ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍) ଇରାନ ବିଶ୍ୱକପ୍ ପୁଟ୍ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ ପ୍ରଥମେ ଟ୍ରେନିଂ ନେବାପରେ ଚଳିତମାସରେ ଲସ୍ଏଞ୍ଜେଲ୍ସ ନିକଟରେ ଏହାର ପ୍ରଥମ ଦୁଇଟି ମ୍ୟାଚ ଖେଳିବ।
ଇସ୍ରାଏଲ ଓ ଆମେରିକା ସହିତ ଇରାନର ଯୁଦ୍ଧ ଯୋଗୁ ଟୁର୍ନାମେଣ୍ଟରେ ଦଳର ଅଂଶଗ୍ରହଣକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ଆଗୁଆ ଭିଜା ମିଳିଥିଲେ ଇରାନ ଆରିଜୋନାସ୍ଥିତ ଟନ୍ସନଠାରେ ଏହାର ଟ୍ରେନିଂସ୍ଥଳ କରିଥାନ୍ତି। ମାତ୍ର ଏଥିରେ ବିଳମ୍ବ ହେବାରୁ ଦଳ ଏହାର ଟ୍ରେନିଂ ସ୍ଥଳ ମେକ୍ସିକୋ ଓ କାଲିଫର୍ନିଆ ସୀମାରେ ଥିବା ତୁଜିଆନାକୁ ସ୍ଥାନାନ୍ତର କରିଛି। ଇରାନ ଫୁଟ୍ବଲ ଦଳ ତୁର୍କୀସ୍ଥିତ ଆଣ୍ଟାଲ୍ୟାରେ ଏକ ଟ୍ରେନିଂ କ୍ୟାମ୍ପରେ ବିଶ୍ୱକପ୍ ପାଇଁ ପ୍ରସ୍ତୁତି କାର୍ଯ୍ୟ ଚଳାଇଛି। ଇରାନ ଏହାର ପ୍ରଥମ ଦୁଇ ମ୍ୟାଚ ମଧ୍ୟରୁ ପ୍ରଥମଟି କାଲିଫର୍ନିଆର ଇଙ୍ଗଲଉଡ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ଏବଂ ଦ୍ୱିତୀୟ ମ୍ୟାଚ ଏହାର ୬ ଦିନ ପରେ ଜୁନ୍ ୨୬ରେ ସିଆଟେଲଠାରେ ବେଲଜିୟମ ବିପକ୍ଷରେ ଖେଳିବ। ଅନ୍ୟପକ୍ଷେ ଇରାନ ଫୁଟବଲ ଦଳ ଆମେରିକା ପ୍ରବେଶ ପାଇଁ ଅନୁମତି ପାଇଥିବା ବେଳେ କର୍ମଚାରୀମାନେ ଏବେ ବି ଭିସା ଅପେକ୍ଷାରେ ରହିଛନ୍ତି।