ମଣ୍ଡିରୁ ଧାନ ନ ଉଠିଲେ ଆନ୍ଦୋଳନ

ବୋଲଗଡ଼,୧୪।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଛି। ମଣ୍ଡିରେ ଧାନବସ୍ତା ରଖି ଚାଷୀ ଜଗି ବସିଥିବା ବେଳେ ମିଲର୍ସଙ୍କ ଦେଖା ମିଳୁନାହିଁ। ଫଳରେ ଚାଷୀ ମଣ୍ଡିରେ ଧାନ ଦେଇ ନ ପାରି ଶୋଷଣର ଶିକାର ହେଉଛି। ଟୋକନ ଅବଧି ସରିଯିବାରୁ ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି। ଅନ୍ୟପଟେ ଅବଧି ସରିଥିବା ଟୋକନଗୁଡ଼ିକର ପୁନଃ କାର୍ଯ୍ୟକ୍ଷମ ଓ ଚାଷୀଙ୍କ ବଳକା ଧାନ ତୁରନ୍ତ ନ କିଣାଯାଏ ଆସନ୍ତା ୧୫ତାରିଖରେ ରାଜରାସ୍ତା କିମ୍ବା କୌଣସି ସରକାରୀ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରାଯିବ ବୋଲି ନବନିର୍ମାଣ କୃଷକ ସଙ୍ଗଠନ ଚେତାବନୀ ଦେଇଛି। ପ୍ରକାଶ ଯେ, ଶନିବାର ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗବଡ଼ିହପାଟଣା ଭାଗବତ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୈତାରି ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଶତାଧିକ ଚାଷୀ ଯୋଗଦେଇଥିଲେ। ନବନିର୍ମାଣ କୃଷକ ସଙ୍ଗଠନର ଖୋର୍ଦ୍ଧା ଜିଲା ସଭାପତି ସୁରେଶ ମାନସିଂହ, ବ୍ଲକ ସଂଯୋଜକ ଜୟନ୍ତ ତ୍ରିପାଠୀ, ଖଙ୍ଗୁରିଆ ପଞ୍ଚାୟତ ସଂଯୋଜକ ସୋମନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଉପରୋକ୍ତ ନିଷ୍ପତ୍ତି ନେଇଥିଲେ। ବ୍ଲକ ସଂଯୋଜକ ତ୍ରିପାଠୀ ଜିଲାପାଳଙ୍କୁ ଭେଟିବା ସହ ଚାଷୀଙ୍କ ବଳକା ଧାନ କିଣିବା ଲାଗି ଦାବି କରିବେ ବୋଲି କହିଥିଲେ। ଏହି ଅବସରରେ ନବନିର୍ମାଣ କୃଷକ ସଙ୍ଗଠନର ସଦସ୍ୟ ଥିବା ୫୦ଜଣ ଚାଷୀଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା।