ଧାନକିଣାରେ ଅବ୍ୟବସ୍ଥା: ଚିନ୍ତାରେ ଶତାଧିକ ଚାଷୀ

ତିହିଡ଼ି,୧୭ା୬(କାଳନ୍ଦୀ ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ ଧାନ ଅମଳ କରି ସାରିଥିଲେ ମଧ୍ୟ ସରକାରୀ ମଣ୍ଡିରେ ଧାନ ବିକ୍ରୟ କରିପାରୁ ନ ଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି।

ବ୍ଲକର ଧାମନଗର, କୋଠାର, ବରଗଡ଼ିଆ, ଧୂଷୁରୀ, ଚୁଡ଼ାକୁଟି, ବମକୁରା ଓ କଟସାହି ସମେତ ୭ଟି ପ୍ରାଥମିକ ସେବା ସମବାୟ ସମିତି ମାଧ୍ୟମରେ ରବି ଧାନ କ୍ରୟ ପାଇଁ ୯୧୬ ଜଣ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇଛି। ପ୍ରାୟ ୯,୮୭୫ କୁଇଣ୍ଟାଲ ଧାନ କ୍ରୟ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ଅଧିକାଂଶ ସମିତିରେ ଧାନ କିଣା କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ।

ସୂଚନା ଅନୁଯାୟୀ, ସରକାରୀ ଭାବେ ମେ’ ୨୦ରୁ ଧାନ କ୍ରୟ ଆରମ୍ଭ ହେବାକୁ ଥିଲେ ମଧ୍ୟ ମଣ୍ଡି ଖୋଲିବା ଓ ଟାର୍ଗେଟ ବଣ୍ଟନରେ ବିଳମ୍ବ ହେବାରୁ ସମଗ୍ର ପ୍ରକ୍ରିୟା ପଛେଇ ଯାଇଛି। ଚାଷୀଙ୍କୁ ଦିଆଯାଇଥିବା ଟୋକନ ଅନୁଯାୟୀ ପର୍ଯ୍ୟାପ୍ତ ଟାର୍ଗେଟ ନ ମିଳିବାରୁ ସମିତିଗୁଡ଼ିକ ଧାନ କିଣିବାରେ ଅସମର୍ଥ ହୋଇପଡ଼ିଛନ୍ତି।

ଧାମନଗର ସେବା ସମବାୟ ସମିତିରେ ୮୨ ଜଣ ଚାଷୀଙ୍କଠାରୁ ପ୍ରାୟ ୬ ହଜାର କୁଇଣ୍ଟାଲ ଧାନ କ୍ରୟ କରିବାର ଲକ୍ଷ୍ୟ ଥିଲେ ମଧ୍ୟ ଆବଶ୍ୟକ ଟାର୍ଗେଟ ନ ଆସିବାରୁ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ଫଳରେ ଚାଷୀମାନେ ବାରମ୍ବାର ସମିତି କାର୍ଯ୍ୟାଳୟକୁ ଯାଇ ନିରାଶ ହୋଇ ଫେରୁଛନ୍ତି।

ଅନ୍ୟପଟେ ମିଲର, ଚାଷୀ କମିଟି ଓ ସମିତି ପରିଚାଳନା ପରିଷଦ ମଧ୍ୟରେ ସମନ୍ବୟ ଅଭାବ ଯୋଗୁ ମଧ୍ୟ ଧାନ କ୍ରୟ ପ୍ରକ୍ରିୟା ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି। ଟୋକନର ଅବଧି ଶେଷ ହେବାକୁ ଆଉ ମାତ୍ର ୫ ଦିନ ବାକି ଥିବା ବେଳେ ରଜ ଛୁଟି ଓ ରବିବାର ଯୋଗୁ ଚାଷୀଙ୍କ ଚିନ୍ତା ଆହୁରି ବଢ଼ିଯାଇଛି।

ଧାମନଗର ସେବା ସମବାୟ ସମିତିର ସମ୍ପାଦକ ବସନ୍ତରାଜ ସାହୁ କହିଛନ୍ତି, ପ୍ରାରମ୍ଭିକ ପର୍ଯ୍ୟାୟରେ ୨୪୦୦ କୁଇଣ୍ଟାଲ ଧାନ କିଣିବାକୁ ଥିବାବେଳେ ମାତ୍ର ୧୫୦୦ କୁଇଣ୍ଟାଲର ଟାର୍ଗେଟ ମିଳିଛି। ଏଭଳି ସ୍ଥିତିରେ କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ, ତାହା ନେଇ ସମସ୍ୟା ସୃଷ୍ଟି ହୋଇଛି।

ଚାଷୀମାନେ ଭଦ୍ରକ ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ି ଯଥାଶୀଘ୍ର ପର୍ଯ୍ୟାପ୍ତ ଟାର୍ଗେଟ ପ୍ରଦାନ କରି ରବି ଧାନ କ୍ରୟ ପ୍ରକ୍ରିୟା ସୁଚାରୁ ଭାବେ ଆରମ୍ଭ କରିବାକୁ ଦାବି କରିଛନ୍ତି। ଧାନକିଣାରେ ଅଧିକ ବିଳମ୍ବ ହେଲେ ଚାଷୀମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି।

Dharitri – Odisha’s No.1 Odia Daily

Share
Tags: farmerspaddy