ତେହରାନ,୨୪।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଆକ୍ରମଣ କରିବାକୁ ପୁଣିଥରେ ଧମକ ଦେଇଛନ୍ତି। ଟ୍ରମ୍ପ ଏହି ସମ୍ଭାବ୍ୟ ଆକ୍ରମଣକୁ ଏକ ‘ଛୋଟ କିନ୍ତୁ ଭୟଙ୍କର କ୍ରୋଧ’ (little epic fury) ବୋଲି ବର୍ଣ୍ଣନା କରିଛନ୍ତି। ସେ ଦାବି କରିଛନ୍ତି ଯେ ଏଭଳି ଆକ୍ରମଣ ପରେ ଇରାନ ତାଙ୍କର ସମସ୍ତ ସର୍ତ୍ତ ମାନିବାକୁ ବାଧ୍ୟ ହେବ।
ଫେବୃଆରୀ ୨୮ରୁ ଆରମ୍ଭ ହୋଇଥିବା ଆମେରିକା ଓ ଇରାନ ମଧ୍ୟରେ ବିବାଦର ସମାଧାନ ପାଇଁ ଏପର୍ଯ୍ୟନ୍ତ କୌଣସି ଚୁକ୍ତି ହୋଇପାରିନାହିଁ। ଏହି ଧମକର ଜବାବରେ ଇରାନ ପାଲଟା ଚେତାବନୀ ଦେଇ କହିଛି ଯେ ଆମେରିକା ‘ନିଆଁ ସହିତ ଖେଳିବା’ ଉଚିତ ନୁହେଁ।
ଫ୍ଲୋରିଡାରେ ଏକ ରିପବ୍ଲିକାନ ପ୍ରଚାର ସଭାରେ ଉଦବୋଧନ ଦେବା ବେଳେ ଟ୍ରମ୍ପ କହିଲେ, ‘ଆମେ ଆଉ ଏକ ‘ଛୋଟ କିନ୍ତୁ ଭୟଙ୍କର କ୍ରୋଧ’ (little epic fury) ପ୍ରଦର୍ଶନ କରିପାରୁ, ଯାହା ପରେ ସେମାନେ ଏକ ବୁଝାମଣା ପାଇଁ ରାଜି ହୋଇଯିବେ। ଯଦି ସେମାନେ ବୁଦ୍ଧିମାନ ହୋଇଥିବେ, ତେବେ ସେମାନେ ସିଧାସଳଖ କହିବେ, ‘ଚାଲନ୍ତୁ, କାମ ଆରମ୍ଭ କରିବା (ମୁଖ୍ୟ ବିଷୟ ଉପରେ ଆଲୋଚନା କରିବା)।“
୨୦୨୬ ମସିହା ଫେବୃଆରୀ ୨୮ ରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣକୁ ‘ଅପରେଶନ ଏପିକ ଫ୍ୟୁରୀ’ (Operation Epic Fury) ନାମ ଦିଆଯାଇଥିଲା। ଏହି ଆକ୍ରମଣରେ ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ଏବଂ ତାଙ୍କ ପରିବାରର ସଦସ୍ୟମାନେ ନିହତ ହୋଇଥିଲେ। ଏହି ଅଭିଯାନ ମଧ୍ୟପ୍ରାଚ୍ୟରେ ଏକ ଯୁଦ୍ଧର ସୂତ୍ରପାତ କଲା, ଯାହା ବର୍ତ୍ତମାନ ମଧ୍ୟ ଜାରି ରହିଛି।
ତୁର୍କୀରେ ଆମେରିକା ରାଷ୍ଟ୍ରଦୂତ ତଥା ସିରିଆ ସମ୍ବନ୍ଧୀୟ ବ୍ୟାପାରର ମୁଖ୍ୟ ଅଧିକାରୀ ଟମ ବାରାକ ଏକ ବିବୃତ୍ତି ଦେବାର କିଛି ଘଣ୍ଟା ପରେ ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଆସିଥିଲା। ବାରାକ ସୂଚନା ଦେଇଥିଲେ ଯେ ଆମେରିକା ଚଳିତ ସପ୍ତାହ ଶେଷରେ ଇରାନ ଉପରେ ଆକ୍ରମଣ କରିପାରେ।
ତେବେ, ରାଷ୍ଟ୍ରପତି ଟ୍ରମ୍ପ ବାରାକଙ୍କ ମନ୍ତବ୍ୟକୁ ଗୁରୁତ୍ୱ ଦେଇନଥିଲେ ଏବଂ ପ୍ରଶ୍ନ କରିଥିଲେ, ‘ସେ କ’ଣ ମୋର ରାଷ୍ଟ୍ରଦୂତ ଥିଲେ? ମୋତେ ଲାଗୁଛି ସେ ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ବ୍ୟକ୍ତି। ଯଦି ସେପରି କିଛି ହୋଇଥାଏ, ତେବେ ମୁଁ ଏ ବିଷୟରେ କିଛି ଜାଣିନାହିଁ।’
ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଇରାନ ଆମେରିକାକୁ ‘ଆଗକୁ ନ ଖେଳିବାକ’ ଚେତାବନୀ ଦେଇଛି। ଯଦି ୱାଶିଂଟନ ଏବଂ ଇସ୍ରାଏଲ ତା’ ବିରୁଦ୍ଧରେ ଆଉ ଏକ ଆକ୍ରମଣ କରନ୍ତି, ତେବେ ଇରାନ ଉପସାଗରରେ ସମୁଦ୍ର ତଳ ଯୋଗାଯୋଗ କେବୁଲଗୁଡ଼ିକୁ ଟାର୍ଗେଟ କରିବାକୁ ଯୋଜନା ପ୍ରସ୍ତୁତ କରିଛି।
ରିପୋର୍ଟରେ ଜଣେ ଇରାନୀ ଅଧିକାରୀଙ୍କ କହିବାକୁ ଉଦ୍ଧୃତ କରାଯାଇଛି ଯେ, ‘ଯଦି ଇରାନ ଉପରେ ଆକ୍ରମଣ ହୁଏ, ତେବେ କୌଣସି ‘ଲାଲ ରେଖା’ ରହିବ ନାହିଁ। ସମୁଦ୍ର ତଳ କେବୁଲଠାରୁ ଆରମ୍ଭ କରି ସାମରିକ ପ୍ରତିଷ୍ଠାନ (ଗୁପ୍ତ ସମେତ) ପର୍ଯ୍ୟନ୍ତ ସବୁକିଛି ଟାର୍ଗେଟ ହେବ। ଆମେରିକା ନିଆଁ ସହିତ ଖେଳିବା ଉଚିତ ନୁହେଁ।’