ଉଇ ମୁହଁରେ ନଥିପତ୍ର

କଟକ ଅଫିସ, ୬।୯: କଟକ ମହାନଗର ନିଗମ (ସିଏମ୍‌ସି)ର ଜନ୍ମମୃତ୍ୟୁ ପଞ୍ଜୀକରଣ ବିଭାଗ ଚୌଧୁରୀ ବଜାରସ୍ଥିତ ବିଜୁ ଭବନରେ କାର୍ଯ୍ୟ କରୁଥିଲା। ସେଠାରେ ନାନା ସମସ୍ୟା ଉପୁଜିବାରୁ ବିକାଶ ଭବନକୁ ସ୍ଥାନାନ୍ତର କରାଗଲା। ତେବେ ଠିକଣା ପରିବର୍ତ୍ତନ ହୋଇଥିଲେ ବି ସମସ୍ୟା ଲାଗିରହିଛି। ଏବେ ସିଏମ୍‌ସିର ଦାୟିତ୍ୱହୀନତା ଯୋଗୁ ଅନେକ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ଉଇ ମୁହଁକୁ ଯିବାକୁ ବସିଲାଣି। କାର୍ଯ୍ୟ ପାଇଁ ଆସୁଥିବା ଦିବ୍ୟାଙ୍ଗ, ମହିଳା ଓ ବରିଷ୍ଠ ନାଗରିକଙ୍କ ବସିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କି କକ୍ଷ ନାହିଁ। ବହୁବାର ଅଭିଯୋଗ ସତ୍ତ୍ବେ ବି କିଛି ପଦକ୍ଷେପ ନିଆଯାଉନାହିଁ। ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି।
ଅଧୀନରେ ଏସ୍‌ସିବି ମେଡିକାଲ, ଶିଶୁଭବନ, ସିଟି ହସ୍ପିଟାଲ ସମେତ ବହୁ ଘରୋଇ ମେଡିକାଲ ରହିଛି। ଏଠାକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ରୋଗୀମାନେ ଚିକିତ୍ସା ପାଇଁ ଆସୁଛନ୍ତି। ରାଜ୍ୟ ସରକାର ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରିଛନ୍ତି। ଯଦି ଶିଶୁ ଜନ୍ମ ହୁଏ କିମ୍ବା କେହି ମୃତ୍ୟୁବରଣ କରେ ତେବେ ତାଙ୍କର ଯେଉଁ ଅଞ୍ଚଳରେ ଜନ୍ମ ବା ମୃତ୍ୟୁ ଘଟିଥିବ ସେଠାକାର ପୌରାଞ୍ଚଳ ବା ମହାନଗର ନିଗମ ପ୍ରମାଣପତ୍ର ଦେଇଥାଏ। ଏଭଳି ପ୍ରମାଣପତ୍ର ପାଇଁ ସିଏମ୍‌ସିକୁ ମଧ୍ୟ ଲୋକେ ଆସୁଛନ୍ତି। ହେଲେ ସେମାନଙ୍କ ବସିବା ପାଇଁ ଚୌକି ନ ଥିବା ବେଳେ ପାନୀୟଜଳ କିମ୍ବା ଶୌଚାଳୟ ବ୍ୟବସ୍ଥା ନାହିଁ। କିଛି ଦିନ ତଳେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଜନ୍ମ ପ୍ରମାଣ ପତ୍ର ଆବେଦନ ପାଇଁ ଆସିଥିଲେ। ତାଙ୍କର ଗୋଡ଼ ଖରାପ ଥିବାରୁ ବେଶୀ ସମୟ ଛିଡ଼ା ହୋଇପାରି ନ ଥିଲେ। ପାଖରେ ମଧ୍ୟ ବସିବାର କୌଣସି ସୁବିଧା ନ ଥିଲା। ଶେଷରେ ସେ ଭାରସାମ୍ୟ ହରାଇ ପଡ଼ିିଯାଇଥିଲେ। ପରେ ତାଙ୍କୁ ଚଟାଣରେ ବସିବାକୁ ପଡ଼ିଥିଲା। କେବେ ଲୋକଙ୍କୁ ଏହି ସବୁ ମୌଳିକ ସୁବିଧା ସିଏମ୍‌ସି ପକ୍ଷରୁ ମିଳିବ ତାହା ପ୍ରଶ୍ନବାଚୀ ହୋଇଛି। ସେହିପରି ବିଭାଗରେ ଥିବା ପୁରୁଣା ନଥିଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ସେଗୁଡ଼ିକରେ ଉଈ ଲାଗିଲାଣି। ଆଉ କିଛିଦିନ ମଧ୍ୟରେ ନଥିପତ୍ରଗୁଡ଼ିକ ସମ୍ପୂର୍ଣ୍ଣ ଉଇ ମୁହଁକୁ ଚାଲିଯିବ। ପୁରୁଣା ନଥିପତ୍ରଗୁଡିକୁ ଡିଜିଟାଇଜେଶନ୍‌ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ମାତ୍ର ଏବେ ବି ନଥିଗୁଡ଼ିକୁ ଚଟାଣରେ ପଡ଼ିରହି ନଷ୍ଟ ହେଉଛି। ଏ ନେଇ ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଡ. ସତ୍ୟବ୍ରତ ମହାପାତ୍ରଙ୍କୁ ପଚାରିବାରେ କହିଛନ୍ତି, କରୋନା ପାଇଁ ସମସ୍ତ କାର୍ଯ୍ୟ ବିଳମ୍ବ ହେଉଛି। ଯାହା ବି ସମସ୍ୟା ରହିଛି ତାହା ଦୂର ପାଇଁ ଆଲୋଚନା ଚାଲିଛି।