ଟାଇଁସର ୫ ଟି ହାଇସ୍କୁଲ ନିର୍ମାଣରେ ଅନିୟମିତତା

କୁଚିଣ୍ଡା,୩୧ା୧(ଡି.ଏନ.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଟାଇଁସର ପଞ୍ଚାୟତର ଟାଇଁସର ତ୍ରିଲୋଚନ ପଦ୍ମାବତୀ ହାଇସ୍କୁଲ ୫ଟି ଯୋଜନାରେ ଚାଲିଥିବା ରୂପାନ୍ତରିକରଣରେ ଅନିୟମିତତା ଅଭିଯୋଗ ହୋଇଛି। ଯୋଜନାର ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଇ ଠିକାଦାର ଓ ଅଧିକାରୀଙ୍କ ଭିତିରି ବୁଝାମଣା ଯୋଗୁ ନିମାଣ କାର୍ଯ୍ୟର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୫ଟି ଯୋଜନାରେ ଗତ କିଛିଦିନ ହେବ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ସୂଚନା ଫଳକ ନିର୍ମାଣ ହୋଇ ନାହିଁ। ଏଭଳି ଅନିୟମିତତା ଓ ନିମ୍ନମାନର କାର୍ଯ୍ୟ ଚାଲିଥିବା ଭିଡିଓ ଚିତ୍ର ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ମିଳିଥିବା ସୂଚନା ଅନୁଯାୟୀ ୨୦୨୨ ନଭେମ୍ବର ୧୪ରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକଙ୍କ ଦ୍ୱାରା ଟାଇଁସର ୫ଟି ହାଇସ୍କୁଲ ରୂପାନ୍ତରିକରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ବ୍ଲକ କର୍ତ୍ତୃପକ୍ଷଙ୍କ ଆଦେଶ ମୁତାବକ ଅଟକଳ ଅନୁଯାୟୀ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଲେଆଉଟ ଦେବାର ନିୟମ ରହିଥିବାବେଳେ ବିନା ସୂଚନା ଫଳକରେ ଠିକାଦାର ନିମ୍ନମାନର କାର୍ଯ୍ୟ ଆରମ୍ଭ କରିଥିବା ଅଭିଯୋଗ ହେଉଛି। ନିଅଁରେ ମେଟାଲ କଂକ୍ରିଟ କରା ନ ଯାଇ ମେଟାଲ ବଛାଯାଇ ଉପରେ କେବଳ ବାଲି ସିମେଣ୍ଟ ପକାଯାଇଛି। ପୁନଶ୍ଚ ଏଥିରେ ନିମ୍ନମାନର ସିମେଣ୍ଟ ଓ ପୁରୁଣା କାନ୍ଥର ମାଟି ଇଟା ବ୍ୟବହାର କରାଯାଉଥିବାରୁ ଏହାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏ ସମ୍ପର୍କରେ ହାଇସ୍କୁଲ ପ୍ରଧାନ ଶିକ୍ଷକ ହେମନ୍ତ ପଟେଲଙ୍କୁ ପଚାରିବାରେ ପୁରୁଣା ଇଟା ବ୍ୟବହାର ଓ ବିନା ମିକ୍ସଚର ମେଶିନରେ ମେଟାଲିଂ ହୋଇଥିବା ଘଟଣାକୁ ସ୍ବୀକାର କରିଛନ୍ତି। ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ପ୍ରବୀଣ ସୁରିନ ନିମ୍ନମାନର କାମ ହେଉଥିବା ଅଭିଯୋଗ ଆସିବା ପରେ କାମ ବନ୍ଦ କରିଦିଆଯାଇଥିବା କହିଛନ୍ତି। ବିଡିଓ ନିରଞ୍ଜନ ସାଙ୍କୁ ପଚାରିବାରୁ ଏହାର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।