UPIରେ ବନ୍ଧୁଙ୍କୁ ୫,୦୦୦ ଟଙ୍କା ପଠାଇଲେ ଲାଗିବ ଏକ୍ସଷ୍ଟ୍ରା ଚାର୍ଜ? ଜାଣନ୍ତୁ P2P-P2M ପେମେଣ୍ଟର ପାର୍ଥକ୍ୟ

ନୂଆଦିଲ୍ଲୀ,୧୫।୯ : ଆଜିକାଲି ମୋବାଇଲରେ କିଛି ସେକେଣ୍ଡ ମଧ୍ୟରେ ଟଙ୍କା ପଠାଇବା ପାଇଁ UPI ସବୁଠାରୁ ସହଜ ମାଧ୍ୟମ ପାଲଟିଛି। ବନ୍ଧୁଙ୍କୁ ଟଙ୍କା ପଠାଇବା ହେଉ କି ଘରର ବିଲ ପୈଠ କରିବା, ଅଥବା ଦୋକାନରୁ ସାମଗ୍ରୀ କିଣିବାସବୁ କ୍ଷେତ୍ରରେ UPI ବ୍ୟବହାର ବଢ଼ିଛି।
ତେବେ ଅନେକଙ୍କ ମନରେ ପ୍ରଶ୍ନ ରହିଥାଏ ଯେ, UPIରେ ବନ୍ଧୁଙ୍କୁ ୫,୦୦୦ ଟଙ୍କା ପଠାଇଲେ କ’ଣ ଅଲଗା ଚାର୍ଜ ଦେବାକୁ ପଡ଼ିବ? ସେହିପରି ଦୋକାନ କିମ୍ବା ଅନଲାଇନ ପ୍ଲାଟଫର୍ମରେ UPIରେ ପେମେଣ୍ଟ କଲେ ନିୟମ କ’ଣ? ଏହା ବୁଝିବା ପାଇଁ ପ୍ରଥମେ P2P ଓ P2M ପେମେଣ୍ଟ ମଧ୍ୟରେ ଥିବା ଫରକ ଜାଣିବା ଜରୁରୀ।

P2Pର ଅର୍ଥ ହେଉଛି Person-to-Person, ଅର୍ଥାତ୍‌ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଟଙ୍କା ପଠାଇବା। ଉଦାହରଣ ସ୍ବରୂପ, ଆପଣ ନିଜ ବନ୍ଧୁଙ୍କୁ ୫,୦୦୦ ଟଙ୍କା ପଠାଇଲେ, ମାତାପିତାଙ୍କୁ ଟଙ୍କା ଟ୍ରାନ୍ସଫର କଲେ କିମ୍ବା କୌଣସି ସମ୍ପର୍କୀୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ UPI ମାଧ୍ୟମରେ ଟଙ୍କା ପଠାଇଲେ, ତାହା P2P ପେମେଣ୍ଟ ଅଟେ।

ସାଧାରଣ ବ୍ୟାଙ୍କ ଆକାଉଣ୍ଟରୁ କରାଯାଉଥିବା ଏପରି UPI ଟ୍ରାନ୍ସଫର ପାଇଁ ଗ୍ରାହକଙ୍କଠାରୁ ଅଲଗା ଚାର୍ଜ ନିଆଯାଏ ନାହିଁ। ଅର୍ଥାତ୍‌ ଆପଣ ବନ୍ଧୁଙ୍କୁ ୫,୦୦୦ ଟଙ୍କା ପଠାଇଲେ, ଆପଣଙ୍କ ଆକାଉଣ୍ଟରୁ ୫,୦୦୦ ଟଙ୍କା ଡେବିଟ ହେବ ଏବଂ ଅନ୍ୟ ପଟେ ୫,୦୦୦ ଟଙ୍କା ହିଁ ପହଞ୍ଚିବ। P2Mର ଅର୍ଥ ହେଉଛି Person-to-Merchant, ଅର୍ଥାତ୍‌ ଜଣେ ବ୍ୟକ୍ତି କୌଣସି ବ୍ୟବସାୟୀ, ଦୋକାନ କିମ୍ବା କମ୍ପାନୀକୁ ପେମେଣ୍ଟ କରିବା।

ଉଦାହରଣ ସ୍ବରୂପ, ଆପଣ ଦୋକାନରୁ ୫,୦୦୦ ଟଙ୍କାର ସାମଗ୍ରୀ କିଣି ଦୋକାନୀଙ୍କ UPI QR କୋଡ ସ୍କାନ କରି ପେମେଣ୍ଟ କଲେ, ଏହା P2M ଟ୍ରାନ୍ସାକ୍ସନ। ସେହିପରି ଅନଲାଇନ ଶପିଂ ସମୟରେ UPI ମାଧ୍ୟମରେ କରାଯାଉଥିବା ପେମେଣ୍ଟ ମଧ୍ୟ ମର୍ଚ୍ଚାଣ୍ଟ ଟ୍ରାନ୍ସାକ୍ସନ ଅଟେ। ଦିଆଯାଇଥିବା ତଥ୍ୟ ଅନୁସାରେ, ବାର୍ଷିକ ୧.୫ କୋଟି ଟଙ୍କାରୁ ଅଧିକ ଟର୍ଣ୍ଣଓଭର ଥିବା ବ୍ୟବସାୟୀଙ୍କ ପାଇଁ ୨,୦୦୦ ଟଙ୍କାରୁ ଅଧିକ ଟ୍ରାନ୍ସାକ୍ସନ ଉପରେ ୦.୩%ରୁ ୦.୫% ପର୍ଯ୍ୟନ୍ତ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ (MDR) ଲାଗୁ କରିବା ନେଇ ପ୍ରସ୍ତାବ ଆସିଛି।
ଏହା ମୁଖ୍ୟତଃ ମର୍ଚ୍ଚାଣ୍ଟ ପେମେଣ୍ଟ ସହ ଜଡ଼ିତ ବିଷୟ। ତେଣୁ ଏହାକୁ ନେଇ ସାଧାରଣ ଗ୍ରାହକଙ୍କ UPI ପେମେଣ୍ଟ ଉପରେ ସିଧାସଳଖ ଚାର୍ଜ ଲାଗିବ ବୋଲି ଧରିନେବା ଠିକ ନୁହେଁ। UPIରେ ପେମେଣ୍ଟ କରୁଥିବା ସମୟରେ ଗ୍ରାହକଙ୍କୁ ପେମେଣ୍ଟ ସ୍କ୍ରିନ୍‌ରେ ଦେଖାଯାଉଥିବା ଅନ୍ତିମ ରାଶି ଯାଞ୍ଚ କରିବା ଉଚିତ। ଦୋକାନୀଙ୍କ ମର୍ଚ୍ଚାଣ୍ଟ ଚାର୍ଜ ଓ ଗ୍ରାହକଙ୍କ UPI ପେମେଣ୍ଟ ଚାର୍ଜ ଦୁଇଟି ଭିନ୍ନ ବିଷୟ।
ସରଳ ଭାବେ କହିଲେ, ବନ୍ଧୁଙ୍କୁ ୫,୦୦୦ ଟଙ୍କା ପଠାଇବା ଏବଂ ଦୋକାନୀଙ୍କୁ ୫,୦୦୦ ଟଙ୍କା ପେମେଣ୍ଟ କରିବାଦୁଇଟି ଟ୍ରାନ୍ସାକ୍ସନର ରାଶି ସମାନ ହେଲେ ମଧ୍ୟ କ୍ୟାଟେଗୋରୀ ଅଲଗା। ତେଣୁ UPI ପେମେଣ୍ଟ କରିବା ପୂର୍ବରୁ କାହାକୁ ପେମେଣ୍ଟ କରୁଛନ୍ତି ଏବଂ ସ୍କ୍ରିନ୍‌ରେ କେତେ ରାଶି ଦେଖାଯାଉଛି, ତାହା ନିଶ୍ଚିତ ଭାବେ ଯାଞ୍ଚ କରନ୍ତୁ।

Dharitri – Odisha’s No.1 Odia Daily

Share