ଆମେରିକା ନିକଟରେ ୭ଟି ସର୍ତ୍ତ ରଖିଲା ଇରାନ: ‘ଏଗୁଡ଼ିକ ପୂରଣ ହେଲେ, ଖୋଲିବ ରାସ୍ତା’

ତେହରାନ,୧।୧୧: ଇରାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଶେଷ ହେବାର କୌଣସି ଲକ୍ଷଣ ଦେଖାଯାଉନାହିଁ ଏବଂ ଉଭୟ ଦେଶ ମଧ୍ୟରେ ଉତ୍ତେଜନା କମିବାର ମଧ୍ୟ କୌଣସି ସଙ୍କେତ ମିଳୁନାହିଁ। ଏହି ସମୟରେ, ତେହରାନ ଏକ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛି। ଇରାନର ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀ ମୋହସେନ ରେଜାୟୀ କହିଛନ୍ତି ଯେ, ଯଦି ଇରାନର ସାତୋଟି ସର୍ତ୍ତ ପୂରଣ କରାଯାଏ, ତେବେ ଆଲୋଚନା ଏବଂ କୂଟନୀତିର ରାସ୍ତା ଖୋଲା ରହିଛି।
ତେହରାନ ଚେତାବନୀ ଦେଇଛି ଯେ ଇରାନ ଉପରେ ଯେକୌଣସି ଆକ୍ରମଣ ହେଲେ ତାହାର ଅତ୍ୟନ୍ତ କଠୋର ଜବାବ ଦିଆଯିବ। ରେଜାୟୀଙ୍କ ଅନୁଯାୟୀ, ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ନିର୍ଦ୍ଦେଶକ୍ରମେ ଇରାନ ନୂତନ ଅସ୍ତ୍ରଶସ୍ତ୍ର ମୁତୟନ କରିପାରେ। ଆମେରିକୀୟ ନ୍ୟୁଜ ୱେବସାଇଟ ‘ଆକ୍ସିଓସ’ (Axios) ର ଏକ ରିପୋର୍ଟ ଅନୁଯାୟୀ, ଶୁକ୍ରବାର କତାରର ମଧ୍ୟସ୍ଥ୍ୟକାରୀମାନେ ଇରାନର ରାଜଧାନୀ ତେହରାନରେ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା କରିଛନ୍ତି।
ଇରାନ ଆମେରିକା ସମ୍ମୁଖରେ ସାତୋଟି ସର୍ତ୍ତ ରଖିଛି; ଯଦି ଆମେରିକା ଏଗୁଡ଼ିକୁ ଗ୍ରହଣ କରେ, ତେବେ ଉଭୟ ଦେଶ ମଧ୍ୟରେ ଆଲୋଚନା ଓ କୂଟନୈତିକ ପ୍ରକ୍ରିୟା ପାଇଁ ରାସ୍ତା ଖୋଲା ରହିବ। ତେବେ, ତେହରାନ ସ୍ପଷ୍ଟ କରିଦେଇଛି ଯେ ଯଦି ଆମେରିକା ଇରାନ ଉପରେ କୌଣସି ନୂତନ ଆକ୍ରମଣ କରେ, ତେବେ ଇରାନ ନୀରବ ହୋଇ ବସିବ ନାହିଁ, ବରଂ ଦୃଢ଼ ଜବାବ ଦେବ।
ଇରାନ ଦ୍ୱାରା ରଖାଯାଇଥିବା ସାତୋଟି ସର୍ତ୍ତ ମଧ୍ୟରେ ତେଲ ରପ୍ତାନି ଉପରେ ଲାଗୁ ହୋଇଥିବା କଟକଣା (ସାଙ୍କସନ) ହଟାଇବା ଏବଂ ବିଦେଶରେ ଅଟକି ରହିଥିବା ଅର୍ଥରାଶିବିଶେଷକରି କତାରରେ ଜମା ଥିବା ୬ ବିଲିୟନ ଡଲାରଫେରସ୍ତ ପାଇବା ଦାବି ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, ଇରାନ ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ଅର୍ଥନୈତିକ କଟକଣାଗୁଡ଼ିକୁ ପ୍ରତ୍ୟାହାର କରିବାକୁ ଚାହୁଁଛି। ଇରାନର କହିବା କଥା ଯେ, ଜୁନ ୨୦୨୬ରେ ଉଭୟ ଦେଶ ମଧ୍ୟରେ ହୋଇଥିବା ଏକ ଚୁକ୍ତି ଅନୁଯାୟୀ, ଆମେରିକା ତେଲ ରପ୍ତାନି କ୍ଷେତ୍ରରେ କୋହଳ ବ୍ୟବସ୍ଥା କରିବାକୁ ଏବଂ ନୂତନ କଟକଣା ଲାଗୁ ନ କରିବାକୁ ପ୍ରତିଶ୍ରୁତି ଦେଇଥିଲା।
ଅନ୍ୟପକ୍ଷରେ, ଆଲୋଚନା ପୁନଃ ଆରମ୍ଭ ହେବା ପୂର୍ବରୁ ଆମେରିକା ଚାହୁଁଛି ଯେ ଇରାନ ନିଜର ପରମାଣୁ କାର୍ଯ୍ୟକ୍ରମ ସମ୍ବନ୍ଧରେ କିଛି ରିହାତି କିମ୍ବା ପରିବର୍ତ୍ତନ ଆଣୁ।

Dharitri – Odisha’s No.1, Most Trusted Odia Daily

Share
Tags: americaIran