ଅମରପାଲି,୮ା୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି କ୍ଲଷ୍ଟରର ଅଚଣ୍ଡାସ୍ଥିତ ସରକାରୀ ଉନ୍ନୀତ ହାଇସ୍କୁଲରେ ତାଲା ପକାଇ ପ୍ରତିବାଦ କରୁଛନ୍ତି ଏସ୍ଏଚ୍ଜି ମହିଳା। ଫଳରେ ସ୍କୁଲ ଭିତରକୁ ଯାଇପାରିନାହାନ୍ତି ଶିକ୍ଷକ ଓ ଛାତ୍ରୀଛାତ୍ର। ଅଭିଯୋଗ ଅନୁସାରେ ଉକ୍ତ ସ୍କୁଲରେ ରାତ୍ର ଜଗୁଆଳି ଓ ଝାଡୁଦାର ନିଯୁକ୍ତି ପାଇଁ ବିଜ୍ଞପ୍ତି ହୋଇଥିଲା। ଏନେଇ ପଞ୍ଚାୟତର ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀ ଆବେଦନ କରିଥିଲେ। ତନ୍ମଧ୍ୟରୁ ତେଲିପାଲି ଗ୍ରାମର ମା’ ମଙ୍ଗଳା ସୟଂ ସହାୟିକା ଗୋଷ୍ଠୀଙ୍କୁ ରାତ୍ର ଜଗୁଆଳି ଓ ଝାଡୁଦାର ପାଇଁ ଦାୟିତ୍ୱ ମିଳିଥିଲା। ମାତ୍ର ଏବେ ଅଚଣ୍ଡା, ମହୁଲପାଲି, ରୁଗୁଡ଼ିପାଲି ଆଦି ଗ୍ରାମର ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ ଏହି ନିଯୁକ୍ତିକୁ ବେଆଇନ ଓ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି। ଏହାର ବିଜ୍ଞପ୍ତି ଯେତେବେଳେ ହେଲା ବିଭିନ୍ନ ଜନଗହଳି ସ୍ଥାନ, ଛକ ଓ ସ୍କୁଲ ସମ୍ମୁଖରେ ଏହାର ନିକୁକ୍ତି ପାଇଁ ସୂଚନା ଦେବାର ନିୟମ ରହିଥିବା ବେଳେ କୌଣସି ସ୍ଥାନରେ ସୂଚନା ଦିଆଗଲା ନାହିଁ କି କୌଣସି ନୋଟିସ୍ ଦିଆଯାଇ ନାହିଁ। ଚଞ୍ଚକତା କରି କାହାକୁ ନ ଜଣାଇ ଗୁପ୍ତ ଭାବେ ନିଯୁକ୍ତି ଦିଆଗଲା। ଅଚଣ୍ଡା, ମହୁଲପାଲି ଓ ରୁଗୁଡ଼ିପାଲି ଗ୍ରାମରେ ଅନେକ ସ୍ବୟଂ ସହାୟିକା ଗୋଷ୍ଠୀ ଥିବା ବେଳେ କେମିତି କେହି ଜାଣି ପାରିଲେ ନାହିଁ ବୋଲି ପ୍ରଶ୍ନ କରିବା ସହିତ ଏହି ଗ୍ରାମର ଯେକୌଣସି ଗୋଟିଏ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଏହାର ଦାୟିତ୍ୱ ଦିଆଯାଉ ବୋଲି ଦାବି କରି ସ୍କୁଲ ଫାଟକରେ ତାଲା ପକାଇ ପ୍ରତିବାଦ କରୁଛନ୍ତି। ଫଳରେ ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀ, ଶିକ୍ଷକ ସ୍କୁଲ ଭିତରକୁ ଯାଇପାରିନାହାନ୍ତି। ଖବର ପାଇ କେନଝିରିଆପାଲି କ୍ଲଷ୍ଟରର ସିଆରସିସି ବିନୟ ବିଶ୍ୱାଳ ଓ ପରେ ଏବିଇଓ ବାର୍ଣ୍ଣା ଡୁଙ୍ଗଡୁଙ୍ଗ ସ୍କୁଲକୁ ଯାଇ ପ୍ରତିବାଦ କରୁଥିବା ମହିଳାଙ୍କୁ ବୁଝାଶୁଝା କରୁଛନ୍ତି।


