ଶିକ୍ଷା ବିଭାଗରେ ଅନିୟମିତତା: ସନ୍ଦେହ ଘେରରେ ଜିଲା ପ୍ରଶାସନ

ଦେବଗଡ଼,୧୮ା୪(ଶଶାଙ୍କ ଶେଖର ଝାଙ୍କର):ଦେବଗଡ଼ ଜିଲା ଶିକ୍ଷା ବିଭାଗରେ ଅନିୟମିତତା କରାଯାଇ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଡେପୁଟେଶନ କରାଯାଇଥିବା ଜଣାପଡ଼ିବା ପରେ ୪୮ଜଣଙ୍କ ଡେପୁଟେଶନ ବାତିଲ କରାଯାଇଛି। ସେମାନଙ୍କୁ ମୂଳ ସ୍କୁଲକୁ ଫେରାଇ ଆଣିବା ଲାଗି ଜିଲାପାଳ ଶିକ୍ଷା ବିଭାଗକୁ ଚିଠି କରିଛନ୍ତି। ଯେଉଁ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଅନିୟମିତତା କରାଯାଇ ଡେପୁଟେଶନ କରାଯାଇଥିଲା, ସେମାନଙ୍କୁ ମୂଳ ସ୍କୁଲକୁ ଫେରାଇ ଆଣିବା ଲାଗି ଜିଲାପାଳ ଚିଠି କରିଛନ୍ତି, ମାତ୍ର ଶିକ୍ଷା ବିଭାଗର ଯେଉଁ ଅଧିକାରୀ, କର୍ମଚାରୀ ଅନିୟମିତତା କରି ଅର୍ଥ ନେଇ ଡେପୁଟେଶନ କରାଇଥିଲେ ସେହି ଅଧିକାରୀ, କର୍ମଚାରୀଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ବୁଦ୍ଧିଜୀବୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏପ୍ରିଲ ୧୦ ତାରିଖ ଶିକ୍ଷା ବିଭାଗର ସମ୍ପୃକ୍ତ ଅଧିକାରୀ, କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା। ମାତ୍ର ପ୍ରଶାସନ ପକ୍ଷରୁ ଶିକ୍ଷା ବିଭାଗର ସମ୍ପୃକ୍ତ ଅଧିକାରୀ, କର୍ମଚାରୀଙ୍କ ବିରୋଧରେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ସନ୍ଦେହ ଘେରରେ ଜିଲା ପ୍ରଶାସନ ବୋଲି ଆଲୋଚନା ସମାଲୋଚନା ହେଉଛି। ଦେବଗଡ଼ ଜିଲା ଶିକ୍ଷା ବିଭାଗ ଅଧିନରେ ୭୦ରୁ ଅଧିକ ଶିକ୍ଷକଙ୍କଠାରୁ ମୋଟା ଅଙ୍କର ଟଙ୍କା କାରବାର କରାଯାଇ ନିଜର ସୁବିଧା ସ୍ଥାନ, ମନପସନ୍ଦର ସ୍କୁଲକୁ ଡେପୁଟେଶନ କରାଯାଇଥିଲା। ଏହି ଘଟଣା ଉପରେ ଧରିତ୍ରୀ ଖବର କାଗଜରେ ଖବର ପ୍ରକାଶ ହେଲା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଜିଲାପାଳଙ୍କ ପାଖକୁ ତଦନ୍ତ ରିପୋର୍ଟ ଆସିବା ପରେ ଜିଲାପାଳ ବେଆଇନ ଭାବେ ହୋଇଥିବା ଡ଼େପୁଟେସନ ରଦ୍ଦ କରି ୪୮ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନିଜର ପୂର୍ବ ସ୍କୁଲକୁ ଫେରିବା ପାଇଁ ୩ବ୍ଲକ ବିଭାଗୀୟ କାର୍ଯ୍ୟାଳୟଙ୍କୁ ଚିଠି କରି ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳଙ୍କ ଏମିତି କାର୍ଯ୍ୟ ପାଇଁ ବୁଦ୍ଧିଜୀବୀ ମହଲରେ ପ୍ରଶଂସାର ପାତ୍ର ହୋଇଥିଲେ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ବର୍ତ୍ତମାନ ସୁଦ୍ଧା ଅନିୟମିତତାରେ ସମ୍ପୃକ୍ତ ଅଧିକାରୀ, କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ତେଣୁ ଜିଲା ପ୍ରଶାସନର ଏପରି କାର୍ଯ୍ୟକୁ ସନ୍ଦେହ ଘେରରେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ସମାଲୋଚନା ହେଉଛି। ଜିଲା ଶିକ୍ଷା ଅଧିକାରୀ ଓ କର୍ମଚାରୀଙ୍କ ଉପରେ ଜିଲାପାଳ କାର୍ଯ୍ୟାନୁଷ୍ଠାନ କେବେ ନେବେ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି।

 

Dharitri – Odisha’s No.1 Odia Daily