ମେଗା ଲିଫ୍ଟ କେନାଲ ଡିଏମ୍‌ ୧୧ରୁ ଜଳସେଚନ ଦାବି

କୋକସରା,୫।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ମୁଖିଗୁଡ଼ା ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲରୁ ଗତବର୍ଷଠାରୁ ଜୟପାଟଣା, କୋକସରା ଓ ଧର୍ମଗଡ଼ ବ୍ଲକ ଅଞ୍ଚଳର ଜମିକୁ ଜଳସେଚନ ଆରମ୍ଭ ହୋଇଥିବା ବେଳେ ରବି ଋତୁ, ଧାନଚାଷ ପାଇଁ ଡିଏମ୍‌ ୧୩ ପର୍ଯ୍ୟନ୍ତ ଜୟପାଟଣା ଓ କୋକସରା ବ୍ଲକର ପାଖାପାଖି ୧୩ ହଜାର ହେକ୍ଟର ଜମିକୁ ଜଳସେଚନ କରାଯିବା ନେଇ କୁସୁମଖୁଣ୍ଟି ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କ ସୂତ୍ରରୁ ସୂଚନା ମିଳିଛି।

ତେବେ ଲଡୁଗାଁ ପଞ୍ଚାୟତ ଦେଇ ଯାଇଥିବା ମେଗା ଲିଫ୍ଟ କେନାଲ ଡିଏମ୍‌ ୧୧ର ଶତାଧିକ ହେକ୍ଟର ଜମି ଜଳସେଚନ ପରିଚାଳନାରେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଜଳସେଚନ ହେଉ ନ ଥିବା ଓ ମରାମତି ଦାବି କରି ଗୁରୁବାର ଲଡୁଗାଁ ପଞ୍ଚାୟତ ଅଞ୍ଚଳର ଚାଷୀମାନେ ମୁଖିଗୁଡା ଇନ୍ଦ୍ରାବତୀ ନିର୍ବାହୀ ଯନ୍ତ୍ରୀ ଅନିଲ କୁମାର ପାଣିଗ୍ରାହୀଙ୍କୁ ସାକ୍ଷାତ୍‌ କରି ଜଳସେଚନ ଦାବିରେ ଦାବିପତ୍ର ପ୍ରଦାନ କରିଛନ୍ତି। ଚାଷୀଙ୍କ ଦାବି ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଚାଷୀ ଦୁର୍ଗା ପ୍ରସାଦ ଅଗ୍ରୱାଲଙ୍କ ନେତୃତ୍ୱରେ ଅଶୋକ ଅଗ୍ରୱାଲ, ପୂର୍ବତନ ସରପଞ୍ଚ କହ୍ନେଇ ଚରଣ ଦାସ, କିଶୋର ଚନ୍ଦ୍ର ଦାସ, ସୁବାସ ଚନ୍ଦ୍ର ଅଗ୍ରୱାଲ, ବ୍ୟୋମକେଶ ସାହୁ, ଗୁଣନିଧି ବାଗ, ଶ୍ରୀମନ୍ତ ପାଢ଼ୀ, ରୁଦ୍ର ପ୍ରସାଦ ଦାସ, ଖଗେଶ୍ୱର ଚୌଧୁରୀ ଏବଂ ଅନ୍ୟ ଚାଷୀମାନେ ଉପସ୍ଥିତ ରହିଥିଲେ।