ଟପ୍ପର ହେବା ଜରୁରୀ କି

ନିକଟରେ ପ୍ରକାଶ ପାଇଥିବା ସିିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଫଳକୁ ନେଇ ଓଡ଼ିଶା ସାରା ଚର୍ଚ୍ଚା। କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଅନେକ ଛାତ୍ରୀଛାତ୍ର ଶତକଡା ଶହେ ନମ୍ବର ରଖି ଟପ୍ପର ହୋଇଛନ୍ତି। ଆଗକୁ ଅନ୍ୟ ବୋର୍ଡର ପରୀକ୍ଷାଫଳ ବାହାରିବା ବାକି ଅଛି। ତେଣୁ ଟପ୍ପରଙ୍କ ସଂଖ୍ୟା ବଢ଼ିବା ନିଶ୍ଚିତ। ପ୍ରତିବର୍ଷ ଦେଶସାରା ଏମିତି ଅନେକ ପରୀକ୍ଷା ହୁଏ, ଅନେକ ଜଣ ଟପ୍ପର ହୁଅନ୍ତି। ମିଡିଆରେ ସେମାନଙ୍କୁ ନେଇ ଘମାଘୋଟ ଖବର ପ୍ରସାରଣ କରାଯାଏ। ପରେ ଏ ସମ୍ପର୍କିତ ଖବର ଜନମାନସରୁ ଲିଭିଯାଏ। ପ୍ରତିବର୍ଷ ଏମିତି ଅନେକ ଟପ୍ପର ହୁଅନ୍ତି, ତେଣୁ ସ୍ବାଭାବିକ ଭାବେ କେହି ମନେରଖନ୍ତି ନାହିଁ। ଏତେ ପରେ ବି ଟପ୍ପର ହେବା ଅସଲରେ ଦୀର୍ଘସ୍ଥାୟୀ ସଫଳତା ନୁହେଁ। ଟପ୍ପର ହେବା ନିହାତି ଭାବରେ ପରିଶ୍ରମର ଫଳ। କିନ୍ତୁ ଟପ୍ପର ହେବା ବ୍ୟକ୍ତିର ସର୍ବକାଳୀନ ପରିଚୟ ନୁହେଁ। ପ୍ରତ୍ୟେକ ବ୍ୟକ୍ତି ନିଜ କର୍ମରେ କେତେ ଦକ୍ଷ, କେତେମାତ୍ରାରେ ସୃଜନଶୀଳ ଏବଂ ଅନ୍ୟମାନଙ୍କଠାରୁ ସେ କିପରି ଭିନ୍ନ ତାହା ହିଁ ମଣିଷର ଅସଲ ପରିଚୟ। ଆଉ ସେହି ପରିଚୟ ନିହାତି ନିଜସ୍ବ ଏବଂ ଚିରକାଳ। ଅନ୍ୟ କେହି ଚେଷ୍ଟାକଲେ ବି ସେ ଯୋଗ୍ୟତା କାହା ପାଖରୁ ଛଡ଼ାଇ ନେଇପାରିବ ନାହିଁ।
ପ୍ରତିବର୍ଷ ଅନେକ ପିଲା ବିଭିନ୍ନ ପରୀକ୍ଷା ଦ୍ୱାରା ବୈଜ୍ଞାନିକ, ଡାକ୍ତର, ପ୍ରଶାସନିକ ଇତ୍ୟାଦି କ୍ଷେତ୍ରରେ ନିଯୁକ୍ତି ପାଆନ୍ତି। ସେଥିମଧ୍ୟରୁ ଅନେକ ଟପ୍ପର ବି ଥାଆନ୍ତି। ସେମାନେ ଯେ କେତେ ପାରଦର୍ଶୀ ତାହା ସେମାନଙ୍କ ଟପ୍ପର ହେବା କିମ୍ବା ମାର୍କ ଉପରେ ନିର୍ଭର କରେନାହିଁ। ଯିଏ ଯେଉଁ ଉପାୟରେ ସତ୍‌ମାର୍ଗରେ ସୃଜନଶୀଳ ଏବଂ ଦକ୍ଷ, ସେ ସେହି ଉପାୟରେ ନିଜର ପରିଚୟ ସୃଷ୍ଟିକରେ। ସେହି ଡାକ୍ତରଙ୍କ ପାଖରେ ରୋଗୀଙ୍କର ଅଧିକ ଭିଡ଼ ହୁଏ, ଯିଏ ଭଲ ଚିକିତ୍ସା କରନ୍ତି। ସେଇ ଗାୟକର ଗୀତ ଲୋକ ଅଧିକ ଶୁଣନ୍ତି, ଯିଏ ଭଲ ଗୀତ ଗାଇପାରନ୍ତି। ଲୋକମାନେ ଏମାନଙ୍କୁ ପସନ୍ଦ କରିବା ସହ ମାର୍କ କିମ୍ବା ଟପ୍ପର ହେବାର କୌଣସି ସମ୍ପର୍କ ନ ଥାଏ। ମୋର କହିବା କଥା ନୁହେଁ ଯେ ଟପ୍ପର ପିଲା ଦକ୍ଷ କିମ୍ବା ଯୋଗ୍ୟ ନୁହନ୍ତି। ଅସଲରେ କହିବା କଥା ଟପ୍ପର ହେବା ମଣିଷର ପରିଚୟ ନୁହେଁ। ଆପଣ ଆପଣଙ୍କ କାମରେ କେତେ ଭିନ୍ନ, କେତେ ସୃଜନଶୀଳ ତାହା ହିଁ ଆପଣଙ୍କ ପରିଚୟ। ଏଥିରେ ଟପ୍ପର ସହ କିଛି ସମ୍ପର୍କ ନାହିଁ।
ଆପଣ କେତେ ଦକ୍ଷ କିମ୍ବା ଆପଣଙ୍କ ଜ୍ଞାନର ଗଭୀରତା ପାଇଁ ମାର୍କ କେବେ ବି ମାପକ ନୁହେଁ। ସର୍ବଦା ନିଯୁକ୍ତି ପାଇଁ ମାର୍କଠାରୁ ଦକ୍ଷତା ଲୋଡ଼ା। ବର୍ତ୍ତମାନ ଅନ୍ୟମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଅଯାଚିତ ଭାବରେ ପିଲାମାନଙ୍କ ଉପରେ ମାର୍କ ପାଇଁ ଚାପ ପକାଯାଉଛି, ଯାହା ଭବିଷ୍ୟତ ପିଢ଼ି ପାଇଁ ମାରାତ୍ମକ। ନିଯୁକ୍ତି ପାଖରୁ ଆରମ୍ଭକରି ବ୍ୟକ୍ତି ବିକାଶ ଯାଏ ସବୁସ୍ଥାନରେ ଦକ୍ଷତା ଲୋଡ଼ା। ଦକ୍ଷତା ସବୁବେଳେ ମଣିଷର ପରିଚୟ ସୃଷ୍ଟି କରେ। ଆଜି ସମାଜରେ ପ୍ରତିଷ୍ଠିତ ହୋଇଥିବା ସମସ୍ତ ସଫଳତମ ବ୍ୟକ୍ତି ନିଜର ମାର୍କ କିମ୍ବା ଟପ୍ପର ହୋଇଥିବା କାରଣରୁ ସେମାନେ ପ୍ରତିଷ୍ଠିତ ନୁହନ୍ତି। ସମସ୍ତେ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ସୃଜନଶୀଳ ଭାବେ ଦକ୍ଷ ଯୋଗୁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଆପଣଙ୍କ ଜୀବନର ଦିଗ ଏବଂ ଭବିଷ୍ୟତର ପନ୍ଥା ଆପଣଙ୍କ ସାର୍ଟିଫିକେଟ ନିର୍ଦ୍ଧାରଣ କରିପାରିବ ନାହିଁ। ଜୀବନରେ ଆଗକୁ ବଢ଼ିବା ପାଇଁ ଜ୍ଞାନ ନିହାତି ଆବଶ୍ୟକ।
ଉଭୟ ଦକ୍ଷତା ଏବଂ ସୃଜନଶୀଳ ପାଇଁ ପାଠ ନିହାତି ଜରୁରୀ। ଆପଣ ଯେତେମାତ୍ରାରେ ବିଦ୍ୟା ଗ୍ରହଣ କରିପାରିବେ, ସେତେମାତ୍ରାରେ ଆପଣ ନିଜକୁ ଦକ୍ଷ କରିପାରିବେ। ଇତିହାସ କୁହେ, ପୃଥିବୀର ଜୀବନଶୈଳୀରେ ନୂତନ ଦିଗ ଆଣିଥିବା ବ୍ୟକ୍ତିବିଶେଷ କଲେଜ ଟପ୍ପର କିମ୍ବା ଉଚ୍ଚ ମାର୍କଧାରୀ ବ୍ୟକ୍ତି ନ ଥିଲେ। ସେମାନଙ୍କ ମଧ୍ୟରୁ ଅନେକ କଲେଜ ଡ୍ରପ୍‌ଆଉଟ ଥିଲେ। ଏପରି କି ଶିକ୍ଷାନୁଷ୍ଠାନ କେବେ ପହଞ୍ଚତ୍ପାରି ନ ଥିଲେ। କେବଳ ନିଜର ଉଚ୍ଚ ଦକ୍ଷତା ପାଇଁ ସେମାନେ ଆଜି ଅମର। ନିଜ ଦକ୍ଷତାକୁ ସମୟ ଅନୁପଯୋଗୀ ପରିବର୍ତ୍ତନ ଏବଂ ପରିମାର୍ଜିତ କରିବା ପାଇଁ ଶିକ୍ଷା ନିହାତି ଜରୁରୀ। ଅସଲରେ ଜୀବନରେ ଶିକ୍ଷା ଗ୍ରହଣର କେବେ ଶେଷ ତାରିଖ ନ ଥାଏ। ଜୀବନସାରା ମଣିଷକୁ ଶିଖିବାକୁ ପଡ଼େ। ଯେଉଁ ବ୍ୟକ୍ତି ଯେତେମାତ୍ରାରେ ଶିଖିବାକୁ ଆଗ୍ରହୀ, ସେ ସେତେମାତ୍ରାରେ ଅନ୍ୟମାନଙ୍କଠାରୁ ଉତ୍କୃଷ୍ଟ। ଟପ୍ପର ହେବା ଅପରାଧ ନୁହେଁ କିମ୍ବା ଖରାପ ବି ନୁହେଁ। ଜଣେ ଭଲ ପାଠ ପଢ଼ିଲେ ହିଁ ଟପ୍ପର ହୋଇପାରିବ ତାହା ସତ୍ୟ, କିନ୍ତୁ ଟପ୍ପର ହେବା ଆପଣଙ୍କ ସାରାଜୀବନ ପାଇଁ ପରିଚୟ ହୋଇପାରିବ ନାହିଁ, ତାହା ହିଁ ସବୁଠାରୁ କଠୋରତମ ସତ୍ୟ। ଆପଣ କେତେଦକ୍ଷ, କେତେମାତ୍ରାରେ ସୃଜନଶୀଳ ତାହା ହିଁ ମଣିଷର ଅସଲ ପରିଚୟ।
କଣିପାଳ, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ମୋ: ୯୮୬୧୦୬୮୪୫୬

Odisha’s No.1 Odia Daily

Share