କୌଣସି ହୋଟେଲରେ ରହିବା ସମୟରେ ଆମେ ସାଧାରଣତଃ କୋଠରୀର ପରିଷ୍କାର ପରିଚ୍ଛନ୍ନତା, ବେଡ୍ ଏବଂ ଅନ୍ୟାନ୍ୟ ସୁବିଧା ଉପରେ ଅଧିକ ଧ୍ୟାନ ଦେଇଥାଉ। କିନ୍ତୁ କେବେ ଆପଣ ଚିନ୍ତା କରିଛନ୍ତି କି, ଆପଣ ଯେଉଁ ରୁମରେ ବିଶ୍ରାମ ନେଉଛନ୍ତି, ସେଠାରେ କୌଣସି ଲୁକ୍କାୟିତ କ୍ୟାମେରା (Hidden Camera) ଥାଇପାରେ? ଆଜିକାଲି ହିଡନ୍ କ୍ୟାମେରାଗୁଡ଼ିକ ଏତେ କ୍ଷୁଦ୍ର ହୋଇଗଲାଣି ଯେ, ଏଗୁଡ଼ିକୁ ସହଜରେ ଘଣ୍ଟା, ଲାଇଟ୍ ବଲ୍ବ୍, ସ୍ମୋକ୍ ଡିଟେକ୍ଟର (ଧୂଆଁ ଚିହ୍ନଟକାରୀ ଯନ୍ତ୍ର), ଚାର୍ଜର ଏବଂ ଅନ୍ୟାନ୍ୟ ଜିନିଷ ମଧ୍ୟରେ ଲୁଚାଇ ରଖାଯାଇପାରୁଛି। ଯାହାଫଳରେ ଆପଣଙ୍କ ବ୍ୟକ୍ତିଗତ ଗୋପନୀୟତା ପ୍ରତି ବିପଦ ସୃଷ୍ଟି ହୋଇପାରେ।
ତେବେ ଭଲ କଥାଟି ହେଉଛି, ହିଡନ୍ କ୍ୟାମେରା ଖୋଜିବା ପାଇଁ ଆପଣଙ୍କୁ କୌଣସି ମହଙ୍ଗା ଗ୍ୟାଜେଟ୍ କିଣିବାର ଆବଶ୍ୟକତା ନାହିଁ। ଆପଣଙ୍କ ସ୍ମାର୍ଟଫୋନ୍ ହିଁ ଏହି କାମରେ ଆପଣଙ୍କୁ ବେଶ୍ ସାହାଯ୍ୟ କରିପାରିବ। କେବଳ କିଛି ସହଜ ଉପାୟ ଜାଣିବା ଜରୁରୀ। ଆସନ୍ତୁ ଜାଣିବା ସ୍ମାର୍ଟଫୋନ୍ ଜରିଆରେ ହୋଟେଲ ରୁମର କ୍ୟାମେରା କିପରି ଚେକ୍ କରିବେ:
୧. ପ୍ରଥମେ ରୁମର ଲାଇଟ୍ ବନ୍ଦ କରନ୍ତୁ: ଲୁକ୍କାୟିତ କ୍ୟାମେରା ଚିହ୍ନିବାର ଏକ ସହଜ ଉପାୟ ହେଲା ରୁମର ଲାଇଟ୍ ବନ୍ଦ କରିବା। ଏହାପାଇଁ ପ୍ରଥମେ ରୁମର ସମସ୍ତ ଲାଇଟ୍ ଏବଂ ପରଦା ବନ୍ଦ କରିଦିଅନ୍ତୁ, ଯେପରି ରୁମଟି ଅଳ୍ପ ଅନ୍ଧାର ହୋଇଯିବ। ବର୍ତ୍ତମାନ ଆପଣଙ୍କ ସ୍ମାର୍ଟଫୋନ୍ କ୍ୟାମେରା ଅନ୍ କରି ରୁମରେ ଥିବା ସେହି ସ୍ଥାନଗୁଡ଼ିକୁ ଭଲଭାବେ ଦେଖନ୍ତୁ, ଯେଉଁଠାରେ କ୍ୟାମେରା ଲୁଚାଯାଇପାରିବ। ବିଶେଷକରି ଘଡ଼ି, ଟିଭି, ବଲ୍ବ, ସମୋକ୍ ଡିଟେକ୍ଟର, ଏୟାର କଣ୍ଡିସନର ଏବଂ ସଜ୍ଜା ସାମଗ୍ରୀ ଉପରେ ନଜର ରଖନ୍ତୁ। ଯଦି କୌଣସି ସ୍ଥାନରେ ଏକ ଛୋଟ ଚମକ୍ରୁତ ଲାଇଟ୍ ବା ଲେନ୍ସ ଭଳି ଜିନିଷ ଦୃଶ୍ୟମାନ ହୁଏ, ତେବେ ତାହାକୁ ଭଲଭାବେ ଯାଞ୍ଚ କରନ୍ତୁ।
୨. ସ୍ମାର୍ଟଫୋନ୍ କ୍ୟାମେରା ଦ୍ବାରା ଇନଫ୍ରାଡ୍ ଲାଇଟ୍ ଯାଞ୍ଚ କରନ୍ତୁ କିଛି ହିଡନ୍ କ୍ୟାମେରାରେ ରାତିରେ ଭିଡିଓ ରେକର୍ଡିଂ ପାଇଁ ଇନଫ୍ରାଡ୍ (IR) ଲାଇଟ୍ ବ୍ୟବହାର କରାଯାଇଥାଏ। ଏହି ଲାଇଟ୍ ସାଧାରଣ ଆଖିକୁ ଦୃଶ୍ୟମାନ ହୁଏ ନାହିଁ, କିନ୍ତୁ କିଛି ସ୍ମାର୍ଟଫୋନ୍ କ୍ୟାମେରା ଏହାକୁ ଧରିପାରେ। ଏହାକୁ ଯାଞ୍ଚ କରିବା ପାଇଁ ରୁମର ଲାଇଟ୍ ବନ୍ଦ କରି ଫୋନ୍ କ୍ୟାମେରା ଅନ୍ କରନ୍ତୁ। ଏବେ ରୁମରେ ଥିବା ସନ୍ଦିଗ୍ଧ ସ୍ଥାନଗୁଡ଼ିକ ଆଡ଼କୁ କ୍ୟାମେରା ରଖି ଦେଖନ୍ତୁ। ଯଦି ସ୍କ୍ରିନରେ କୌଣସି ଛୋଟ ବାଇଗଣୀ, ଧଳା କିମ୍ବା ଗୋଲାପୀ ରଙ୍ଗର ଚମକ ଦେଖାଯାଏ, ତେବେ ସେଠାରେ ଯାଞ୍ଚ କରିବା ଜରୁରୀ।
(ଟିପ୍ସ: ପ୍ରଥମେ ଏକ ଟିଭି ରିମୋଟ୍ କ୍ୟାମେରା ସାମନାକୁ ଆଣି ବଟନ୍ ଟିପି ପରୀକ୍ଷା କରିପାରିବେ ଯେ ଆପଣଙ୍କ ଫୋନ୍ ଇନଫ୍ରାଡ୍ ଲାଇଟ୍ ଚିହ୍ନିପାରୁଛି କି ନାହିଁ।)
୩. ମୋବାଇଲ୍ ଫ୍ଲାସଲାଇଟ୍ ସାହାଯ୍ୟରେ କ୍ୟାମେରା ଲେନ୍ସ ଖୋଜନ୍ତୁ: ଏହି ଉପାୟଟି ମଧ୍ୟ ବେଶ୍ ସହଜ ଏବଂ ଏଥିପାଇଁ କୌଣସି ସ୍ୱତନ୍ତ୍ର ଆପ୍ଲିକେସନ୍ର ଆବଶ୍ୟକତା ପଡ଼େ ନାହିଁ। ପ୍ରଥମେ ଆପଣଙ୍କ ସ୍ମାର୍ଟଫୋନ୍ର ଫ୍ଲାସଲାଇଟ୍ (Flashlight) ଅନ୍ କରନ୍ତୁ। ଏବେ ରୁମ୍ ସେହି ଜିନିଷଗୁଡ଼ିକ ଉପରେ ଆଲୋକ ପକାନ୍ତୁ, ଯେଉଁଠାରେ କ୍ୟାମେରା ଲୁକ୍କାୟିତ ହୋଇଥିବା ସନ୍ଦେହ ରହିଛି। କ୍ୟାମେରାର ଛୋଟ ଲେନ୍ସ ଆଲୋକ ପଡ଼ିବା ମାତ୍ରେ କାଚ ଭଳି ଚମକିପାରେ। ଯଦି କୌଣସି ସ୍ଥାନରେ ଅସ୍ୱାଭାବିକ ଚମକ ଦେଖାଯାଏ, ତେବେ ପାଖକୁ ଯାଇ ଏହାକୁ ଯାଞ୍ଚ କରନ୍ତୁ।
୪. Wi-Fi ମାଧ୍ୟମରେ ମଧ୍ୟ ମିଳିପାରେ ସୂଚନା: ହୋଟେଲ ରୁମରେ ଲୁଚି ରହିଥିବା କ୍ୟାମେରା ବିଷୟରେ ଜାଣିବା ପାଇଁ Wi-Fi ନେଟୱାର୍କ ମଧ୍ୟ ସହାୟକ ହୋଇପାରେ। ଅନେକ ୱାଚ୍ଲେସ୍ କ୍ୟାମେରା ଇଣ୍ଟରନେଟ୍ କିମ୍ବା ଲୋକାଲ୍ ନେଟୱାର୍କ ସହିତ ସଂଯୁକ୍ତ ଥାଆନ୍ତି। ଏଭଳି ପରିସ୍ଥିତିରେ ଆପଣ ନିଜ ସ୍ମାର୍ଟଫୋନ୍ Wi-Fi ସେଟିଂସକୁ ଯାଇ ଆଖପାଖରେ ଉପଲବ୍ଧ ନେଟୱାର୍କଗୁଡ଼ିକୁ ଦେଖିପାରିବେ। ଯଦି କୌଣସି ଅଜଣା ନେଟୱାର୍କ ଦେଖାଯାଏ, ତେବେ ଏହାର ନାମ ଉପରେ ଧ୍ୟାନ ଦିଅନ୍ତୁ। କିଛି ନେଟୱାର୍କର ନାମରେ ‘Camera’ କିମ୍ବା ‘CCTV’ ଭଳି ଶବ୍ଦ ଥାଇପାରେ।
୫. ଆପ୍ର ମଧ୍ୟ ନିଆଯାଇପାରିବ ସହାୟତା: ଆଜିକାଲି ସ୍ମାର୍ଟଫୋନରେ ଏଭଳି ଅନେକ ଆପ୍ ଉପଲବ୍ଧ ଅଛି, ଯାହା ହିଡନ୍ କ୍ୟାମେରା ଖୋଜିବାରେ ସାହାଯ୍ୟ କରୁଥିବା ଦାବି କରିଥାଏ। କିନ୍ତୁ ଏହି ଆପ୍ଗୁଡ଼ିକୁ ବ୍ୟବହାର କରିବା ସମୟରେ ସତର୍କ ରୁହନ୍ତୁ, କାରଣ ଏଗୁଡ଼ିକ ସବୁ ପ୍ରକାର ହିଡନ୍ କ୍ୟାମେରା ଧରିପାରିବେ ନାହିଁ।
ଯଦି ରୁମରେ ହିଡନ୍ କ୍ୟାମେରା ମିଳିଯାଏ, ତେବେ କ’ଣ କରିବେ?
ଯଦି ଆପଣଙ୍କୁ ରୁମରେ କୌଣସି ସନ୍ଦିଗ୍ଧ କ୍ୟାମେରା କିମ୍ବା ରେକର୍ଡିଂ ଡିଭାଇସ୍ ନଜର ଆସେ, ତେବେ ପ୍ରଥମେ ଭୟଭୀତ ହୁଅନ୍ତୁ ନାହିଁ।
ପ୍ରମାଣ ପାଇଁ ଏହାର ଫଟୋ ଏବଂ ଭିଡିଓ ସଂଗ୍ରହ କରି ରଖନ୍ତୁ।
ଏହାପରେ ହୋଟେଲ୍ ମ୍ୟାନେଜମେଣ୍ଟକୁ ଏହି ବିଷୟରେ ଅବଗତ କରାନ୍ତୁ ଏବଂ ରୁମ୍ ବଦଳାଇବା କିମ୍ବା ହୋଟେଲ୍ ଛାଡ଼ିବା ପାଇଁ ଦାବି କରନ୍ତୁ।
ଯଦି ଆପଣଙ୍କର ଆଶ୍ୱାସନା ରହିଥାଏ ଯେ ଆପଣଙ୍କ ବ୍ୟକ୍ତିଗତ କାର୍ଯ୍ୟକଳାପ ରେକର୍ଡ କରାଯାଉଛି, ତେବେ ପୋଲିସରେ ଅଭିଯୋଗ କରନ୍ତୁ। ଭାରତରେ ଜରୁରୀକାଳୀନ ସହାୟତା ପାଇଁ ୧୧୨ ନମ୍ବରରେ ଯୋଗାଯୋଗ କରିପାରିବେ।
ସନ୍ଦିଗ୍ଧ ଡିଭାଇସକୁ ନିଜେ ବାହାର କରିବା, ଭାଙ୍ଗିବା କିମ୍ବା ହେରଫେର କରିବା ପାଇଁ ଚେଷ୍ଟା କରିବାରୁ ଦୂରେଇ ରୁହନ୍ତୁ।