ଆଇଚିପୁର-କଡ଼ମା ସେତୁ କାର୍ଯ୍ୟରେ ଅନିୟମିତତା

କୋରେଇ,୧୭ା୭(ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ପଛିକୋଟ ପଞ୍ଚାୟତର ଆଇଚିପୁର-କଡ଼ମା ସେତୁ ନିର୍ମାଣ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ରଗଡ଼ି ପୂର୍ତ୍ତ ବିଭାଗ ରାସ୍ତାର କାମୁଡ଼େଇ ଛକଠାରୁ କେନ୍ଦୁଝର ଜିଲା ସୀମା ପର୍ଯ୍ୟନ୍ତ ଭାୟା କଡ଼ମା ଦେଇ ୭କି.ମି. ରାସ୍ତାର କାର୍ଯ୍ୟ ଚାଲୁଛି। ଏହି ରାସ୍ତାର କଡ଼ମାଠାରୁ ଆଇଚିପୁର ଓ ଓସ୍ତପାଳକୁ ଯିବା ରାସ୍ତାରେ ଥିବା ଏକ ପୁରୁଣା ପୋଲକୁ ଭଙ୍ଗାଯାଇ ନୂତନ ପୋଲ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି। ହେଲେ ବିଡ଼ମ୍ବନାର ବିଷୟ ଠିକାଦାରଙ୍କ ମର୍ଜିରେ ଏହି ରାସ୍ତା କାମ ଚାଲୁଥିବାବେଳେ ସୁବିଧାଅସୁବିଧାକୁ ଗୁରୁତ୍ୱ ଦିଆଯାଉ ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ଫଳସ୍ବରୂପ ଏହି ପଞ୍ଚାୟତ ଅନ୍ତର୍ଗତ କଡ଼ମାର ଆଇଚିପୁର ଓ ଓସ୍ତପାଳ ଗ୍ରାମର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ରାସ୍ତା ନିର୍ମାଣ ସମୟରେ ଜନସାଧାରଣଙ୍କ ଯାତାୟାତରେ ଯେପରି ବାଧା ସୃଷ୍ଟି ନ ହୁଏ ସେଥିପ୍ରତି ଠିକାଦାର ଗୁରୁତ୍ୱ ଦେବାକଥା। ହେଲେ ଏଠାରେ ପୋଲ ନିର୍ମାଣସ୍ଥଳର ଏକପାର୍ଶ୍ୱରେ ଯାତାୟାତ ନିମନ୍ତେ ମାଟିରେ ଅସ୍ଥାୟୀ ରାସ୍ତା ନିର୍ମାଣ ହୋଇଛି। କିନ୍ତୁ ଅସରାଏ ବର୍ଷା ହେଲେ ଏହି ରାସ୍ତା ଉପରେ ପାଣି ଚାଲୁଥିବା ଦେଖିବାକୁ ମିଳୁଛି। ଏ ବିଷୟରେ ଗ୍ରାମବାସୀ ସ୍ଥାନୀୟ ନେତା, ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ୨ଦିନ ହେବ ବର୍ଷା ଲାଗି ରହିଥିବାରୁ ରାସ୍ତା ଉପରେ ଆଣ୍ଠୁଏ ଉପରେ ପାଣିଚାଲୁଛି। ଫଳରେ ଏହି ୨ ଗ୍ରାମର ଲୋକେ ପଦାକୁ ଆସିବା କଷ୍ଟସାଧ୍ୟ ହୋଇପଡ଼ିଛି। ୨ ଗ୍ରାମର ପିଲାଙ୍କୁ ନିକଟସ୍ଥ କଡ଼ମା ସ୍କୁଲକୁ ଏହି ରାସ୍ତା ଦେଇ ଯିବାକୁ ପଡ଼େ। ବର୍ତ୍ତମାନ ରାସ୍ତାରେ ପାଣି ଚାଲୁଥିବାରୁ ସ୍କୁଲ ଓ କଲେଜ ଯାଉଥିବା ପିଲା ଘରେ ବସିଛନ୍ତି। ଶନିବାର ରାତିରେ ଆମ୍ବୁଲାନ୍ସ ଗ୍ରାମକୁ ଯାଇ ନ ପାରିବାରୁ ଭାରରେ ଜଣେ ଗର୍ଭବତୀଙ୍କୁ ଗାଡ଼ିପାଖକୁ ନିଆ ଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ସେହିପରି ପୋଲ କାମ ପାଇଁ ପାଣି ପାଇପ କଟା ହୋଇଥିବାରୁ ୪ମାସ ଧରି ଲୋକେ ପାନୀୟ ଜଳ ପାଇପାରୁ ନାହାନ୍ତି। ସେମାନେ କୂଅ ଓ ପୋଖରୀ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଥିବା ପ୍ରକାଶ କରିଛନ୍ତି। ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ଅସାଧୁ ମେଣ୍ଟ ଯୋଗୁ ୨ ଗ୍ରାମର ଜନସାଧାରଣ ଅସୁବିଧା ଭୋଗୁଥିବା ମତପ୍ରକାଶ ପାଇଛି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକଙ୍କୁ ଫୋନ୍‌ ଦ୍ୱାରା ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ କଲ ଗ୍ରହଣ କରି ନ ଥିଲେ।