ତିଜୁଆନା, ୮ା୬- ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁ ଥିବା ଫିଫା ବିଶ୍ୱକପ୍ ଲାଗି ଇରାନ ଦଳର ଖେଳାଳିମାନେ ସୋମବାର ମେକ୍ସିକୋରେ ପହଞ୍ଚିଛନ୍ତି। ଘାତକ ମିସାଇଲ ଆକ୍ରମଣରେ ପ୍ରାଣ ହରାଇଥିବା ଇରାନର ଏକ ସ୍କୁଲର ଛାତ୍ରୀଛାତ୍ରଙ୍କ ପ୍ରତି ଶୋକ ବ୍ୟକ୍ତ କରିବା ପାଇଁ ଖେଳାଳିମାନେ ଜାକେଟରେ ୧୬୮ ଲେଖାଥିବା ସ୍ବର୍ଣ୍ଣିମ ରଙ୍ଗର ପିନ୍ ଲଗାଇଥିଲେ।
ଉଲ୍ଲେଖଯୋଗ୍ୟ, ଫେବୃଆରୀ ୨୮ ତାରିଖରେ ଆମେରିକା ପକ୍ଷରୁ ମିସାଇଲ ମାଡ଼ କରାଯାଇଥିଲା, ଯାହାକି ସଦର୍ନ ଇରାନର ମିନାବରେ ଥିବା ଏକ ସ୍କୁଲରେ ମାଡ଼ ହୋଇଥିଲା। ହେଲେ ଏହି ଆକ୍ରମଣ ଲାଗି ଏପର୍ଯ୍ୟନ୍ତ ଆମେରିକା କିମ୍ବା ଇସ୍ରାଏଲ କେହି ନିଜକୁ ଦାୟୀ କରି ନାହାନ୍ତି। ଏହି ଘଟଣା ଲାଗି ଗତ ମାର୍ଚ୍ଚରେ ତୁର୍କୀର ଆଣ୍ଟାଲ୍ୟାରେ ଖେଳାଯାଇଥିବା ଓ୍ବାର୍ମଅପ୍ ମ୍ୟାଚ୍ ବେଳେ ଇରାନର ଜାତୀୟ ସଂଗୀତ ଗାନ କରାଯାଉଥିବା ବେଳେ ଇରାନ ଖେଳାଳିମାନେ ପିଙ୍କ ଓ ପର୍ପଲ ବ୍ୟାକପ୍ୟାକ୍ ପରିଧାନ କରିଥିଲେ।
ଉଲ୍ଲେଖଯୋଗ୍ୟ, ଇରାନ ତା’ର ଗ୍ରୁପ୍ ପର୍ଯ୍ୟାୟରେ ୩ ମ୍ୟାଚ୍ ଆମେରିକାରେ ଖେଳିବ। ବିଳମ୍ବରେ ଭିଜା ମିଳିବା କାରଣରୁ ଇରାନ ଖେଳାଳିଙ୍କ ପ୍ରସ୍ତୁତି ପ୍ରଭାବିତ ହୋଇଛି। ଇରାନ ଆସନ୍ତା ୧୫ ତାରିଖରେ ତା’ର ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ଭେଟିବ।