ରିଚାର୍ଜ ପିଟ୍‌ ପ୍ରକଳ୍ପରେ ଅନିୟମିତତା

ପଟ୍ଟାମୁଣ୍ଡାଇ,୧୯।୩ (ଡି.ଏନ.ଏ.): ଦିନକୁ ଦିନ କମିବାରେ ଲାଗିଛି ଭୂତଳ ଜଳସ୍ତର । ସେହି ଜଳକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଜଳ ଅମଳ ପ୍ରକଳ୍ପ ଭଳି କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଉଛନ୍ତି ା ସେଥିପାଇଁ ଭୂତଳ ଜଳକୁ କିପରି ସଂରକ୍ଷିତ ରଖାଯିବ ସେନେଇ ବିଭିନ୍ନ ପ୍ରକଳ୍ପ କାମ କରୁଛି । କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ଯୋଜନା ଅଧୀନରେ ସଚଳ ନଳକୂପ ପାଖରେ ତିଆରି ହୋଇଛି ଲିଚ୍‌ ପିଟ୍‌ (ରିଚାର୍ଜ ପିଟ୍‌ )ପ୍ରକଳ୍ପ। ନଳକୂପର ଅନାବଶ୍ୟକ ଜଳ ଲିଚ୍‌ ପିଟ୍‌ ଦେଇ ଭୂତଳକୁ ଯିବ ା ଏହାଦ୍ୱାରା ମାଟିତଳ ଜଳସ୍ତର ହ୍ରାସ ନିୟନ୍ତ୍ରଣ କରିବାରେ ସହାୟକ ହେବ ା ଏନେଇ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକର ୩୦ ପଞ୍ଚାୟତରେ ସମସ୍ତ ନଳକୂପ ପାଖରେ ତିଆରି କରାଯାଇଛି ଲିଚ୍‌ ପିଟ୍‌ ା ମାତ୍ର ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିବା ବେଳେ ଦେଖିବାକୁ ମିଳିଛି ସବୁଗୁଡିକ ଅଧପନ୍ତରିଆ ଅବସ୍ଥାରେ ରହିଛି ା ଏଣେ ନିମ୍ନମାନର କାମ ହୋଇଥିବା ବେଳେ ଭଙ୍ଗା ନଳକୂପ ପାଖରେ ମଧ୍ୟ ଲିଚ୍‌ପିଟ୍‌ ହୋଇଛି । ପ୍ରତି ପ୍ରକଳ୍ପ ବାବଦରେ ୧୪ ହଜାର ଟଙ୍କା ବ୍ୟୟ କରାଯାଇ ବିଲ୍‌ ହୋଇଛି । ଏନେଇ ପିଡି ରାଜେନ୍ଦ୍ର ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ସ୍ଥାନୀୟ ବିଡିଓଙ୍କ ସହିତ ଯୋଗାଯୋଗ କରନ୍ତୁ ବୋଲି ସେ କହିଛନ୍ତି ା ପଟ୍ଟାମୁଣ୍ଡାଇ ବ୍ଲକର ୩୦ ପଞ୍ଚାୟତରେ ଦେଖିବାକୁ ମିଳିବ ଲିଚ୍‌ପିଟ୍‌ କାମରେ କେମିତି ଦୁର୍ନୀତି ହୋଇଛି । ନଳକୂପଗୁଡିକ ସମ୍ମୁଖରେ ତିଆରି ହୋଇଥିବା ଭୂତଳ ଜଳ ଅମଳ ପ୍ରକଳ୍ପର ହାଲ୍‌ ବେହାଲ୍‌ ହୋଇଯାଇଛି । ବ୍ଲକ ପ୍ରଶାସନ ପକ୍ଷରୁ ହୋଇଥିବା ଏହି ପ୍ରକଳ୍ପଗୁଡିକ ହେବାର ବର୍ଷେ ବି ହୋଇନି, ହେଲେ କେଉଁଠି ଫାଟିଗଲାଣି କେଉଁଠି ଲୁହାରଡ୍‌ ବାହାରିଗଲାଣି । କେଉଁଠି ଢାଙ୍କୁଣି ଦିଆଯାଇନି ଆଉ କେଉଁଠି ପ୍ଲାଷ୍ଟର କରାଯାଇନି।
ପଟ୍ଟାମୁଣ୍ଡାଇ ବ୍ଲକରେ ପ୍ରାୟ ୪୦୦ ପ୍ରକଳ୍ପ କରାଯାଇଥିବା ସରକାରୀ ତଥ୍ୟ କହୁଛି। ହିସାବ କଲେ ପାଖାପାଖି ୫୬ ଲକ୍ଷ ଟଙ୍କା ଟଙ୍କା ଖର୍ଚ୍ଚରେ ତିଆରି ହୋଇଛି ସମସ୍ତ ପ୍ରକଳ୍ପ । କିନ୍ତୁ କାମ ଅଧା କରି ଛାଡିଦେଇ ଠିକାଦାର ବିଲ୍‌ ନେଇ ସାରିଛନ୍ତି । ଲିଚପିଟ୍‌ ପ୍ରକଳ୍ପର ଗଭୀରତା ଓ ଗୋଲେଇ ୫ ଫୁଟ୍‌ ହେବା କଥା, କିନ୍ତୁ କେଉଁଠି ୩ ଫୁଟ୍‌, କେଉଁଠି ୨ ଫୁଟର ହୋଇଛି ବୋଲି ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ଗତ ୪ ରୁ ୫ ବର୍ଷ ହେବ ଅଧିକାଂଶ ଗ୍ରାମରେ ଅଚଳ ହୋଇପଡିଥିବା ଓ ଟିକେ ହେଲେ ବି ପାଣି ବାହାରୁ ନ ଥିବା ନଳକୂପ ପାଖରେ ହୋଇଛି ଲିଚ୍‌ପିଟ୍‌ ା ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ା କେତେକ ସ୍ଥାନରେ ପାଣି ଭୂତଳକୁ ଯିବା ବଦଳରେ ରାସ୍ତା ଉପରେ ଭାସୁଛି । ଅନ୍ୟ କେତେକ ସ୍ଥାନରେ କେବଳ ମାଟି ଖୋଳାଯାଇଛି, କିନ୍ତୁ ପ୍ରକଳ୍ପ ହୋଇନାହିଁ। ବ୍ଲକରେ ଏକାଧିକ ଦୁର୍ନୀତିଖୋର ଠିକାଦାର ଏହି ପ୍ରକଳ୍ପ କରିଥିବା ବେଳେ କେଉଁଠି ମଧ୍ୟ ଉଦ୍ଦେଶ୍ୟ ସାଧିତ ହେଉନି । ସରପଞ୍ଚମାନଙ୍କୁ ପଚାରିବାରୁ ସେମାନେ ଏନେଇ ବିଡିଓ ଓ ଜିଲାପାଳଙ୍କୁ ଜଣାଇବେ ବୋଲି କହିଛନ୍ତି। ବିଡିଓ ଶୁଭ୍ରାଂଶୁ ସାହୁ କହିଛନ୍ତି, ନଳକୂପଗୁଡିକର ଭୂତଳ ଜଳକୁ ସଂରକ୍ଷିତ ରଖିବା ଏବଂ ପରିବେଶ ସ୍ବଚ୍ଛ ରଖିବା ପାଇଁ ସରକାର ଲିଚ୍‌ ପିଟ୍‌ ଯୋଜନା କରିଛନ୍ତି ା ଯଦି ନିମ୍ନମାନର କାମ ଓ ଭଙ୍ଗା ନଳକୂପ ପାଖରେ ଏହି ପ୍ରକଳ୍ପ ହୋଇଥିବା ଜଣାପଡିବ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।