ପାଇଖାନା ନିର୍ମାଣରେ ଅନିୟମିତତା

ଖଣ୍ଡପଡ଼ା,୨୨ା୩(ଅଜୟ କୁମାର ମହାରଣା): ଖଣ୍ଡପଡ଼ା ବ୍ଲକ୍‌ ଅଧୀନ ୨୨ ପଞ୍ଚାୟତରେ ସ୍ବଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଯୋଜନାରେ ୨୨ ହଜାର ପାଇଖାନା ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୨୬କୋଟି ୪୦ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା। ଖଣ୍ଡପଡ଼ା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ସୁବ୍ରତ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ସମସ୍ତ ପଞ୍ଚାୟତରେ ୮ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ପଞ୍ଚାୟତ ଲୋକପ୍ରତିନିଧିଙ୍କ ସମେତ ବିଭିନ୍ନ ଏଜେନ୍ସି ଜରିଆରେ ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଥିବା ହିତାଧିକାରୀଙ୍କ ଘରେ ପାଇଖାନା ନିର୍ମାଣ କାର୍ଯ୍ୟ ସହ ଏ ବାବଦରେ ବ୍ଲକ୍‌ ପ୍ରଶାସନ ପକ୍ଷରୁ ବିଲ୍‌ ପୈଠ କରାଯାଇଥିଲା। ଅଧିକାଂଶ ସ୍ଥାନରେ ନିମ୍ନମାନର କାର୍ଯ୍ୟଯୋଗୁ ପାଇଖାନା ଜନସାଧାରଣଙ୍କ କାର୍ଯ୍ୟରେ ନ ଲାଗି ଅବ୍ୟବହୃତ ଅବସ୍ଥାରେ ପଡ଼ିରହିବାରୁ ସାଧାରଣରେ ପ୍ରତିକ୍ରୀୟା ପ୍ରକାଶ ପାଇଥିଲା। ପରେ ପାଇଖାନା ନିର୍ମାଣରେ ହୋଇଥିବା ଦୁର୍ନୀତି ଓ ଅନିୟମିତତାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସେହି ସମୟରେ ଖଣ୍ଡପଡ଼ା ବିଡ଼ିଓ ଓ ଜିଲ୍ଲା ପ୍ରଶାସନ ନିକଟରେ ହିତାଧିକାରୀମାନେ ଅଭିଯୋଗପତ୍ର ଦାଖଲ କରିଥିଲେ। ମାତ୍ର ପ୍ରଶାସନ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ତଦନ୍ତରେ ଶିଥିଳତା ଯୋଗୁ ପରେ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଲୋକାୟୁକ୍ତଙ୍କ ନିକଟରେ ଏ ସମ୍ପର୍କୀତ ଅଭିଯୋଗପତ୍ର ଦାଖଲ କରିଥିଲେ। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଖଣ୍ଡପଡ଼ା ବ୍ଲକ୍‌ ଅଧୀନ ସିଂଘାପଡ଼ା, ଗଡ଼ିଆସାହି, କିଆଝର, ମର୍ଦ୍ଦରାଜପୁର, କୋସ୍‌କା, କଣ୍ଟିଲୋ ଆଦି ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମରେ ପାଇଖାନା ନିର୍ମାଣରେ ହୋଇଥିବା ଦୁର୍ନୀତି ଓ ଅନିୟମିତତାର ତଦନ୍ତ କରାଯାଇଥିଲା। ତଦନ୍ତ ରିପୋର୍ଟ ଅନୁଯାୟୀ ଅଭିଯୋଗର ସତ୍ୟତା ଥିବା ଜଣାପଡ଼ିବା ସହ ସରକାରଙ୍କ ପକ୍ଷରୁ ପାଇଖାନା ନିର୍ମାଣ ବାବଦରେ ମଞ୍ଜୁର ହୋଇଥିବା ଅନୁଦାନ ଅର୍ଥରୁ ୭୪ ପ୍ରତିଶତ ଅର୍ଥ ବାଟମାରଣା ହୋଇଥିବା ଜଣାପଡ଼ିଥିଲା। ତଦନ୍ତ ରିପୋର୍ଟକୁ ଆଧାର କରି ପାଇଖାନା ନିର୍ମାଣ କରିଥିବା ୮ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ କଳା ତାଲିକା ଭୁକ୍ତ କରିବା ପାଇଁ ଲୋକାୟୁକ୍ତ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଖଣ୍ଡପଡ଼ା ବ୍ଲକ୍‌ର ତତ୍କାଳୀନ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କନିଷ୍ଠଯନ୍ତ୍ରୀ ସୁବ୍ରତ କୁମାର ସାହୁଙ୍କ ସମେତ ତତ୍କାଳୀନ ବିଡ଼ିଓ ପ୍ରମୋଦ କୁମାର ନାଏକ, ଶିବାନନ୍ଦ ସ୍ବାଇଁ, ଗୌରବମୟ ପ୍ରଧାନଙ୍କ ସମେତ ତତ୍କାଳୀନ ବିଭାଗୀୟ ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଥିବା ଏ ସମ୍ପର୍କୀତ ନିର୍ଦ୍ଦେଶନାମା ପତ୍ରରୁ ଜଣାପଡ଼ିଛି।