ଯଶଓ୍ବନ୍ତ କ’ଣ ଏକାକୀ?

ଗୋଟିଏ ଛୋଟିଆ ନିଆଁ ସବୁକିଛି ଜାଳିପୋଡ଼ି ଭସ୍ମ କରିଦେବାର ଶକ୍ତି ରଖିଛି ବୋଲି ଦିଲ୍ଲୀ ହାଇକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ଯଶଓ୍ବନ୍ତ ଭର୍ମାଙ୍କ ଘଟଣାରୁ ପ୍ରମାଣ ମିଳୁଛି। ବିଚାରପତି ଭର୍ମା ଏବେ ଦେଶବ୍ୟାପୀ ପରିଚିତ ହେବା ସହିତ ଭାରତର ନ୍ୟାୟ ବ୍ୟବସ୍ଥାକୁ ଲଙ୍ଗଳା କରି ଛିଡ଼ା କରିଦେଇଛନ୍ତି। ଆମେ ୨୦୦୮ରେ ଏହି ସ୍ତମ୍ଭରେ ‘ଫାଶୀ ଦିଅ’ ସମ୍ପାଦକୀୟ ଲେଖିଥିଲୁ, ଯେଉଁଥିରେ ନ୍ୟାୟାଧୀଶମାନଙ୍କର କାର୍ଯ୍ୟକଳାପ ଓ ଚରିତ୍ର ବିଷୟରେ ଉଲ୍ଲେଖ କରିଥିଲୁ। ସେତେବେଳେ ଦେଶରେ ଅନ୍ୟ ଗଣମାଧ୍ୟମରେ ନ୍ୟାୟାଳୟ ଓ ବିଚାରପତିଙ୍କ ସମ୍ପର୍କରେ କୌଣସି ମନ୍ତବ୍ୟ ଦେବାକୁ ପ୍ରବଳ ଭୟ ଥିଲା। ପରବର୍ତ୍ତୀ ସମୟରେ ସେହି ଭୟ କ୍ରମଶଃ ଭାଙ୍ଗିବାକୁ ଆରମ୍ଭ କଲା ଏବଂ ବିଭିନ୍ନ ଗଣମାଧ୍ୟମରେ କ୍ରମାଗତ ଭାବେ ସମାଲୋଚନାତ୍ମକ ଖବର ପ୍ରକାଶ ପାଇବା ପରିଲକ୍ଷିତ ହେଲା। କେବଳ ପିପିଲିର ଜଣେ ଜେଏମ୍‌ଏଫ୍‌ସି କିମ୍ବା ଭୁବନେଶ୍ୱରର ତତ୍କାଳୀନ ସବ୍‌ଡିଭିଜନାଲ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ଅରୁଣ କୁମାର ସାହୁଙ୍କ ପକ୍ଷପାତ ଓ ଅବିଚାର କାର୍ଯ୍ୟରେ ଅଟକି ଯାଇ ନ ଥିଲା। ସମଗ୍ର ନ୍ୟାୟ ବ୍ୟବସ୍ଥା, ବିଶେଷକରି ସବ୍‌ଅର୍ଡିନେଟ୍‌ ବା ନିମ୍ନ ଅଦାଲତର ଚରିତ୍ରକୁ ମଧ୍ୟ ଦର୍ଶାଇଥିଲା। ଏବେ କିଛି ବର୍ଷ ହେବ ସେହି ରୋଗର ପ୍ରଭାବ ଉଚ୍ଚ ଓ ଉଚ୍ଚତମ ନ୍ୟାୟାଳୟର ମୁଣ୍ଡକୁ ଚଢ଼ିଗଲାଣି ବୋଲି ବିଭିନ୍ନ ସମୟରେ ପ୍ରମାଣ ମିଳୁଛି। ବିଚାରପତି ଯଶଓ୍ବନ୍ତ ଭର୍ମାଙ୍କ ଘରେ ନିଆଁ ନ ଲାଗେ କିମ୍ବା ହାଇକୋର୍ଟ ବିଚାରପତିଙ୍କ ମୁଖା ନ ଖୋଲେ। କୁହାଯାଏ ଭାତହାଣ୍ଡିରୁ ଗୋଟେ ଭାତ ଚିପିଲେ ଚାଉଳ ସିଝିଲାଣି କି ନାହିଁ ଜଣାପଡ଼େ। ଭର୍ମା ସେହି ଗୋଟିଏ ଭାତର କାର୍ଯ୍ୟ କଲାଭଳି ମନେ ହେଉଛି। ଅନୁରୂପ ଭାବେ ଓଡ଼ିଶାରୁ ନିଯୁକ୍ତି ପାଇଥିବା ଜଣେ ପ୍ରଧାନ ବିଚାରପତି କେଉଁଭଳି ଭାବେ ଭୋପାଳ ଗ୍ୟାସ୍‌ ଦୁର୍ଘଟଣା ମାମଲାରେ ବଦ୍‌ନାମ ହୋଇଥିଲେ ତାହା ସମଗ୍ର ଦେଶ ଜାଣିଛି। ସେହିଭଳି ୨ଜି ସ୍ପେକ୍‌ଟ୍ରମ୍‌ ଦୁର୍ନୀତିର ତଦନ୍ତ ବେଳେ କର୍ପୋରେଟ୍‌ ଲବିଇଷ୍ଟ ନିରା ରାଡିଆଙ୍କ ଟେପ୍‌ ଘଟଣା ପ୍ରକାଶ ପାଇବା ପରେ ଯେଉଁଭଳି ରତନ ଟାଟା ଓ ଅନ୍ୟ କେତେକ ବଡ଼ ଶିଳ୍ପପତିଙ୍କ ସପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟରେ ଅଳ୍ପ କେତୋଟି ଦିନରେ ରାୟ ପ୍ରକାଶ ପାଇଥିଲା, ତାହା ଅନେକଙ୍କ ମନେଥିବ। ଏହିଭଳି ବହୁ ଘଟଣା ଘଟିଗଲାଣି, ଯାହାକି ଭାରତର ନ୍ୟାୟ ବ୍ୟବସ୍ଥାକୁ ପ୍ରବଳ ସନ୍ଦେହ ବଳୟକୁ ଟାଣି ଆଣିଲାଣି।
ନ୍ୟାୟାଳୟରେ ଦୁର୍ନୀତି କେବଳ ଅର୍ଥରେ ସୀମିତ ରହେ ନାହିଁ ବୋଲି ସମସ୍ତେ ବୁଝନ୍ତି। ଶାସକଙ୍କ ପ୍ରିୟ ହେବା ପାଇଁ ଅନେକ ରାୟ ଗତ ଦଶନ୍ଧି ମଧ୍ୟରେ ଦେଖାଦେଲାଣି, ଯେଉଁଗୁଡ଼ିକ ପରବର୍ତ୍ତୀ ସମୟରେ, ଅବସର ନେବା ପରେ ବିଚାରପତିମାନଙ୍କୁ ବିଭିନ୍ନ ଆକର୍ଷଣୀୟ ସ୍ଥାନରେ ଥଇଥାନ ହେବାର ସୁଯୋଗ ପ୍ରଦାନ କରୁଛି। ଏହା ଯେ କେବଳ ଏକ ନିରନ୍ତର ବ୍ୟବସ୍ଥା, ତାହା ସମ୍ପର୍କରେ ଏବେ ସ୍ପଷ୍ଟ ହେବାରେ ଲାଗିଛି।
ସଦ୍ୟ ଘଟଣାକୁ ଦେଖିଲେ ୧୪ ମାର୍ଚ୍ଚ ହୋଲି ସମୟରେ ଜଷ୍ଟିସ ଭର୍ମାଙ୍କ ନୂଆଦିଲ୍ଲୀର ତୋଗଲକ୍‌ ରୋଡ୍‌ସ୍ଥିତ ସରକାରୀ ବାସଭବନରେ ନିଆଁ ଲାଗି ଯାଇଥିଲା। ଅଗ୍ନିଶମ ବାହିନୀ ଓ ପୋଲିସକୁ ସଙ୍ଗେ ସଙ୍ଗେ ସୂଚନା ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଲିଭାଇବାରେ ସକ୍ଷମ ହୋଇଥିଲେ। ତେବେ ଗୋଟେ ଆଉଟ୍‌ହାଉସ୍‌ରେ ପୁଳାପୁଳା ଟଙ୍କା ଗଦା ହୋଇଥିବା ସମ୍ପୃକ୍ତ କର୍ମଚାରୀମାନେ ଦେଖିବା ପରେ ପୋଲିସକୁ ଜଣାଇଥିଲେ। ତା’ପରେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଲା ଯେ, ମିଳିଥିବା ଅର୍ଥର ପରିମାଣ ୧୫ କୋଟି ଟଙ୍କାରୁ ଊର୍ଦ୍ଧ୍ୱ। ଏହି ଘଟଣା ରାଷ୍ଟ୍ର ହୋଇଯିବା ପରେ ନ୍ୟାୟପାଳିକାରେ ଚହଳ ପଡ଼ିଗଲା ଭଳି ମନେହେଉଛି। ସମ୍ପୃକ୍ତ ବିଷୟ ସୁପ୍ରିମକୋର୍ଟ ଯାଏ ଯିବା ପରେ ଜଷ୍ଟିସ ଭର୍ମାଙ୍କୁ ଆଲ୍ଲାହାବାଦ ହାଇକୋର୍ଟକୁ ବଦଳି କରାଯାଇଥିଲା। ହେଲେ ଆଲ୍ଲାହାବାଦ ହାଇକୋର୍ଟ ବାର୍‌ ଆସୋସିଏଶନ ତାଙ୍କ ବଦଳିକୁ ନାପସନ୍ଦ କରିବା ସହ ସମ୍ପୃକ୍ତ ହାଇକୋର୍ଟ ଡଷ୍ଟବିନ୍‌ ନୁହେଁ ବୋଲି କହିଥିଲା। ଫଳରେ ଜଷ୍ଟିସ ଭର୍ମାଙ୍କ ବଦଳି ସ୍ଥଗିତ ରଖାଯାଇଥିବା ବେଳେ ତଦନ୍ତ ନ ସରିବା ଯାଏ ତାଙ୍କୁ ନ୍ୟାୟିକ ପ୍ରକ୍ରିୟାରୁ ବାଦ୍‌ ଦିଆଯାଇଛି। ଏହି ଘଟଣାର ତଦନ୍ତ କରିବା ଲାଗି ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ୩ ଜଣିଆ ନ୍ୟାୟିକ ପ୍ୟାନେଲ ଗଠନ କରିଛନ୍ତି। ଏଥିସହିତ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ଡି.କେ. ଉପାଧ୍ୟାୟ ଏ ସଂକ୍ରାନ୍ତରେ ଦେଇଥିବା ତଥ୍ୟ ଓ ଭିଡିଓକୁ ପ୍ରଧାନ ବିଚାରପତି ସୁପ୍ରିମ୍‌କୋର୍ଟ ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରିବା ଘଟଣା ଏକ ଉତ୍ତମ ପରମ୍ପରା ସୃଷ୍ଟି କରିଛି ବୋଲି କୁହାଯାଇପାରେ। ମାର୍ଚ୍ଚ ୨୩ରେ ଆଉ ଏକ ଘଟଣାକ୍ରମରେ ତୋଗଲକ୍‌ ରୋଡ୍‌ ଅଞ୍ଚଳରେ ଜଣେ ସଫେଇ କର୍ମଚାରୀ କହିଛନ୍ତି, ଅଳିଆ ସଫା କରିବା ବେଳେ ସେ କେତେକ ପୋଡ଼ା ୫୦୦ ଟଙ୍କିଆ ନୋଟ୍‌ ପାଇଛନ୍ତି। ଅନ୍ୟପକ୍ଷରେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି ବୋଲି ଜଷ୍ଟିସ ଭର୍ମା କହିଛନ୍ତି। ବାସ୍ତବ ଘଟଣା ଅବଶ୍ୟ ତଦନ୍ତ ପରେ ଜଣାପଡ଼ିବ।
ନ୍ୟାୟପାଳିକାର ଚେର କେତେ ବାଟ ଲମ୍ବିଛି ତାହା ଜାଣିବା ଅତ୍ୟନ୍ତ କଷ୍ଟକର। କାରଣ ବିଚାରପତିମାନେ ସାଧାରଣ ଲୋକଙ୍କଠାରୁ ବହୁ ଦୂରରେ ରହୁଥିବାରୁ ସେମାନଙ୍କ କାରନାମା ବିଷୟ ସହଜରେ ପଦାକୁ ଆସି ନ ଥାଏ। ନିକଟ ଅତୀତରେ କଲିକତା ହାଇକୋର୍ଟ ବିଚାରପତି ସୌମିତ୍ର ସେନ ଅର୍ଥ ହଡ଼ପ କରିଥିବା ବିଷୟ ସଂସଦରେ ଆଲୋଚନା ହେବା ପରେ ସେ ଚାକିରି ଛାଡ଼ିଦେଇଥିଲେ। ସେହିଭଳି ସେତେବେଳେ ସିକିମ୍‌ ହାଇକୋର୍ଟ ମୁଖ୍ୟ ବିଚାରପତି ପି.ଡି. ଦିନାକରନ୍‌ଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ସେ ପଦବୀରୁ ଇସ୍ତଫା ଦେଇଥିଲେ। ତାଲିକା କଲେ ଲମ୍ବି ଚାଲିବ।
ବିଚାରପତିମାନେ ଦୁର୍ନୀତିଗ୍ରସ୍ତ ଓ ଖୋଲାଖୋଲି ପକ୍ଷପାତିତା କରନ୍ତି ବୋଲି କହିଦେବା ସହଜ ହୋଇପାରେ। ଅଦାଲତ ଅବମାନନାରେ ପକାଇଦେବାରେ ସେମାନେ ଧୁରନ୍ଧର ଓ ସମଗ୍ର ଦେଶକୁ ଅନେକ ଦଶନ୍ଧି ଧରି ଧମକାଇ ରଖିଛନ୍ତି ବୋଲି ସାଧାରଣରେ ଜଣାଶୁଣା। କିନ୍ତୁ ଏସବୁ ଯେତିକି କ୍ଷତି କରୁଛି ତାହାଠାରୁ କାହିଁ ଅଧିକ କ୍ଷତି ଘଟୁଛି ଯେଉଁ ଅପରପକ୍ଷ ମାମଲାକୁ ହାରୁଛି। ଯଶଓ୍ବନ୍ତ ଭର୍ମାଙ୍କ ଉଦାହରଣ ଦେଖିଲେ ତାଙ୍କର ଏହି ବିପୁଳ ନଗଦ ଟଙ୍କା କୌଣସି ଏକ ବା ଅନେକ ମାମଲାରୁ ଆଦାୟ କରାଯାଇଥାଇପାରେ। ତାଙ୍କ ରାୟ ଦ୍ୱାରା ବିଗତ ବର୍ଷଗୁଡ଼ିକରେ ଯେକୌଣସି ପକ୍ଷ ଜିତିଛି, ସମସ୍ତେ ଆଜି ସନ୍ଦେହଘେରକୁ ଆସିଗଲେଣି। ସେହିଭଳି ତାଙ୍କ ରାୟ ଦ୍ୱାରା ପରାଜିତ ହୋଇଥିବା ପକ୍ଷ ଯେଉଁମାନେ ପ୍ରବଳ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି, ସେମାନେ ସମସ୍ତେ ନିର୍ଦ୍ଦୋଷରେ ଶାସ୍ତି ପାଇଛନ୍ତି ବୋଲି ଧରିନେବାକୁ ହେବ। ଦକ୍ଷିଣ ଆଫ୍ରିକାରେ ଏକ ଢଗ ଅଛି ଯାହାର ଅର୍ଥ- ‘ଓକିଲକୁ କାହିଁକି ପଇସା ଦବ, ଯଦି ବିଚାରପତିଙ୍କୁ କିଣିପାରିବ’। ସମ୍ଭବତଃ ଭାରତରେ ଏହି ଢଗ ସତ୍ୟ ବୋଲି ପ୍ରମାଣିତ ହୋଇଚାଲିଛି। ଶେଷରେ ପ୍ରଶ୍ନ ହୋଇପାରେ- ଏହି ବ୍ୟବସ୍ଥାରେ କ’ଣ ଯଶଓ୍ବନ୍ତ ଭର୍ମା ଏକାକୀ ଅଛନ୍ତି ?


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ ବିଶ୍ୱକପ୍ ପୂର୍ବରୁ ଭାରତର ହୁଙ୍କାର: ୱାର୍ମ-ଅପ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇଲା

ନଭି ମୁମ୍ବାଇ,୪ା୨: ଟି୨୦ ବିଶ୍ୱକପ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳ ନିଜର ଶେଷ ପ୍ରସ୍ତୁତି ଶେଷ କରିଛି। ନଭି ମୁମ୍ବାଇର ଡି.ୱାଇ ପାଟିଲ ସ୍ପୋର୍ଟସ…

ସଞ୍ଜୁ ସାମସନଙ୍କ ପାଇଁ ବନ୍ଦ ହେବ କି ବିଶ୍ୱକପ୍ ଦ୍ୱାର? କ୍ୟାପଟେନ୍ ସୂର୍ଯ୍ୟାଙ୍କ ସଙ୍କେତ ପରେ ଚର୍ଚ୍ଚା ଜୋର

ନୂଆଦିଲ୍ଲୀ,୪ା୨: ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ ଅନୁଷ୍ଠିତ ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ଦଳର ରଣନୀତି ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ…

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri