ରାସ୍ତା ଉନ୍ନତିକରଣ କାମରେ ଅନିମିୟତତା : ତଦନ୍ତ ପାଇଁ ବିଡିଓଙ୍କୁ ଗୁହାରୀ କଲେ କୁସୁମକଟା ଗ୍ରାମବାସୀ

ଦେବଗଡ,୩୦।୮(ଶଶାଙ୍କ ଶେଖର ଝାଙ୍କର ): ବାରକୋଟ ବ୍ଲକ ଦନ୍ତାରୀବାହାଳ ଗ୍ରାମ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ କୁସୁମକଟାରୁ ଗ୍ରାମ ପଞ୍ଚାୟତ ସଦର ମହକୁମାକୁ ସଂଯୋଗ କରୁଥିବା ମାଟି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିବା ସହ ବ୍ୟବହାର ଅନୁପଯୋଗୀ ହୋଇପଡିଛି । ଫଳରେ ପଞ୍ଚାୟତ କାର୍ଯ୍ୟାଳୟ, ବସଷ୍ଟାଣ୍ଡ, ସାପ୍ତାହିହ ବଜାର , ସ୍କୁୁଲ କଲେଜ , ଦୋକାନ ବଜାର ଓ ଜନସେବା କେନ୍ଦ୍ର ଆଦିକୁ ଯିବା କ୍ଷେତ୍ରରେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି ସ୍ଥାନୀୟ ଲୋକ। ତେବେ ଏହି ରାସ୍ତା ଉପରେ ଯେ କେବଳ କୁସୁମକଟା ଗ୍ରାମର ଗ୍ରାମବାସୀ ନିର୍ଭର କରନ୍ତି ତାହା ନୁହେଁ । ଏହି ରାସ୍ତା ଦେଇ ଓ ପ୍ରତ୍ୟହ ନିକଟସ୍ଥ ଉଟୁଣିଆମୁଣ୍ଡା, ନାଗଡିହୀ ଓ କଦଳୀପାଳ ଗ୍ରାମର ଶହଶହ ଜନସାଧାରଣ ଯାତାୟତ କରନ୍ତି । ମାତ୍ର ପ୍ରଶାସନ ସ୍ଥାୟୀ ଭାବେ ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ କରୁ ନ ଥିବାରୁ ବର୍ଷା ଦିନେ ଉକ୍ତ ରାସ୍ତାର ଅବସ୍ଥା ବେହାଲ ହୋଇପଡୁଛି । ସେହିପରି କେତକ ପଞ୍ଚାୟତସ୍ତରୀୟ ନ୍ୟସ୍ତ ସ୍ବାର୍ଥ୍ୟ ବ୍ୟକ୍ତି ଉକ୍ତ ରାସ୍ତାକୁ ଦୁଧିଆଳୀ ଗାଇ ଭଳି ପ୍ରତ୍ୟେକ ବର୍ଷ ଉକ୍ତ ରାସ୍ତାର ଉନ୍ନତିକରଣ ନାମରେ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ କରୁଥିବାରୁ ରାସ୍ତାର ଅବସ୍ଥାରେ କୌଣସି ସୁଧାର ଆସୁ ନ ଥିବା କୁସୁମକଟା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

କୁସୁମକଟା ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ନିକଟ ଅତୀତରେ ଗ୍ରାମ ପଞ୍ଚାୟତ କର୍ତ୍ତୃପକ୍ଷ ଉନ୍ନତିକରଣ ନାମରେ ଉକ୍ତ ରାସ୍ତାରେ ଗୋଲ ଗୋଲ ଆକାରର ନାଳ ପଥର ବିଛାଇ ଦେଇଥିବାରୁ ରାସ୍ତାଟି ମରଣ ଯନ୍ତାରେ ପରିଣତ ହୋଇଛି । ଫଳରେ ରାସ୍ତାରେ ଗାଡି ମଟର ଯାତାୟାତ କରିବା ଦୂରର କଥା ପାଦରେ ଚାଲିଯିବାରେ ମଧ୍ୟ ଲୋକେ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଆଉ ଛୋଟ ପିଲା , ସ୍କୁଲ କଲେଜ ଛାତ୍ରୀଛାତ୍ର କିମ୍ବା ବୁଢାବୁଢିମାନଙ୍କ କଥା ନ କହିବା ଭଲ । ଏଣୁ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟରେ ହୋଇଥିବା ଅନିୟମିତତାର ତଦନ୍ତ କରିବାସହ ଏହି ସମସ୍ୟାର ସ୍ତାୟୀ ସମାଧାନ ନିମନ୍ତେ କୁସୁମକଟା ଗ୍ରାମବାସୀ ବାରକୋଟ ବିଡିଓଙ୍କ ନିକଟରେ ଲିଖିତ ଦାବି ଜଣାଇଛନ୍ତି । ଗୋକୁଳ ଚନ୍ଦ୍ର ସାହୁ , ସେଗା ମୁଣ୍ଡା, କମାର ମୁଣ୍ଡା, କାଳିଆ ମୁଣ୍ଡା ଓ କୁଳମଣୀ ଦୀପଙ୍କ ନେତୃତ୍ୱରେ କୁସୁମକଟା ଗ୍ରାମର ବହୁ ଗ୍ରାମବାସୀ ବାରକୋଟ ବିଡିଓଙ୍କ କାର୍ଯ୍ୟାଳୟକୁ ଯାଇ ଏ ପ୍ରସଙ୍ଗରେ ଏକ ସ୍ମାରକପତ୍ର ବିଡିଓଙ୍କୁ ପ୍ରଦାନ କରିଛନ୍ତି ।