Categories: Home Leftଖେଳ

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ମଧ୍ୟରେ ଖୋଳାଯାଉଛି। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ୨୦ ଓଭରରେ ୮ ଉଇକେଟ ହରାଇ ୧୫୫ ରନ୍‌ କରିଛି। ଫଳରେ ଆର୍‌ସିବି ଆଗରେ ୧୫୬ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଛି ଗୁଜରାଟ । ଅନ୍ୟପକ୍ଷେ ଉଭୟ ଦଳ ଦ୍ୱିତୀୟ ଟାଇଟଲ ଲକ୍ଷ୍ୟରେ ରହିଛନ୍ତି।

ଅଧିନାୟକ ରଜତ ପଟିଦାର ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦଳୀୟ ପେସର ଉଚିତ ଲାଇନ ଲେନ୍ଥରେ ବୋଲିଂ କରି ଏହି ନିଷ୍ପତ୍ତିକୁ ସଠିକ ସାବ୍ୟସ୍ତ କରିଥିଲେ। କ୍ୱାଲିଫାୟର-୨ରେ ଶତକୀୟ ପାଳି ଖେଳିଥିବା ଅଧିନାୟକ ଶୁବମନ ଗିଲ ୧୦ ଓ ସାଇ ସୁଦର୍ଶନ ୧୨ ରନ କରି କ୍ରମାଗତ ଓଭରରେ ଆଉଟ୍‌ ହେବାରୁ ଗୁଜରାଟ ବ୍ୟାକଫୁଟକୁ ଚାଲି ଯାଇଥିଲା। ନଂ.୩ରେ ଆସିଥିବା ନିଶାନ୍ତ ସିନ୍ଧୁ (୨୦) ମଧ୍ୟ ବିଫଳ ହୋଇଥିଲେ। ଫଳରେ ଗୁଜରାଟ ପ୍ରଥମ ୧୦ ଓଭର ସୁଦ୍ଧା ୩ ଉଇକେଟ ହରାଇ ୬୩ ରନ କରିଥିଲା।

ଓ୍ବାଶିଂଟନ ସୁନ୍ଦର ଧୈର୍ଯ୍ୟର ସହ ବ୍ୟାଟିଂ କରି ଗୋଟିଏ ପକ୍ଷ ସମ୍ଭାଳି ରଖିଥିବା ବେଳେ ଅନ୍ୟ ପଟେ ଉଇକେଟ ପତନ ଜାରି ରହିଥିଲା। ପ୍ରାରମ୍ଭିକ ଉଇକେଟ ପତନ ଯୋଗୁ ଡିଫେନ୍ସିଭ ବ୍ୟାଟିଂ କରୁଥିବା ଜୋଶ ବଟଲର(୧୯) ୧୩ତମ ଓଭରରେ ଆଉଟ୍‌ ହେବାରୁ ଦଳର ବଡ଼ ସ୍କୋର କରିବା ଆଶା ମଧ୍ୟ ଶେଷ ହୋଇଥିଲା।

ସେହିପରି ଆର୍ଶଦ ଖାନ(୧୫ ରନ, ୬ ବଲ, ୨ ଛକା) ଓ ରାହୁଲ ଟଓ୍ବେଟିଆ (୭) ଆଟାକିଂ ଶଟ୍‌ ଖେଳିବାକୁ ଯାଇ ଉଇକେଟ ହରାଇଥିଲେ। ଏହାପରେ ସୁନ୍ଦର ଏକାକୀ ଦଳୀୟ ସ୍କୋରକୁ ୧୫୦ ପାଖାପାଖି ପହଞ୍ଚାଇ ଥିଲେ। ଫଳରେ ଗୁଜରାଟ ୨୦ ଓଭରରେ ୮ ଉଇକେଟ ହରାଇ ୧୫୫ ରନ୍‌ କରି ଅଟକି ଯାଇଥିଲା।

Share