ଭାରତ ବିପକ୍ଷରେ ଐତିହାସିକ ବିଜୟ ପରେ ଆୟର୍ଲାଣ୍ଡକୁ ଲାଗିଲା ଶକ୍ତ ଝଟ୍‌କା

ନୂଆଦିଲ୍ଲୀ,୨୯।୬: ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ଜିତି ଆୟର୍ଲାଣ୍ଡ ସିରିଜ କବ୍ଜା କରିଥିଲା। ପ୍ରଥମ ଥର ପାଇଁ ଆୟର୍ଲାଣ୍ଡ କୌଣସି ଫର୍ମାଟରେ ଟିମ ଇଣ୍ଡିଆ ବିପକ୍ଷରେ ସିରିଜ ଜିତିଥିଲା। ଏହି ଐତିହାସିକ ବିଜୟ ପରେ, ଆୟର୍ଲାଣ୍ଡକୁ ଏକ ବଡ଼ ଝଟକା ଲାଗିଲା। ମୁଖ୍ୟ କୋଚ ହେନରିଚ ମାଲାନ ତାଙ୍କ ଚୁକ୍ତି ଶେଷ ହେବା ପୂର୍ବରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ମାଲାନଙ୍କ ଚୁକ୍ତି ୨୦୨୭ ଆରମ୍ଭ ପର୍ଯ୍ୟନ୍ତ ଥିଲା, କିନ୍ତୁ ସେ ଏହା ପୂର୍ବରୁ ପଦ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ଆୟର୍ଲାଣ୍ଡ କ୍ରିକେଟ ବୋର୍ଡ ସୋମବାର ଘୋଷଣା କରିଛି ଯେ, ହେନରିଚ ମାଲାନ ପୁରୁଷ ଦଳର ମୁଖ୍ୟ କୋଚ ପଦ ଛାଡି ଦେଉଛନ୍ତି।

୪୫ ବର୍ଷୀୟ ହେନରିଚ ମାଲାନ ୨୦୨୨ ରେ ମୁଖ୍ୟ କୋଚ ନିଯୁକ୍ତ ହୋଇଥିଲେ। ସେ ଚାରି ବର୍ଷରୁ ଅଧିକ ସମୟ ପାଇଁ ଏହି ପଦବୀରେ କାର୍ଯ୍ୟ କରିଥିଲେ। ତାଙ୍କ ପ୍ରଶିକ୍ଷଣରେ, ଆୟର୍ଲାଣ୍ଡ ଅନେକ ସଫଳତା ହାସଲ କରିଥିଲେ, ଯାହା ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ଭାରତ ବିପକ୍ଷରେ ଟି-୨୦ ସିରିଜ ଜିତିବା। ଏହା ବ୍ୟତୀତ ଦଳ ଲଗାତାର ତିନିଥର ଟି-୨୦ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ଆୟର୍ଲାଣ୍ଡର ପ୍ରଥମ ତିନୋଟି ଟେଷ୍ଟ ବିଜୟ ମଧ୍ୟ ହେନରିଚଙ୍କ ଅଧୀନରେ ଆସିଥିଲା।

 

Dharitri – Odisha’s No.1 Odia Daily

 

 

Share