୯ ବର୍ଷ ହେଲା ଆଇଆର୍‌ବି ବାଟାଲିୟନକୁ ଜମି ମିଳୁନି

ଭଞ୍ଜନଗର,୨୦।୧୦(ଡି.ଏନ.ଏ): ଇଣ୍ଡିଆନ ରିଜର୍ଭ ବାଟାଲିୟନ (ଆଇଆରବି)ର ୮ମ ସ୍ବତନ୍ତ୍ର କାର୍ଯ୍ୟାଳୟ ପାଇଁ କନ୍ଧମାଳ ଜିଲାରେ ଜମି ମିଳୁ ନ ଥିବାରୁ ୯ବର୍ଷ ହେଲା ସ୍ଥାୟୀ କୋଠା ହୋଇପାରୁନାହିଁ। ଅନ୍ୟପଟେ ଭଞ୍ଜନଗରରେ ଓଡ୍ରାଫ୍‌ ୟୁନିଟ୍‌ ଖୋଲିବା ପାଇଁ ମଧ୍ୟ ଜମି ମିଳୁନାହିଁ । ତେଣୁ ଓଡ଼୍ରାଫ୍‌ ୟୁନିଟ୍‌ କୋଠା ପାଇଁ ୩ ବର୍ଷ ପୂର୍ବେ ଆସିଥିବା ସାଢ଼େ ୩ କୋଟି ଟଙ୍କା ପଡ଼ିରହିଛି । ଡିଆଇଜି ଅଭିନାଶ କୁମାର ମଙ୍ଗଳବାର ଭଞ୍ଜନଗର କ୍ୟାମ୍ପ ପରିଦର୍ଶନରେ ଆସି ଓଡ଼୍ରାଫ୍‌ କୋଠା କିଭଳି ହୋଇପାରିବ ସେ ନେଇ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

୨୦୧୨ରେ କନ୍ଧମାଳ ଜିଲାରେ ଆଇଆରବିର ୮ମ ସ୍ବତନ୍ତ୍ର ବାଟାଲିୟନ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତିି ନେଇଥିଲେ। ୨୦୧୩ରେ ଫୁଲବାଣୀରେ ପୋଲିସ ବିଭାଗର ଏକ କୋଠାରେ ଏହା ଖୋଲିଥିଲା । ନୂତନ କର୍ମଚାରୀ ମଧ୍ୟ ନିଯୁକ୍ତି ହୋଇଥିଲେ । ଏହାପରେ ବାଟାଲିୟନ ସ୍ଥାୟୀ କାର୍ଯ୍ୟାଳୟ ଖୋଲିବା ପାଇଁ ୧୦୦ ଏକର ଜମି ଆବଶ୍ୟକ ପଡ଼ିଥିଲା । କନ୍ଧମାଳ ପ୍ରଶାସନ ବାଟାଲିୟନ କାର୍ଯ୍ୟାଳୟ ଖୋଲିବା ପାଇଁ ଯେଉଁ ଜମି ଚିହ୍ନଟ କରିଥିଲେ ଉକ୍ତ ଜମିକୁ ନେଇ ସେଠାକାର ଲୋକେ ବିରୋଧ କରିଥିଲେ। ଫଳରେ କାର୍ଯ୍ୟାଳୟ ହୋଇପାରି ନ ଥିଲା। ୨୦୧୭ ଡ଼ିସେମ୍ବରରେ ଉକ୍ତ କାର୍ଯ୍ୟାଳୟ ଭଞ୍ଜନଗର ନିକଟସ୍ଥ ତନରଡ଼ାକୁ ଉଠି ଆସିଥିଲା। ଏଠାରେ ପୋଲିସ ପକ୍ଷରୁ ହୋଇଥିବା କୋଠାରେ କାର୍ଯ୍ୟାଳୟ ଖୋଲିଥିଲା । ଏହାପରେ କନ୍ଧମାଳ ଜିଲା ସୀମାକୁ ଲାଗି ସୋରଡ଼ା, ଭଞ୍ଜନଗର ବ୍ଲକର କେଉଁଠି କାର୍ଯ୍ୟାଳୟ ଖୋଲିବା ପାଇଁ ଜମି ଖୋଜା ଚାଲିଲା । ଏନେଇ ବିଭାଗୀୟ ଉଚ୍ଚ ପଦାଧିକାରୀମାନେ ବିଭିନ୍ନ ସମୟରେ ଆସି ଜମି ଖୋଜିଥିଲେ ମଧ୍ୟ ଜମି ମିଳି ନ ଥିଲା ।

ଇତିମଧ୍ୟରେ ପୁଣି କନ୍ଧମାଳ ଜିଲାରେ କାର୍ଯ୍ୟାଳୟ ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ନେଇ ପ୍ରଶାସନକୁ ଜମି ଯୋଗାଇ ଦେବାପାଇଁ ଆଇଆରବି ପକ୍ଷରୁ ଚିଠି ଲେଖାଯାଇଛି। ଅନ୍ୟପକ୍ଷରେ ତନରଡ଼ାରୁ କାର୍ଯ୍ୟାଳୟ ଭବିଷ୍ୟତରେ ଉଠିଲେ ମଧ୍ୟ ଏଠାରେ ଓଡ଼୍ରାଫ୍‌ ଟିମ୍‌ର ଏକ ୟୁନିଟ୍‌ ତନରଡ଼ା ତୋଟାରେ ଖୋଲିବା ପାଇଁ ପ୍ରସ୍ତାବ ଅଛି। ତେଣୁ ସରକାର ୨୦୧୯-୨୦ ଆର୍ଥିକ ବର୍ଷରେ ସାଢ଼େ ୩ କୋଟି ଟଙ୍କା ଅନୁଦାନ ଦେଇଥିଲେ । କିନ୍ତୁ ଜମି ହସ୍ତାନ୍ତର ପ୍ରକ୍ରିୟାରେ ବିଳମ୍ବ ଯୋଗୁ କାମ ହୋଇପାରୁନାହିଁ । ଟଙ୍କା ସେଭଳି ପଡ଼ିରହିଛି। ଡିଆଇଜି ମଙ୍ଗଳବାର ତନରଡ଼ା କ୍ୟାମ୍ପ ପରିଦର୍ଶନରେ ଆସି ଜମି ଚିହ୍ନଟ ପ୍ରକ୍ରିୟା କିଭଳି ତ୍ୱରାନ୍ବିତ ହେବ ସେନେଇ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଆଇଆରବି ବାଟାଲିୟନ କମାଣ୍ଡିଙ୍ଗ୍‌ ଅଫିସର ଲିଙ୍ଗରାଜ ମିଶ୍ର, ଡ଼େପୁଟି କମାଣ୍ଡାଣ୍ଟ ଉମେଶ ଚନ୍ଦ୍ର ଜେନା, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ତହସିଲଦାର ମନୋଜ ପ୍ରଭାକର କୁଜୁରୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ା