Categories: ଖେଳ

ଧୋନୀଙ୍କଠାରୁ କାହିଁକି ସ୍ପଷ୍ଟୀକରଣ ମାଗିଥିଲେ ଇର୍ଫାନ

ବଦୋଦରା, ୨୮।୬- ଭାରତୀୟ କ୍ରିକେଟ୍‌ ଦଳର ପ୍ରାକ୍ତନ ଅଲ୍‌ରାଉଣ୍ଡର ଇର୍ଫାନ୍‌ ପଠାନଙ୍କ କ୍ୟାରିୟର ଉତ୍‌ଥାନ ପତନ ମଧ୍ୟରେ ଶେଷ ହୋଇଯାଇଥିଲା। ପଠାନ ଏଭଳି ଜଣେ କ୍ରିକେଟର୍‌ ଥିଲେ ଯିଏକି ନିଜର ଅନ୍ତିମ ମ୍ୟାଚ୍‌ରେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଲାଭ କରିଥିଲେ। କିନ୍ତୁ ଏହାପରେ ତାଙ୍କୁ ଆଉ ଜାତୀୟ ଦଳରେ ଖେଳିବାର ସୁଯୋଗ ମିଳି ନ ଥିଲା। ୨୦୧୨ରେ ସେ ଯେତେବେଳେ ଭାରତୀୟ ଦଳରୁ ବାଦ୍‌ ପଡ଼ିଲେ ସେତେବେଳେ ପୁରା ଫର୍ମରେ ଥିଲେ। ଏହି ଘଟଣାକୁ ନେଇ ପଠାନ କ୍ଷୋଭ ପ୍ରକାଶ କରିଛନ୍ତି। ଏକ ସାକ୍ଷାତ୍‌କାର ଅବସରରେ ପଠାନ କହିଛନ୍ତି, ମୁଁ ଖେଳିଥିବା ଅନ୍ତିମ ଦିନିକିଆ ଓ ଟି୨୦ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲି। ମୋର ମନେ ଅଛି ରିଦ୍ଧିମାନ ଶାହ ଗୋଟିଏ ବର୍ଷ ପର୍ଯ୍ୟନ୍ତ କ୍ରିକେଟ୍‌ ନ ଖେଳି ଭାରତୀୟ ଦଳରେ ସ୍ଥାନ ପାଇଗଲେ। ଶାହଙ୍କ ଅନୁପସ୍ଥିତିରେ ରିଷଭ ପନ୍ତ ଦ୍ୱିଶତକ ଅର୍ଜନ କରିଥିଲେ। କିନ୍ତୁ ଶାହଙ୍କୁ ପୁଣିଥରେ ଭାରତୀୟ ଦଳରୁ ଡକରା ଆସିଥିଲା। କିଛି ଲୋକ ଭାଗ୍ୟଶାଳୀ ଅଟନ୍ତି। ମୁଁ କିନ୍ତୁ ଦୁର୍ଭାଗ୍ୟଶାଳୀ ଥିଲି’ ବୋଲି ପଠାନ କହିଛନ୍ତି। ସେହିଭଳି ୨୦୦୮ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ସିରିଜରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କହିଥିଲେ ଇର୍ଫାନ ଲୟରେ ବୋଲିଂ କରୁନାହାନ୍ତି। ଏହାକୁ ନେଇ ଧୋନୀଙ୍କୁ ସିଧା ଟାର୍ଗେଟ୍‌ କରିଛନ୍ତି ଇର୍ଫାନ। ‘ମୁଁ ଏହି ଘଟଣାରେ ଧୋନୀଙ୍କ ସହ କଥା ହୋଇଥିଲି। ସେହି ସିରିଜରେ ଯେତେବେଳେ କି ମୁଁ ଭଲ ବୋଲିଂ କରୁଥିଲି ଧୋନୀ ସେତେବେଳେ ଏଭଳି କହିଥିଲେ। ଆହୁରି ଅଧିକ ଭଲ ବୋଲିଂ କରିବା ପାଇଁ କ’ଣ କରିବାକୁ ପଡ଼ିବ ବୋଲି ଧୋନୀଙ୍କୁ ମୁଁ ସ୍ପଷ୍ଟିକରଣ ମାଗିଥିଲି’ ବୋଲି ପଠାନ ଏହି ଅବସରରେ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ଅବସର ନେଇଥିବା ପଠାନ ଭାରତ ପକ୍ଷରୁ ୨୯ ଟେଷ୍ଟ ଓ ୧୨୦ ଦିନିକିଆ ମ୍ୟାଚ୍‌ ଖେଳି ଯଥାକ୍ରମେ ୧୧୫୦ ଓ ୧୫୪୪ ରନ୍‌ ସଂଗ୍ରହ କରିଛନ୍ତି। ସେହିଭଳି ଟେଷ୍ଟରେ ୧୦୦ ଓ ଦିନିକିଆରେ ୧୭୩ ଉଇକେଟ୍‌ ପଠାନଙ୍କ ନାମରେ ରହିଛି। ପଠାନ ୨୪ ଟି୨୦ ମ୍ୟାଚ୍‌ରୁ ୨୮ ଉଇକେଟ୍‌ ମଧ୍ୟ ନେଇଥିଲେ।

Share