Categories: ରାଜ୍ୟ

ମୋବାଇଲ୍‌ରେ ହେବ ଜଳସେଚନ ସମସ୍ୟା ସମାଧାନ

ଭୁବନେଶ୍ୱର,୯ା୧୧(ବ୍ୟୁରୋ)- ଚାଷକାମ ଛାଡ଼ି ଜଳସେଚନ ସମସ୍ୟା ପାଇଁ ଚାଷୀମାନଙ୍କୁ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ। ମୋବାଇଲ୍‌ ଫୋନର ଫଟୋ ଓ ଭିଡିଓ ଜରିଆରେ ଚାଷୀମାନେ ଜଳସେଚନ ସମସ୍ୟା ସମ୍ପର୍କରେ ସିଧା ଜଳସେଚନ ବିଭାଗକୁ ଜଣାଇପାରିବେ। ମୋବାଇଲ୍‌ ଫଟୋରୁ ସମସ୍ୟାର ସମାଧାନ କରାଯିବ। ଅନ୍‌ଲାଇନ ଅଭିଯୋଗ ପରିଚାଳନା ବ୍ୟବସ୍ଥା ‘ସେଚ ସମାଧାନ’ ଚାଷୀମାନଙ୍କ ପାଇଁ ଏହି ସୁବିଧା ଆଣିଛି। ସେଚ ସମାଧାନ ସହିତ ବିଜୁ କୃଷକ ଯୋଜନାରେ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ପାଇଁ ଅନ୍‌ଲାଇନ ଆବେଦନ ପ୍ରକ୍ରିୟା, ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ ଜଳ ଆବଣ୍ଟନ ଆବେଦନ ପ୍ରକ୍ରିୟା, ବ୍ୟବସାୟିକ ଓ ଅନ୍ୟାନ୍ୟ ସମସ୍ତ ପାଇଁ ଆବେଦନ ପୋର୍ଟାଲ ଏହିପରି ୪ଟି ଅନ୍‌ଲାଇନ ସେବା ବ୍ୟବସ୍ଥା ଆରମ୍ଭ କରାଯାଇଛି। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ଜରିଆରେ ଉକ୍ତ ଅନ୍‌ଲାଇନ ସେବା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚାଷୀମାନେ ହେଉଛନ୍ତି ଜଳ ସମ୍ପଦ ବିଭାଗର ସର୍ବବୃହତ୍‌ ହିତାଧିକାରୀ। ଏହି ଅନ୍‌ଲାଇନ ସେବା ଚାଷୀମାନଙ୍କ ଅଭିଯୋଗର ତୁରନ୍ତ ସମାଧାନ ଦିଗରେ ବିଶେଷ ସହାୟକ ହେବ। ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ଦ୍ୱାରା ବିଭାଗକୁ ଅଧିକ ଉତ୍ତରଦାୟୀ ଓ ସ୍ବଚ୍ଛ ସେବା ପ୍ରଦାନରେ ସହାୟକ ହେବ। ଏଥିସହିତ ବିଜୁ କୃଷକ ଯୋଜନାର ଆବେଦନ ପ୍ରକ୍ରିୟାକୁ ମଞ୍ଜୁର କରିବାରେ ମଧ୍ୟ ସମୟୋଚିତ ପଦକ୍ଷେପ ନିଆଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।