ଇନ୍ଦ୍ରାବତୀ ବାମ କେନାଲରୁ ବନ୍ଦ ହେଲା ଜଳସେଚନ

ଭବାନୀପାଟଣା,୧୫।୫(ସ୍ବ.ପ୍ର.): କଳାହାଣ୍ଡି ଜିଲା ଇନ୍ଦ୍ରାବତୀ ବାମ କେନାଲରେ ସୋମବାରଠାରୁ ରବି ଚାଷ ପାଇଁ ଜଳସେଚନ ବନ୍ଦ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ଜାନୁୟାରୀ ୭ ତାରିଖରେ ରବି ଚାଷ ପାଇଁ ବାମ କେନାଲରେ ଜଳ ସେଚନ ଆରମ୍ଭ ହୋଇଥିଲା।

୧୫୨ଟି ଗ୍ରାମର ପ୍ରାୟ ୮୬ ହଜାର ୨୮୫ ଏକର ଚାଷ ଜମିକୁ ଜଳସେଚନ କରାଯାଇଥିଲା। ସେହିପରି ବୃହତ୍ତ ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ ୫୧ଟି ଗ୍ରାମର ୩୨ହଜାର ୪୯୫ ଏକର ଜମିକୁ ଜଳସେଚନ କରାଯାଉଥିଲା। ଏଭଳି ମୋଟ ବାମ କେନାଲ ଓ ବୃହତ୍ତ ଉଠାଜଲସେଚନ ପ୍ରକଳ୍ପ ମାଧ୍ୟମରେ ୨୦୩ଟି ଗ୍ରାମର ପ୍ରାୟ ୧ଲକ୍ଷ ୧୮ହଜାର ୭୮୦ ଏକର ଚାଷ ଜମିକୁ ଜଳସେଚନ କରାଯାଉଥିଲା। ବର୍ତ୍ତମାନ ଧାନ ପାକଳ ଅବସ୍ଥାକୁ ଆସୁଥିବାରୁ ଜଳ ସେଚନର ଆବଶ୍ୟକତା ନ ଥିବା ମନେକରି ସୋମବାର ସନ୍ଧ୍ୟାରେ ମଙ୍ଗଳପୁର ବ୍ୟାରେଜରୁ ବାମ କେନାଲ ଫାଟକକୁ ବନ୍ଦ କରାଯାଇଛି।