Categories: ଖେଳ

ଖୁବ୍‌ଶୀଘ୍ର କୋଚ୍‌ ହୋଇପାରନ୍ତି ଇରଫାନ୍‌ ପଠାନ! ଏନ୍‌ସିଏରେ ବିତାଇଲେ ୮ ଦିନ; ଦ୍ରାବିଡଙ୍କୁ କହିଲେ ଧନ୍ୟବାଦ

ନୂଆଦିଲ୍ଲୀ,୧୪।୮: ପୂର୍ବ ଭାରତୀୟ ଦ୍ରୁତ ବୋଲର ଇରଫାନ୍‌ ପଠାନ ଖୁବ୍‌ଶୀଘ୍ର କୌଣସି ଟିମ୍‌ର କୋଚ୍‌ ଭାବେ ଦାୟିତ୍ୱ ଗ୍ରହଣ କରିପାରନ୍ତି। ପଠାନ ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରି ଏନେଇ ସମ୍ୟକ ସୂଚନା ଦେଇଛନ୍ତି। ସେ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀ(ଏନ୍‌ସିଏ) ଏବଂ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଦ୍ୱାରା ଆୟୋଜିତ ଲେବଲ-୨ ହାଇବ୍ରିଡ୍‌ କୋଚ୍‌ କୋର୍ସ ଶେଷ କରିଥିବା କହିଛନ୍ତି। ଉକ୍ତ କୋର୍ସ ୮ ଦିନର ଥିଲା। ଏଥିରେ ବଡ଼ ଖେଳାଳିମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ସମୟରେ ସଠିକ୍‌ ମାର୍ଗଦର୍ଶନ ପାଇଁ ଏନ୍‌ସିଏ ମୁଖ୍ୟ ରାହୁଲ ଦ୍ରାବିଡ ଏବଂ ଅନ୍ୟ ଫାକଲ୍ଟିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରକାଶ ଯେ, ଇରଫାନ ୨୦୦୩-୦୪ରେ ନିଜର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ। ସେ ୨୦୨୦ ଜାନୁୟାରୀରେ କ୍ରିକେଟରୁ ସନ୍ୟାସ ଦେଇଥିଲେ। ୨୦୧୨ରେ ସେ ନିଜର ଶେଷ ଦିନିକିଆ ଏବଂ ଟି-୨୦ ଖେଳିଥିଲେ। ସେହିଭଳି ୨୦୦୮ରେ ସେ ନିଜର ଶେଷ ଟେଷ୍ଟ ଖେଳିଥିଲେ। ଆଇପିଏଲ୍‌ରେ ଶେଷଥର ପାଇଁ ସେ ୨୦୧୭ରେ ନଜର ଆସିଥିଲେ।

ଇରଫାନ ୨୯ ଟେଷ୍ଟରେ ଏକ ଶତକ ଏବଂ ୬ ଅର୍ଦ୍ଧଶତକ ସହାୟତାରେ ୧୧୦୫ ରନ୍‌ କରିଛନ୍ତି। ଏଥିସହ ୧୦୦ ଉଇକେଟ ନେଇଛନ୍ତି। ସେହିଭଳି ୧୨୦ ଦିନିକିଆରେ ୫ ଅର୍ଦ୍ଧଶତକ ସହାୟତାରେ ୧୫୪୪ରନ୍‌ ଏବଂ ୧୭୩ ଉଇକେଟ ନେଇଛନ୍ତି। ୨୪ ଟି-୨୦ରେ ସେ ୧୭୨ ରନ୍‌ କରିଥିବା ବେଳେ ୨୮ ଉଇକେଟ ନେଇଛନ୍ତି।

Share