ଇରାନ-ଆମେରିକା ଆଲୋଚନା ଖୁବ୍‌ଶୀଘ୍ର: ପାକିସ୍ତାନ ଗସ୍ତରେ …

ଇସ୍‌ଲାମାବାଦ,୨୫ା୪ : ଆମେରିକା ସହ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନାରେ ଭାଗ ନେବା ପାଇଁ ଇରାନ ବହିର୍ବ୍ୟାପାର ମନ୍ତ୍ରୀ ଅବ୍ବାସ ଅରାଘଚିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପାକିସ୍ତାନ ଆସୁଛନ୍ତି। ଏହି ଖବର ପ୍ରକାଶ ପାଇବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ଦୂତ ଷ୍ଟିଭ୍‌ ଓ୍ବିଟ୍‌କଫ୍‌ ଏବଂ ଜାରେଡ କୁଶନେରଙ୍କୁ ଇସ୍‌ଲାମାବାଦ ପଠାଉଥିବା ଶୁକ୍ରବାର ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି। ଆଲୋଚନା ଫଳପ୍ରଦ ହେବା ସହ ଉଭୟପକ୍ଷ ଚୁକ୍ତିରେ ପହଞ୍ଚତ୍ବା ନେଇ ଆମେରିକା ଆଶାବାଦୀ ଥିବା ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସଚିବ କାରୋଲିନ୍‌ ଲିଭିଟ୍‌ କହିଛନ୍ତି।
ସାରା ବିଶ୍ୱ ଯୁଦ୍ଧକୁ ନେଇ ଚିନ୍ତାରେ ଥିବାବେଳେ ଷ୍ଟେଟ୍‌ ଅଫ୍‌ ହର୍ମୁଜ୍‌ ଅବରୋଧ ଯୋଗୁ ଉକ୍ତ ସାମୁଦ୍ରିକ ପଥ ଦେଇ ଇନ୍ଧନ ରପ୍ତାନି ବାଧାପ୍ରାପ୍ତ ହୋଇଛି। ଯୁଦ୍ଧ ବନ୍ଦ କରିବା ସହ ହର୍ମୁଜକୁ ଜାହାଜ ଚଳାଚଳ ପାଇଁ ଅବରୋଧମୁକ୍ତ କରିବା ଲାଗି ପାକିସ୍ତାନ ମଧ୍ୟସ୍ଥତାରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ଉଦ୍ୟମ ଜାରି ରହିଥିବାବେଳେ ଅସ୍ତ୍ରବିରତି ସମୟସୀମା ଶେଷହେବା ପୂର୍ବରୁ ଟ୍ରମ୍ପ୍‌ ଏହାର ଅବଧିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବଢ଼ାଇଥିଲେ।
ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ମାଇନ୍‌ ବିଛାଉଥିବା ବୋଟ୍‌ଗୁଡ଼ିକୁ ଗୁଳି କରି ଧ୍ୱଂସ କରିଦେବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗୁରୁବାର ନୌସେନାକୁ ନିର୍ଦ୍ଦେଶ ଦେବା ପରେ ଇରାନ ଏବଂ ଆମେରିକା ମଧ୍ୟରେ ବିବାଦ ଏକ ଭୟାନକ ପର୍ଯ୍ୟାୟରେ ପହଞ୍ଚତ୍ଛି। ଆମେରିକା ନୌସେନା ହର୍ମୁଜ୍‌ରେ ମାଇନ୍‌ ହଟାଇବା କାର୍ଯ୍ୟକୁ ଅଧିକ ତ୍ୱରାନ୍ବିତ କରିଛି। ଟ୍ରମ୍ପ୍‌ ଏଭଳି ଧମକ ଦେବା ସହ ଆମେରିକା ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖିଥିବା ଦାବି କରିଥିଲେ। ଏହି ଘଟଣା ପରେ ଅରାଘଚି ପାକିସ୍ତାନ ଗସ୍ତରେ ଆସୁଛନ୍ତି। ଏଥିସହିତ ସେ ଓମାନ ଏବଂ ରୁଷିଆ ଯିବେ ବୋଲି ଗଣମାଧ୍ୟମ କହିଛି।

Odisha’s No.1 Odia Daily

Share