଇ ଆଣିଥିଲେ। ଅଧିନାୟକ ଚାପରୁ ମୁକ୍ତ ହୋଇଥିବା ଈଶାନ କିଷନ ମାତ୍ର ୭୪ ରନର ଏକ ଗୁରୁତ୍ୱପୂର୍ଣ୍ଣ ପାରି ଖେଳିଥିଲେ।
ମ୍ୟାଚ ଶେଷରେ ଈଶାନ କିଷନ ନିଜ ମନକଥା କହିଛନ୍ତି। ସେ କହିଛନ୍ତି, ଜଣେ ଉଇକେଟ କିପର ଭାବରେ ଆପଣଙ୍କୁ ସେହି ଦାୟିତ୍ୱ ତୁଲାଇବାକୁ ପଡ଼େ ଯାହା ଜଣେ ଅଧିନାୟକ କରନ୍ତି। ମୁଁ ଜିନିଷଗୁଡିକୁ ସରଳ ରଖିବାକୁ ଚେଷ୍ଟା କରେ। ପ୍ୟାଟ କମିନ୍ସ ଜଣେ ଦକ୍ଷ ଅଧିନାୟକ, ତାଙ୍କ ଆସିବା ପରେ ଆମ ବୋଲିଂ ବିଭାଗ ଅଧିକ ଶକ୍ତିଶାଳୀ ହୋଇଛି। ଏବେ ମୁଁ ମୋ ବ୍ୟାଟିଂ ଏବଂ କିପିଂ ଉପରେ ଅଧିକ ଧ୍ୟାନ ଦେଇପାରୁଛି।”ଇଶାନ ଆହୁରି ମଧ୍ୟ କହିଛନ୍ତି ଯେ, ଜୋଫ୍ରା ଆର୍ଚ୍ଚରଙ୍କ ପ୍ରଥମ ବଲ୍ରେ ଛକା ମାରିବା ତାଙ୍କ ଆତ୍ମବିଶ୍ୱାସ ବଢ଼ାଇଥିଲା। ସେ ମାନନ୍ତି ଯେ ଭାଗ୍ୟ ସବୁବେଳେ ସାହସୀଙ୍କ ସାଥ ଦିଏ।
ରାଜସ୍ଥାନ ପାଇଁ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଶତକ ହାସଲ କରିଥିଲେ, କିନ୍ତୁ ଦଳର ଖରାପ ଫିଲ୍ଡିଂ ଯୋଗୁ ତାଙ୍କ ପରିଶ୍ରମ ବେକାର ଗଲା। ରାଜସ୍ଥାନର ଫିଲ୍ଡରମାନେ ଅଭିଷେକ ଶର୍ମାଙ୍କର ଅନେକ କ୍ୟାଚ ଛାଡ଼ିଥିଲେ, ଯାହାର ଭରଣା ଦଳକୁ ହାରିବା ଦ୍ୱାରା କରିବାକୁ ପଡ଼ିଲା।