Categories: ଜାତୀୟ

ରାମାୟଣ ସର୍କିଟ ଟ୍ରେନ୍‌: ବିରୋଧ ପରେ ବଦଳିଲା ୱେଟର୍ସଙ୍କ ଡ୍ରେସ୍‌

ନୂଆଦିଲ୍ଲୀ,୨୩ ।୧୧: ରାମାୟଣ ସର୍କିଟ ସ୍ପେଶାଲ ଟ୍ରେନରେ ୱେଟର୍ସଙ୍କ ୟୁନିଫର୍ମକୁ ନେଇ ଉଜ୍ଜୟିନୀର ସାଧୁ-ସନ୍ଥମାନେ ବିରୋଧ କରିବା ପରେ ଆଇଆର୍‌ସିଟିସି ରାମାୟଣ ଏକ୍ସପ୍ରେସରେ ସେବା ଯୋଗାଇ ଦେଉଥିବ ୱେଟର୍ସଙ୍କ ଡ୍ରେସ୍ ବଦଳାଯାଇଛି । ସୋମବାର ସନ୍ଧ୍ୟାରେ ଆଇଆର୍‌ସିଟିସି ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି । ଅଯୋଧ୍ୟା-ରାମଶ୍ୱେରମ ଟ୍ରେନରେ କମଳା ବା ଗେରୁ ରଙ୍ଗର ଡ୍ରେସ୍ ପିନ୍ଧି ବାସନ ଉଠାଉଥିବା ୱେଟର୍ସଙ୍କ ଭିଡିଓ ଭାଇରାଲ ହେବା ପରେ ଉଜ୍ଜୟିନୀର ସନ୍ଥ ସମାଜ ଏହା ସାଧୁସନ୍ଥଙ୍କ ଅପମାନ ବୋଲି କହିଥିଲେ । ଏହାକୁ ନେଇ ସେମାନେ ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଓ ରେଳ ରୋକିବା ପାଇଁ ଚେତାବନୀ ବି ଦେଇଥିଲେ । ଏହାପରେ ଟ୍ରେନରେ କାମ କରୁଥିବା ୱେଟର୍ସଙ୍କ ଡ୍ରେସକୁ ବଦଳାଇ ସାଧାରଣ ୟୁନିଫର୍ମ କରି ଦିଆଯାଇଥିଲା । ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଥିଲା ୱେଟର୍ସମାନେ କମଳା ରଙ୍ଗର ପୋଷାକ ସହ ଧୋତି, ପଗଡି ଓ ରୁଦ୍ରାକ୍ଷ ପକାଇ ଖାଇବା ବାସନ ଉଠାଉଥିଲେ । ଏହାପରେ ଉଜ୍ଜୟିନୀ ଆଖଡା ପରିଷଦର ପୂର୍ବ ମହାମନ୍ତ୍ରୀ ପରମହଂସ ଅବଧେଶ ପୁରି ମହାରାଜ କହିଥିଲେ ଏହା ସାଧୁସନ୍ଥଙ୍କ ପ୍ରତି ଅପମାନ । ତେଣୁ ଶୀଘ୍ର ୱେଟର୍ସଙ୍କ ଡ୍ରେସ ବଦଳାଯାଉ । ନଚେତ ୧୨ ଡିସେମ୍ବରକୁ ବାହାରିବାକୁ ଥିବା ଆଉ ଏକ ଟ୍ରେନକୁ ସନ୍ଥ ସମାଜ ବିରୋଧ କରିବ ଓ ଟ୍ରନ୍ ସାମ୍ନାରେ ହଜାର ହଜାର ହିନ୍ଦୁଙ୍କୁ ନେଇ ବିରୋଧ ପ୍ରଦର୍ଶନ କରିବ ।

Share