ଶାହିଦଙ୍କ ‘ଜର୍ସି’ ସୁପର ଫ୍ଲପ୍‌

ବମ୍ବେ: ଦର୍ଶକଙ୍କୁ ମନୋରଞ୍ଜନ କରିବାରେ ବିଫଳ ହୋଇଛି ‘ଜର୍ସି’। ଏପ୍ରିଲ ୨୨ରେ ସିନେମାଘରେ ରିଲିଜ ହୋଇଥିଲା ଫିଲ୍ମ। ପ୍ରଥମ ଦିନରୁ ଏହା ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଥିଲା। ହେଲେ ତାହା ହୋଇନାହିଁ। ହିଟ୍‌ ହେବା ପରିବର୍ତ୍ତେ ଫିଲ୍ମଟି ‘ସୁପର ଫ୍ଲପ୍‌’ ହେବ ବୋଲି ଚର୍ଚ୍ଚା ବଢ଼ିବାରେ ଲାଗିଛି।

ଅଭିନେତା ଶାହିଦ କପୁର ଏବଂ ଅଭିନେତ୍ରୀ ମୃଣାଳ ଠାକୁର ଅଭିନୀତ ଏହି ଫିଲ୍ମ ରିଲିଜର ପଞ୍ଚମ ଦିନରେ ଖରାପ ବ୍ୟବସାୟ କରିଛି। ମଙ୍ଗଳବାର ଏହା ମାତ୍ର ୧.୪୦ କୋଟି ରୋଜଗାର କରିଛି। ଏହାପରେ ଫିଲ୍ମର କଲେକ୍ସନ ପ୍ରାୟ ୧୭ କୋଟି ଟଙ୍କା ହୋଇଛି। ଏଭଳି ସ୍ଥିତିକୁ ଦେଖି ସେ ମୋଟ ୨୦ କୋଟି ବ୍ୟବସାୟ କରିପାରିବ ବୋଲି କୁହାଯାଉଛି।

ଶାହିଦଙ୍କ ଏହି ଫିଲ୍ମ ‘ଜର୍ସି’ ସାଉଥ୍‌ ଫିଲ୍ମର ହିନ୍ଦି ରିମେକ। ୨୦୧୯ରେ ନିର୍ମାଣ ହୋଇଥିବା ଏହି ଦକ୍ଷିଣ ଭାରତୀୟ ସିନେମା ସୁପରହିଟ୍‌ ହୋଇଥିଲା। ଏଣୁ ହିନ୍ଦୀରେ ମଧ୍ୟ ଏହା ହିଟ୍‌ ହେବ ବୋଲି ଆଶା କରାଯାଉଥିଲା। ହେଲେ କେଜିଏଫ୍‌-୨ ସହ ରିଲିଜ ହେବା ଯୋଗୁ ଫିଲ୍ମ ଉପରେ ପ୍ରଭାବ ପଡ଼ିଛି। ଏଥିସହ ପୂର୍ବ ଫିଲ୍ମଟି ଦେଖି ନେଇଥିବା ଯୋଗୁ ଦର୍ଶକ ଶାହିଦଙ୍କ ଫିଲ୍ମକୁ ଦେଖିବାକୁ ଚାହୁଁ ନ ଥିବା କୁହାଯାଉଛି।

Share