ବଡ଼ ଘୋଷଣା କଲେ ଟ୍ରମ୍ପ; ‘ଇରାନ ସହ ଯୁଦ୍ଧ ପ୍ରାୟ ଶେଷ’, କହିଲେ ଏବେ….

ୱାଶିଂଟନ୍‌,୧୦।୧୧: ଇରାନ ସହ ଚାଲିଥିବା ଯୁଦ୍ଧ ପ୍ରାୟ ଶେଷ ହୋଇଯାଇଛି । ଏବେ ଆମେରିକା ପକ୍ଷରୁ ଆଉ ଆକ୍ରମଣ ଆରମ୍ଭ କରିବାର ବିଶେଷ ଆବଶ୍ୟକତା ନାହିଁ । ସୋମବାର ଗଣମାଧ୍ୟମକୁ ଏଭଳି ବୟାନ ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତାଙ୍କର ଏହି ବୟାନରୁ ଅନ୍ତତଃ ଏବେ ପାଇଁ ଇରାନ ଉପରେ ଆକ୍ରମଣ ପୁଣି ଆରମ୍ଭ କରିବାକୁ ଆମେରିକା ପ୍ରସ୍ତୁତ ନଥିବା ସଙ୍କେତ ମିଳିଛି।

କତାରର ପ୍ରଧାନମନ୍ତ୍ରୀ ଶେଖ୍‌ ମହମ୍ମଦ ବିନ୍‌ ଅବଦୁଲ ରହମାନ ବିନ୍‌ ଜସିମ ଅଲ୍‌ ଥାନିଙ୍କ ସହ ସାକ୍ଷାତ ପରେ ଟ୍ରମ୍ପ ହଠାତ୍‌ ହ୍ୱାଇଟ୍‌ ହାଉସ୍‌ର ବ୍ରିଫିଂ ରୁମ୍‌ରେ ପହଞ୍ଚି ସାମ୍ବାଦିକଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ, “ଇରାନ ସହ ଯୁଦ୍ଧ ସାମରିକ ଦୃଷ୍ଟିକୋଣରୁ ପ୍ରାୟ ଶେଷ ହୋଇଯାଇଛି। ଆମେ କେବଳ ବର୍ତ୍ତମାନର ସ୍ଥିତି ବଜାୟ ରଖିଛୁ।” ଇରାନର ସାମରିକ ଶକ୍ତିକୁ ଦୁର୍ବଳ କରାଯାଇଥିବା ସେ କହିବା ସହ ଏହାର ପରମାଣୁ କାର୍ଯ୍ୟକ୍ରମକୁ ନିଷ୍କ୍ରିୟ କରିବା ପାଇଁ ଏକ ସମାଧାନ ବାହାର କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ଇରାନ ଉପରେ ପୁଣି ଆକ୍ରମଣ କରିବା ଧମକରୁ ଟ୍ରମ୍ପ ପଛକୁ ହଟୁଥିବା ନେଇ ଏହା ତାଙ୍କର ସବୁଠାରୁ ସ୍ପଷ୍ଟ ବୟାନ ମଧ୍ୟରୁ ଅନ୍ୟତମ। ଗତ ସପ୍ତାହରେ ହୋଇଥିବା ନିର୍ବାଚନରେ ଟ୍ରମ୍ପଙ୍କ ରିପବ୍ଲିକାନ୍‌ ପାର୍ଟି କଂଗ୍ରେସର ଉଭୟ ସଦନରେ ଡେମୋକ୍ରାଟ୍‌ଙ୍କଠାରୁ ପରାଜୟ ବରଣ କରିଥିଲା। ଦୀର୍ଘ ୮ ମାସ ଧରି ଚାଲିଥିବା ଯୁଦ୍ଧକୁ ନେଇ ଆମେରିକୀୟ ଭୋଟରଙ୍କ ଅସନ୍ତୋଷ ଏହି ନିର୍ବାଚନ ଉପରେ ପ୍ରଭାବ ପକାଇଥିବା କୁହାଯାଉଛି। ଏହି ଯୁଦ୍ଧ ଯୋଗୁଁ ତୈଳ ଦରରେ ବଡ଼ ଧରଣର ବୃଦ୍ଧି ଘଟିଛି। ଏହାର ପ୍ରଭାବ ବିଶ୍ୱ ଅର୍ଥନୀତିର ପ୍ରାୟ ସବୁ କ୍ଷେତ୍ରରେ ପଡ଼ିଛି।

ଯୁଦ୍ଧ ସମୟରେ ଟ୍ରମ୍ପ ଅନେକଥର ଧମକ ଦେଇଥିଲେ ଯେ, ଇରାନର ନେତାମାନେ ଆମେରିକାର ସର୍ତ୍ତ ଶୀଘ୍ର ଗ୍ରହଣ ନକଲେ ଆମେରିକୀୟ ସେନାକୁ ଆକ୍ରମଣ ଜୋରଦାର କରିବାକୁ ନିର୍ଦ୍ଦେଶ ଦେବେ । କିନ୍ତୁ ପ୍ରତ୍ୟେକ ଥର ଶେଷ ମୁହୂର୍ତ୍ତରେ ସେ ନିଜ ନିଷ୍ପତ୍ତି ବଦଳାଇଥିଲେ । ଉପସାଗରୀୟ ଦେଶଗୁଡ଼ିକର ସହଯୋଗୀଙ୍କ ଅନୁରୋଧ ପରେ କୂଟନୈତିକ ଆଲୋଚନାକୁ ଆଉ କିଛି ସମୟ ଦେବାକୁ ସେ ରାଜି ହୋଇଥିଲେ। ସୋମବାର ସାମ୍ବାଦିକଙ୍କ ସହ କଥା ହେବା ପୂର୍ବରୁ ଟ୍ରମ୍ପ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ। ଏଥିରେ କତାର, ସାଉଦି ଆରବ, ୟୁଏଇ, ବାହାରିନ୍‌, କୁଏତ୍‌ ଆଦି ମଧ୍ୟପ୍ରାଚ୍ୟର ସହଯୋଗୀ ଦେଶଗୁଡ଼ିକ ବର୍ତ୍ତମାନର ସ୍ଥିତି ବଜାୟ ରଖିବାକୁ ପସନ୍ଦ କରୁଥିବା ସେ କହିଥିଲେ।

 

Dharitri – Odisha’s No.1 Odia Daily

Share