ବିରୂପା ସେତୁ ନିର୍ମାଣରେ ଅନିୟମିତତା

ଚଣ୍ଡିଖୋଲ,୨୯ା୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ବରୁହାଁ-ବାଲିଚନ୍ଦ୍ରପୁର ପୂର୍ତ୍ତ ବିଭାଗ ରାସ୍ତାର ବିରୂପା ନଦୀର ରୁକୁଟିପାଟ ଓ ମାଣ୍ଡୁକା ମଝିରେ ସେତୁ ନିର୍ମାଣ କାମ ଚାଲିଛି। ତେବେ ଏହି ସେତୁ ନିର୍ମାଣ ସମୟରେ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତ ଯୋଗୁ ଠିକାଦାର ନିର୍ମାଣରେ ଅନିୟମିତତା କରୁଥିବା ଅଭିଯୋଗ ହୋଇଛି।
ସେତୁ ନିର୍ମାଣ କାର୍ଯ୍ୟ ୨୦୨୧ ଡିସେମ୍ବର ୨୨ରୁ ଆରମ୍ଭ ହୋଇଛି। ୨୩୫ମିଟର ଲମ୍ବ ବିଶିଷ୍ଟ ଏହି ସେତୁ ନିର୍ମାଣ ପାଇଁ ୧୭କୋଟି ୩୮ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହା ୨୦୨୩ ମାର୍ଚ୍ଚରେ ଶେଷ ହେବ ବୋଲି ନିର୍ମାଣ ଆରମ୍ଭ ସମୟରେ ବିଭାଗ ତରଫରୁ ସୂଚନା ଦିଆଯାଇଥିଲା। ସିଏଜି ରିପୋର୍ଟ ଆଧାରରେ ଏହି ସେତୁ ନିର୍ମାଣ କାମ ଆରମ୍ଭ କରାଯାଇଥିଲା। ଠିକା ସଂସ୍ଥା ଏହା ମଧ୍ୟରେ ସେତୁର ପିଲର କାମ କରୁଛି। ସୁଉଚ୍ଚ ବିଶିଷ୍ଟ ହେବାକୁ ଥିବା ଏହି ସେତୁର ଆଠଟି ପିଲର ମଧ୍ୟରୁ ୬ଟି ପିଲର ନିର୍ମାଣ କାମ ଚାଲିଛି। ତେବେ ନିର୍ମାଣ ଶୈଳୀରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହେଉଛି। ଏହା ଏକ ବୃହତ ସେତୁ ହୋଇଥିବାବେଳେ ଏଥିରେ ଦିଆଯାଉଥିବା ରଡ୍‌ଗୁଡ଼ିକ ନିମ୍ନମାନର ବୋଲି ଲୋକେ ଅଭିଯୋଗ କରିଛନ୍ତି। ବିଭାଗ ତରଫରୁ ଧାର୍ଯ୍ୟ କରାଯାଇଥିବା ରଡ୍‌ର ମୋଟେଇକୁ ମଧ୍ୟ କମ୍‌ କରିଦିଆଯାଇଛି। ୩୦ଏମଏମ୍‌ ରଡ୍‌ ଦିଆଯିବ ବୋଲି ଉଲ୍ଲେଖ ରହିଥିବାବେଳେ ଏଥିରେ ୨୦ ଏମ୍‌ଏମ୍‌ ରଡ୍‌ ବ୍ୟବହାର କରାଯାଉଛି। ସେତୁ ନିର୍ମାଣ ପାଇଁ ୧୭କୋଟି ୩୮ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ଏହାର ଉଭୟ ପାର୍ଶ୍ୱ ରାସ୍ତା ଓ ଜମି ଅଧିଗ୍ରହଣ ନେଇ ସମୁଦାୟ ୨୫କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବିଭାଗ ତରଫରୁ ସୂଚନା ମିଳିଛି। ସେତୁ ନିର୍ମାଣ ସ୍ଥଳରେ ବିଭାଗୀୟ ଯନ୍ତ୍ରୀମାନେ ରହି ତନଖି କରିବାର ନିୟମ ଥିବାବେଳେ ଏହାକୁ ତନଖି କରାଯାଉ ନାହିଁ। ନିର୍ମାଣ ସମୟରେ ଠିକ୍‌ରେ ତଦାରଖ କରା ନ ଗଲେ ଭବିଷ୍ୟତରେ ଏହା ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି।
ଅନ୍ୟପକ୍ଷରେ ଏହି ସେତୁ ସହିତ ସଂଯୋଗ କରିବା ପାଇଁ ବାଲିଚନ୍ଦ୍ରପୁର-ବରୁହାଁ ରାସ୍ତାର ଅରେଇକଣାଠାରୁ ମାଣ୍ଡୁକା ପର୍ଯ୍ୟନ୍ତ ରାସ୍ତାର ଉଚ୍ଚତା ବୃଦ୍ଧି ହେବ ବୋଲି ବିଭାଗ ତରଫରୁ ଆକଳନ କରାଯାଇ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ତେଣୁ ଖୁବ୍‌ଶୀଘ୍ର ରାସ୍ତା ପ୍ରଶସ୍ତୀକରଣ ଓ ଉନ୍ନତୀକରଣ କାର୍ଯ୍ୟ ଆରମ୍ଭ ହେବ। ସମ୍ପୃକ୍ତ ରାସ୍ତାଟି ବାଲିଚନ୍ଦ୍ରପୁରଠାରୁ ଜିଲା ସଦର ମହକୁମା ଯାଜପୁରକୁ ସଂଯୋଗ କରୁଛି। ତେଣୁ ଏହି ରାସ୍ତା ଉପରେ ଯାତାୟାତ ଅଧିକ ଥାଏ। ରୁକୁଟିପାଟଠାରେ ନିର୍ମାଣ ହେଉଥିବା ଏହି ସେତୁକୁ ଭଲ ଭାବରେ କରିବା ପାଇଁ ସ୍ଥାନୀୟ ଗ୍ରାମବାସୀ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସ୍ନିଗ୍ଧା ଦାସଙ୍କୁ ପଚାରିବାରେ ସେ କୁହନ୍ତି, ରୁକୁଟିପାଟ ସେତୁ ନିର୍ମାଣରେ ବିଳମ୍ବ ହୋଇଛି ସତ, ସେଭଳି କୌଣସି ନିମ୍ନମାନର କାର୍ଯ୍ୟ ହେଉନାହିଁ।