ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍ ଆଇପିଏଲ୍ (ଇଣ୍ଡିଆନ ପ୍ରିମିୟର ଲିଗ୍)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ ଚାଲିବ। ଅଂଶଗ୍ରହଣକାରୀ ୧୦ଟି ଦଳକୁ ନେଇ ମୋଟ ୭୪ଟି ମ୍ୟାଚ୍ ଅନୁଷ୍ଠିତ ହେବ। ଫ୍ରାଞ୍ଚାଇଜ୍ଭିତ୍ତିକ ଏହି ଲିଗ୍ର ମ୍ୟାଚ୍ଗୁଡ଼ିକ ବେଙ୍ଗାଲୁରୁ, ଅହମଦାବାଦ, ଚେନ୍ନାଇ, ଦିଲ୍ଲୀ, ଧର୍ମଶାଳା, ଗୁଆହାଟୀ, ହାଇଦ୍ରାବାଦ, ଜୟପୁର, କୋଲକାତା, ଲକ୍ଷ୍ନୌ, ମୁଲାନପୁର, ମୁମ୍ବାଇ ଓ ରାୟପୁର ଆଦି ୧୩ ଭେନ୍ୟୁରେ ଅନୁଷ୍ଠିତ ହେବ। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ଓ ୨୦୧୬ ଚାମ୍ପିୟନ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଅନୁଷ୍ଠିତ ହେବ। ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ।
ଗତ ସଂସ୍କରଣରେ ଆର୍ସିବି ଚାମ୍ପିୟନ ହେବାପରେ ଜୁନ୍ ୪ରେ ଅନୁଷ୍ଠିତ ବିଜୟ ଶୋଭାଯାତ୍ରା ଅବସରରେ ଦଳାଚକଟାରେ ୧୧ ପ୍ରଶଂସକଙ୍କ ଜୀବନ ଯାଇଥିଲା। ଫଳରେ ଏଥର ବେଙ୍ଗାଲୁରୁରେ ଆଉ ମ୍ୟାଚ ହେବ କି ନାହିଁ ତାହାକୁ ନେଇ ସଂଶୟ ପ୍ରକାଶ ପାଇଥିଲା। ମାତ୍ର କର୍ନାଟକ ରାଜ୍ୟ କ୍ରିକେଟ ଆସୋସିଏଶନ ଏବଂ ଆର୍ସିବି ମ୍ୟାନେଜ୍ମେଣ୍ଟ ସୁରକ୍ଷା ସମ୍ପର୍କିତ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାପରେ ଚିନ୍ନାସ୍ବାମୀରେ ପୁଣି ମ୍ୟାଚ ସମ୍ଭବ ହୋଇଛି। ମ୍ୟାଚ୍ ଅବସରରେ ଷ୍ଟାଡିୟମରେ ୧୧ଟି ସିଟ୍କୁ ସ୍ଥାୟୀଭାବେ ଫାଙ୍କା ରଖାଯିବାକୁ କର୍ନାଟକ କ୍ରିକେଟ ଆସୋସିଏଶନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅଭ୍ୟାସ ମ୍ୟାଚ ଅବସରରେ ଆର୍ସିବି ଖେଳାଳିମାନେ ୧୧ ନମ୍ବର ଜର୍ସି ପରିଧାନ କରିବେ ଏବଂ ମ୍ୟାଚ୍ ଅବସରରେ କମଳା ଆର୍ମବ୍ୟାଣ୍ଡ ପିନ୍ଧିବେ। ଗତଥରର ଚାମ୍ପିୟନ ଆର୍ସିବି ଏଥର ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ ଥିବାବେଳେ ପୂର୍ବ ଗୌରବ ଫେରିପାଇବା ଲକ୍ଷ୍ୟରେ ରହିଛି ସନ୍ରାଇଜର୍ସ। ଗତ ସଂସ୍କରଣରେ ଏହି ଦଳ ଆଶାନୁରୂପ ପ୍ରଦର୍ଶନ କରି ନ ପାରି ୬ଷ୍ଠ ସ୍ଥାନରେ ରହିଥିଲା। ଏଥର ସମସ୍ତ ଦଳ ପୁନର୍ଗଠିତ ହୋଇଥିବାରୁ ଆଇପିଏଲ୍ ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ହେବା ଆଶା ରହିଛି।
Dharitri – Odisha’s No.1 Odia Daily

