ବସୁଧା ଯୋଜନାରେ ଅନିୟମିତତା

ଖଇରା,୧୦ା୫ (ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କଣ୍ଟାପଡା ଓ ବଟେଶ୍ୱରଠାରେ  ବସୁଧା ଯୋଜନାରେ ୨ଟି ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହା ଅତ୍ୟନ୍ତ ନିମ୍ନମାନର ହେଉଛି। ଏହି ପ୍ରକଳ୍ପର ସ୍ଥାୟିତ୍ୱ ଉପରେ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ତୁରନ୍ତ ଉକ୍ତ ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯିବା ସହ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ କଣ୍ଟାପଡା, ବଟେଶ୍ୱର, ନାହୁଲ ଆଦି ଗ୍ରାମର ଅଧିବାସୀ ଦାବି କରିଛନ୍ତି।
କଣ୍ଟାପଡାଠାରେ ପାଖାପାଖି ୨ଶହ ପରିବାର ପାଇଁ ୩୦ହଜାର ଲିଟର ପାଣି ଟାଙ୍କି ଥିବା ଏକ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ କଣ୍ଟାପଡା ସଂଲଗ୍ନ ବଟେଶ୍ୱରଠାରେ ୪୦ହଜାର ଲିଟର ବିଶିଷ୍ଟ ପାଣିଟାଙ୍କି ଥିବା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ଯେଉଁ ପ୍ରକଳ୍ପରୁ ୩ଶହ ପରିବାରକୁ ଜଳ ସଂଯୋଗ ଦେବାର ବ୍ୟବସ୍ଥା କରାଯାଇଛି।
ହେଲେ ଠିକାଦାର କଞ୍ଚମାଲ ମିଶ୍ରଣ ଭାଗମାପ ଠିକ୍‌ ନ ରଖିବା କାରଣରୁ ଏବେ ପ୍ରକଳ୍ପ ଅଳ୍ପ ଦିନରେ ଭାଙ୍ଗି ପଡିବାର ଭୟ ଦେଖାଦେଇଛି ବୋଲି ଉଭୟ ଗ୍ରାମର ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି। ସେପଟେ ହରଘର ଜଳ ଯୋଜନାରେ ସମସ୍ତ ପରିବାରକୁ ସଂଯୋଗ ପ୍ରଦାନ କରାଯିବାକୁ ନିର୍ଦ୍ଦେଶନାମା ଥିବା ବେଳେ ବଟେଶ୍ୱରଠାରେ ଅରେକ ପରିବାରକୁ ଏଥିରୁ ବଞ୍ଚିତ କରାଯାଇଥିବା ନେଇ ଉକ୍ତ ଗ୍ରାମର ସ୍ବପ୍ନାନ୍ତ ଦାସ ଅଭିଯୋଗ କରିଛନ୍ତି। ଏହାଛଡା ପାଇପର ମାନ ଠିକ୍‌ ନ ଥିବା କୁହାଯାଉଛି। ଏ ସମ୍ପର୍କରେ ନିର୍ବାହୀ ଯନ୍ତ୍ରୀ ସମୀର ଦେଙ୍କୁ ଯୋଗାଯୋଗ କରିବାରେ ସେ ସହକାରୀ ଯନ୍ତ୍ରୀଙ୍କୁ ପଠାଇ ଏହାର ତଦନ୍ତ କରିବେ ବୋଲି କହିଛନ୍ତି।