ତେହରାନ୍, ୧୦ା୮: ଇରାନ ସୁପ୍ରିମ ଲିଡର ମୋଜତାବା ଖାମେନେଇଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ଇସ୍ରାଏଲ୍ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତେହରାନ୍ ମୋଜତାବାଙ୍କ ଏକ ଭିଡିଓ ଜାରି କରିଛି। ସେଠାର ରାଷ୍ଟ୍ରାୟତ୍ତ ନ୍ୟୁଜ୍ ଏଜେନ୍ସି ଜାରି କରିଥିବା ଉକ୍ତ ଭିଡିଓ କେତେ ତାରିଖର ତାହା ଉଲ୍ଲେଖ ନାହିଁ। ଗତ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ୍ର ମିଳିତ ଆକ୍ରମଣରେ ତତ୍କାଳୀନ ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ମୋଜତାବା ଦେଶର ସୁପ୍ରିମ ଲିଡର ହୋଇଥିବାବେଳେ ସେ ଆଜି ପର୍ଯ୍ୟନ୍ତ ସର୍ବସାଧାରଣରେ ଦେଖାଦେଇ ନାହାନ୍ତି। ପ୍ରଥମ ଥର ପାଇଁ ଶନିବାର ନ୍ୟୁଜ୍ ଏଜେନ୍ସିର ଓ୍ବେବ୍ସାଇଟ୍ରେ ପ୍ରକାଶ ପାଇଛି, ଯେଉଁଥିରେ ସେ ଉତ୍ତମ ସ୍ବାସ୍ଥ୍ୟରେ ଥିବା ଏବଂ ଏକ ରୁଦ୍ଧଦ୍ୱାର ପ୍ରକୋଷ୍ଠରେ କାର୍ପେଟ ଉପରେ ବସିଥିବା ଦେଖାଯାଇଛି। ପାଖରେ ବସିଥିବା ଅନ୍ୟ ଲୋକମାନଙ୍କ ସହ ସେ କଥା ହେଉଥିବା ୧୨ ସେକେଣ୍ଡର ଭିଡିଓରୁ ଦେଖିବାକୁ ମିଳିଛି। କେତେବେଳେ ଓ କେଉଁଠି ଏହି ଭିଡିଓ ଶୁଟ୍ କରାଯରାଇଥିଲା, ତାହା ଜଣାପଡ଼ି ନାହିଁ।