Categories: ଖେଳ

ଗୋଟିଏ ଘରେ ସପରିବାର ରହୁଛନ୍ତି ଆଇପିଏଲ୍‌ର ଏହି ଖେଳାଳି, ବାପା ଚଲାଉଥିଲେ ଅଟୋ, ଆତ୍ମହତ୍ୟା କରିଥିଲେ ଭାଇ

ଆଇପିଏଲ୍‌ ୧୪ତମ ସଂସ୍କରଣର ଚତୁର୍ଥ ମ୍ୟାଚ୍‌ ପ୍ରୀତି ଜିଣ୍ଟାଙ୍କ କିଙ୍ଗ୍ସ ଏକାଦଶ ପଞ୍ଜାବ ୪ ରନ୍‌ରେ ରାଜସ୍ଥାନ ରୟାଲକୁ ପରାସ୍ତ କରିଛି। ତେବେ ଏହି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ସମସ୍ତଙ୍କ ହୃଦୟ ଜିତିଛି। ବିଶେଷକରି ଚେତନ ସକରିୟା ନିଜର ଡେବ୍ୟୁ ମ୍ୟାଚ୍‌ରେ ୩ ଉଇକେଟ୍‌ ହାସଲ କରିଥିଲେ।
୨୩ ବର୍ଷୀୟ ଏହି ଯୁବ ଖେଳାଳିଙ୍କର କ୍ରିକେଟର ହେବାର ସ୍ବପ୍ନ ଏତେ ସହଜ ନ ଥିଲା। ଘରର ଆର୍ଥିକ ପରିସ୍ଥିତି ଖରାପ ଥିବାରୁ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଏପରିକି ଚଳିତ ବର୍ଷ ଭାଇଙ୍କ ମୃତ୍ୟୁ ପରେ ସେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡ଼ିଥିଲେ। ଏହା ସତ୍ତ୍ୱେ ମଧ୍ୟ ସେ ଆଇପିଏଲ୍‌ରେ ଡେବ୍ୟୁ କରିଛନ୍ତି। ସକରିୟା ୪ ଓଭରରେ ୩୧ ରନ୍‌ ଦେଇ ୩ ଉଇକେଟ ନେଇଛନ୍ତି। ରାଜସ୍ଥାନ ମ୍ୟାଚ୍‌ ହାରିଥିଲେ ମଧ୍ୟ ସକରିୟା ସମସ୍ତଙ୍କ ହୃଜୟ ଜିତିପାରିଛନ୍ତି।
ରାଜକୋଟରୁ ୧୮୦ କିମି ଦୂର ବରତେଜ ଗାଁରେ ରହୁଥିବା ସକରିୟାଙ୍କ ପିତା ଅଟୋ ଚଲାଉଥିଲେ। ମାତ୍ର ତାଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ କିଛି ବର୍ଷ ହେବ ସେ ଆଉ ଅଟୋ ଚଲାଉ ନାହାନ୍ତି। ଏହାପରେ ଚେତନଙ୍କୁ ଘରର ଖର୍ଚ୍ଚ ଉଠାଇବାକୁ ପଡିଥିଲା। ଏଥିପାଇଁ ସେ ମାମୁଙ୍କ ଷ୍ଟେଶନାରୀ ଦୋକାନରେ କାମ କରୁଥିଲେ। ମାମୁ ତାଙ୍କୁ ଆର୍ଥିକ ସହାୟତା କରିବା ସହ କ୍ରିକେଟର ହେବାରେ ସହାୟତା କରିଥିଲେ। ଏହା ପରେ ସେ ୨୦୧୮-୧୯ରେ ସୌରାଷ୍ଟ୍ର ପାଇଁ ଡେବ୍ୟୁ କରିଥିଲେ।
ତେବେ ଚଳିତ ବର୍ଷ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଖେଳୁଥିବା ବେଳେ ତାଙ୍କ ଜୀବନରେ ବଡ ଅଘଟଣ ଘଟିଥିଲା। ଏହି ସମୟରେ ତାଙ୍କ ଭାଇ ଆତ୍ମହତ୍ୟା କରିଥିଲେ। ସେ ଘରକୁ ଫେରିବା ପରେ ଭାଇର ମୃତ୍ୟୁ ଖବର ଜାଣିବାକୁ ପାଇଥିଲେ।
ଏବେ ଏହି ଖେଳାଳିଙ୍କ ସ୍ବପ୍ନ ଜଣେ ସଫଳ ବୋଲର ହେବା ନୁହେଁ, ବରଂ ଘରର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା। ଚେତନ ଏବଂ ତାଙ୍କ ପରିବାର ଗୋଟିଏ ଘରେ ରହୁଛନ୍ତି। ଆଗକୁ ଘର କିଣିବା ତାଙ୍କର ଲକ୍ଷ୍ୟ ରହିଛି।
ବର୍ତ୍ତମାନ ପର୍ଯ୍ୟନ୍ତ ଚେତନଙ୍କ କ୍ରିକେଟ କ୍ୟାରିୟର ଛୋଟ ରହିଛି। ସେ ୧୫ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ୪୧ ଉଇକେଟ ନେଇଛନ୍ତି। ୭ଟି ତାଲିକା ଏ ମ୍ୟାଚ୍‌ରେ ୧୦ ଉଇକେଟ୍‌ ଏବଂ ୧୬ଟି ଟି-୨୦ ମ୍ୟାଚ୍‌ରେ ୨୮ ଉଇକେଟ ନିଜ ନାମରେ କରିଛନ୍ତି।

Share