କାଟିଆ-ବୈଷପାନ ରାସ୍ତା କାମରେ ଅନିୟମିତତା

ଯାଜପୁର,୧୨ା୪(ହର୍ଷବର୍ଦ୍ଧନ ବେହେରା): ନିର୍ବାଚନ ସମୟରେ ପୂର୍ତ୍ତ ବିଭାଗର ମନମୁଖୀ ଓ ନିମ୍ନମାନର ରାସ୍ତା ନିର୍ମାଣ ସଂପୃକ୍ତ ଅଞ୍ଚଳବାସୀଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଛି। ଏନେଇ ଅଞ୍ଚଳବାସୀ ଯେତେ ଅଭିଯୋଗ କଲେ ବି ଯାଜପୁର ଜିଲା ପାଣିକୋଇଲି ଆର୍‌ ଏଣ୍ଡ ବି (ପୂର୍ତ୍ତ) ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ରାସ୍ତା କାର୍ଯ୍ୟର ତଦନ୍ତ ନ କରି ଓଲଟା ଠିକାଦାରଙ୍କ ସହ ସଲାସୁତୁରା କରି ମାମଲାକୁ ରଫାଦଫା କରୁଥିବା ଅଭିଯୋଗ ହେଉଛି। ପୂର୍ବରୁ ୮ କୋଟି ଟଙ୍କାର ରାମ୍‌ବାଗଠାରୁ ଛତ୍ରପଡ଼ା ରାସ୍ତା କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହେବା ପରେ ଠିକାଦାର ବିଲ୍‌ ସ୍ଥଗିତ ରଖାଯାଇଛି। ଏବେ ପୁଣି ୩.୭୫ କୋଟି ଟଙ୍କାର ଦଶରଥପୁର ବ୍ଲକ ଅଧୀନ କାଟିଆଠାରୁ ବୈଷପାନ ଭାୟା ଅହିୟାସ ୩.୨ କି.ମି.ରାସ୍ତା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି। ରାସ୍ତାର ପୂରୁଣା ପିଚୁକୁ ଖୋଳି ବାହାର ନ କରି ତା’ ଉପରେ ପିଚୁ କାର୍ଯ୍ୟ ହେଉଛି। ବିନା ସୂଚନାଫଳକ ଓ ସରକାରୀ ଅଧିକାରୀଙ୍କ ଅନୁପସ୍ଥିତରେ ଉକ୍ତ ରାସ୍ତାର ପିଚୁ କାର୍ଯ୍ୟ ଚାଲୁଥିବାବେଳେ ଏହା ଅତ୍ୟନ୍ତ ନିମ୍ନମାନର ହେଉଥିବାର ଅଭିଯୋଗ ହେଉଛି । ପୂର୍ବରୁ ଏହି ରାସ୍ତା ୫.୫ ମିଟର ଚଉଡ଼ା ରହିଥିବା ବେଳେ ବର୍ତ୍ତମାନ ତାହା ୭ ମିଟର ରାସ୍ତାରେ ପରିଣତ କରାଯାଉଛି । ମାତ୍ର ଏହି ସମ୍ପ୍ରସାରଣ କାର୍ଯ୍ୟରେ ଅତ୍ୟନ୍ତ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଥିବା ଦେଖାଯାଇଛି॥ ଏହି ରାସ୍ତା କାର୍ଯ୍ୟରେ ୭୫ ଏମ୍‌ଏମ୍‌ ମୋଟେଇର ପିଚୁ ବିଛା ଯିବାର ଏଷ୍ଟିମେଟ ରହିଥିବା ଜଣାପଡିଛି। କିନ୍ତୁ ଏଠାରେ ତା’ର ବ୍ୟତିକ୍ରମ କରଯାଇ କେଉଁଠି ୪୦ ତ’ ଅନ୍ୟ କେଉଁଠି ୫୦ ଏମ୍‌ଏମ୍‌ ପିଚୁ ବିଛାଯାଉଥିବା ଦେଖିବାକୁ ମିଳିଛି। ବାକି ଅର୍ଥକୁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ମିଳିମିଶି ଚଲୁ କରିବାର ମସୁଧା ଚଳାଇଥିବାର ଚର୍ଚ୍ଚା ହେଉଛି।
ଏହା ବ୍ୟତୀତ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଧୂଳି ଓ ମାଟିକୁ ଠିକ ଭାବେ ସଫା କରା ନ ଯାଇ ତାହା ଉପରେ ପିଚୁ ପକାଯାଇଥିବା ଦେଖାଯାଇଛି । ଧୂଳି ସଫା କରିବାକୁ ଆବଶ୍ୟକ ଯନ୍ତ୍ରପାତି ମଧ୍ୟ କାର୍ଯ୍ୟାସ୍ଥଳୀରେ ଦେଖିବାକୁ ମିଳୁ ନାହିଁ। ଫଳରେ ରାସ୍ତାର ସ୍ଥାୟୀତ୍ୱ ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାର୍ଯ୍ୟାସ୍ଥଳରେ ସୂଚନା ଫଳକ ନ ଥିବାରୁ ଜନସାଧାରଣ କାର୍ଯ୍ୟ ସମ୍ପର୍କରେ ଅଜ୍ଞ ରହୁଛନ୍ତି । ପ୍ରକାଶ ଥାଉକି ବିଭାଗ ପକ୍ଷରୁ ଦଶରଥପୁର ସେକ୍ସନ ଅଧୀନରେ ବୈତରଣୀ ନଦୀ ବନ୍ଧ ସୁଦୃଢ଼ୀକରଣ ପାଇଁ ୮୨ କୋଟି, ରାମବାଗ – ଛତ୍ରପଡା ରାସ୍ତା ସୁଦୃଢ଼ୀକରଣ ପାଇଁ ୮ କୋଟି, ମଲ୍ଲିକାପୁର ଆଦର୍ଶ ବିଦ୍ୟାଳୟ ହଷ୍ଟେଲ ର୍ନିମାଣ ପାଇଁ ୪ କୋଟି ଟଙ୍କାର ପ୍ରକଳ୍ପକୁ ମିଶାଇ ପ୍ରାୟ ୧୦୦ କୋଟି ଟଙ୍କାର ରାସ୍ତା ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳକରେ ଚାଲିଛି। ଏଥିରୁ ପ୍ରକଳ୍ପଗୁଡିକରେ ବ୍ୟାପକ ପିସି ରାଜ୍‌ ଚାଲିଥିବା ସନ୍ଦେହ କରାଯାଇଛି।
କାଟିଆ-ବୈଷପାନ ରାସ୍ତା ସମ୍ପର୍କରେ ବିଭଗୀୟ ଯନ୍ତ୍ରୀ ରମେଶ ମହାପାତ୍ରଙ୍କୁ ପଚାରିବାରୁ ସେ ଆଜି ଛୁଟିରେ ଅଛନ୍ତି। ଆଗାମୀ ଦିନରେ ତଦନ୍ତ କରାଯାଇ ଠିକାଦାରଙ୍କୁ ଏ ସମ୍ପର୍କରେ ତାଗିଦ କରାଯିବ ବୋଲି କହିଛନ୍ତି। ତେଣୁ ଏଭଳି ଅଭିଯୋଗ ସମ୍ପର୍କରେ ବିଭାଗ ପକ୍ଷରୁ ତଦନ୍ତ କରାଯିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଯାଜପୁର ଜିଲାପାଳଙ୍କ ନିକଟରେ ଦାବି ହୋଇଛି।