ଅମୃତ ସରୋବର ପ୍ରକଳ୍ପରେ ଅନିୟମିତତା

କାମାକ୍ଷାନଗର, ୨୩।୮(ସୁଧୀର ପରିଡ଼ା): ମାତ୍ର ୮ମାସ ତଳେ ଜଳ ନିଷ୍କାସନ ପାଇଁ ତିଆରି କରାଯାଇଥିବା କଂକ୍ରିଟ୍‌ ପ୍ଲାଟ୍‌ଫର୍ମ ଫାଟି ଅଁା କରିଛି। ଅଧିକ ପାଣି ମହଜୁଦ୍‌ ହେଲେ କାଳେ ଭୁଶୁଡ଼ି ପଡ଼ିବ, ସେହି ଭୟରେ ଜଳାଶୟ ଭିତରକୁ ଯାଉଥିବା ପାହାଡ଼ ପାଣି ବନ୍ଦ କରିଦିଆଯାଇଛି। ଢେଙ୍କାନାଳ ଜିଲା ଆଦିବାସୀବହୁଳ କଙ୍କଡ଼ାହାଡ଼ ବ୍ଲକର ଅମୃତ ସରୋବର ପ୍ରକଳ୍ପ କାର୍ଯ୍ୟରେ ଏଭଳି ନିମ୍ନମାନର କାମ ହୋଇଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଥିବାବେଳେ ଏହାର ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠାଇଛନ୍ତି ସେମାନେ।
ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା-୨.୦ ଆନୁକୂଲ୍ୟରେ କୃଷିର ବିକାଶ ପାଇଁ ୨୦୨୨-୨୩ ଆର୍ଥକ ବର୍ଷରେ କଙ୍କଡାହାଡ଼ ବ୍ଲକ ଦଶୀପୁର ପଞ୍ଚାୟତ ଅନ୍ତର୍ଗତ ଗୁରୁଜାଙ୍ଗୁଲି ଗ୍ରାମ ଡାହିନାଳୀ ଅମୃତ ସରୋବର ଉନ୍ନତୀକରଣ ପାଇଁ ୧୩ ଲକ୍ଷ ୬୨ ହଜାର ଟଙ୍କା ବ୍ୟୟବରାଦ ହୋଇଥିଲା। ପୋଖରୀ ନିକଟରେ ଥିବା ୧୭.୫ ଏକର ଚାଷ ଜମିରେ ଉକ୍ତ ପ୍ରକଳ୍ପ ଜଳ ବ୍ୟବହାର କରାଯିବାକୁ ଯୋଜନା କରାଯାଇଥିଲା। ହେଲେ ପୋଖରୀ ଖନନ, ପୋଖରୀ ଭିତରକୁ ପାଣି ପ୍ରବେଶ ଓ ନିଷ୍କାସନ କାର୍ଯ୍ୟ ନିୟମ ଅନୁଯାୟୀ କରାଯାଇ ନ ଥିବା ଅଭିଯୋଗ ହୋଇଛି। ଡାହିନାଳୀ ଅମୃତ ସରୋବର ଖୋଳିବାର ୬ ମାସ ନ ପୂରୁଣୁ ପୋଖରୀ ହୁଡା ଭୁଶୁଡ଼ି ପଡ଼ିଥିଲା। ଜଳ ପ୍ରବେଶ ଏବଂ ନିଷ୍କାସନ ପାଇଁ ନିର୍ମାଣ ହୋଇଥିବା କଂକ୍ରିଟ ନଳା ଭାଙ୍ଗି ଯାଇଥିଲା। ଏହାପରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ତରବରିଆ ଭାବେ ଏହାର ମରାମତି କରିଥିଲା। ନିର୍ମାଣ ହୋଇଥିବା କଂକ୍ରିଟ ନଳା ମରାମତି ନ କରି କେବଳ ମେଟାଲିଂ କରି ଛାଡ଼ି ଦିଆଯାଇଥିଲା। ଏପରି କରି ସାଇଡ୍‌ ଓ୍ବାଲ୍‌ ମଧ୍ୟ ନିର୍ମାଣ ହୋଇନାହିଁ । ତେଣୁ ପାଣି ନିଷ୍କାସନ ପଥରେ ହ୍ୟୁମ୍‌ ପାଇପ୍‌ ଭାର ସମ୍ଭାଳିବା ଲାଗି ନିର୍ମାଣ କରାଯାଇଥିବା କଂକ୍ରିଟ୍‌ ପ୍ଲାଟଫର୍ମ ଫାଟି ଅଁା କରିଛି। ତେଣୁ ପୋଖରୀ ଭିତରକୁ ପାହାଡ଼ ପାଣି ଛଡ଼ା ଯାଉନାହିଁ। ଫଳରେ ଜଳସେଚନ ଲକ୍ଷ୍ୟରେ ନିର୍ମାଣ କରାଯାଇଥିବା ଏହି ପ୍ରକଳ୍ପର ସଫଳ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲାପାଳ ଏଭଳି ଅନିୟମିତତାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
ଏ ସମ୍ପର୍କରେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ସମ୍ପଦ ସ୍ବରୂପ ସାମଲ କୁହନ୍ତି, ବୁଧବାର କ୍ଷେତ୍ର ପରିଦର୍ଶନ କରି ଦେଖିବା ପରେ ପ୍ରକଳ୍ପ ମରାମତି କରାଯିବ। ପୋଖରୀକୁ ଉପରମୁଣ୍ଡରୁ ପାଣି ଛଡ଼ାଯାଉ ନ ଥିବା ସମ୍ପର୍କରେ ପଚାରିବାରେ ସେ କୁହନ୍ତି, ଜଳାଶୟ ଜଳ ପରିଚାଳନା ଦାୟିତ୍ୱରେ ଥିବା ଅନକେଇନାଳ ଜଳବିଭାଜିକା କମିଟିକୁ ପାଣି ଛାଡ଼ିବା ପାଇଁ କୁହାଯାଇଛି। ସେମାନଙ୍କୁ ତାଗିଦ୍‌ କରାଯିବ।