ନୂଆଦିଲ୍ଲୀ,୨୫।୩: ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ ପ୍ରତ୍ୟାଖାନ କରିଥିବା ନେଇ କୁହାଯାଇଛି । ଅଧିକାରୀ ଜଣକ କଡ଼ା ଶବ୍ଦରେ କହିଛନ୍ତି ଯେ ଏହି ଯୁଦ୍ଧ ଇରାନ ନିଷ୍ପତ୍ତି ନେଲେ ଶେଷ ହେବ – ଟ୍ରମ୍ପ ନୁହେଁ ।
ରିପୋର୍ଟ ଅନୁସାରେ, ଟ୍ରମ୍ପଙ୍କ ସ୍ୱତନ୍ତ୍ର ଦୂତ ଷ୍ଟିଭ୍ ୱିଟକଫଙ୍କ ଦ୍ୱାରା ମଧ୍ୟସ୍ଥିଙ୍କ ମାଧ୍ୟମରେ ଦିଆଯାଇଥିବା ପ୍ରସ୍ତାବ ଇରାନର ଆଲୋଚନା ପ୍ରାଥମିକତା ମଧ୍ୟରେ ନାହିଁ। ଇରାନ ବିଶ୍ୱାସ କରେ ଯେ, ବର୍ତ୍ତମାନ ପରିସ୍ଥିତିରେ, ଏହି ମନୋଭାବରେ ପରିବର୍ତ୍ତନ ହେବାର ସମ୍ଭାବନା ବହୁତ କମ୍। ଇରାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଯୁଦ୍ଧ ସମାପ୍ତ କରିବା ପାଇଁ ଇରାନ ସରକାର ପାଞ୍ଚଟି ସର୍ତ୍ତ ରଖିଛନ୍ତି ।
- ‘ଶତ୍ରୁ’ ଦ୍ୱାରା ସାମରିକ ଆକ୍ରମଣ ଏବଂ ହତ୍ୟାକାଣ୍ଡକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଡିବ।
- ଭବିଷ୍ୟତରେ ଇରାନ ଉପରେ ଆଉ ଯୁଦ୍ଧ ଲାଗୁ କରାଯିବ ନାହିଁ ବୋଲି ଏକ ଠୋସ୍ ଗ୍ୟାରେଣ୍ଟି ପ୍ରଦାନ କରିବାକୁ ପଡିବ।
- ଯୁଦ୍ଧ ସମୟରେ ହୋଇଥିବା କ୍ଷତି ପାଇଁ ଇରାନକୁ କ୍ଷତିପୂରଣ ଦେବାକୁ ପଡିବ ।
- ସବୁ ଦିଗରୁ ଓ ସବୁ ପକ୍ଷର ଆକ୍ରମଣ ବନ୍ଦ କରାଯାଉ ।
- ହର୍ମୁଜ ପ୍ରଣାଳୀ ଉପରେ ଇରାନର ସାର୍ବଭୌମ ଅଧିକାରକୁ ଆନ୍ତର୍ଜାତୀୟ ସ୍ୱୀକୃତି ପ୍ରଦାନ କରିବାକୁ ପଡିବ।
ତେବେ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ ପରେ ଇରାନ ଦେଇଥିବା ସର୍ତ୍ତ କେଉଁ ମୋଡ ନେଉଛି ତାହା ଦେଖିବା ବାକି ରହିଲା ।

